ଭୁବନେଶ୍ୱର : ସୋମବାର ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ସମ୍ପୁର୍ଣ୍ଣ ଭାବେ ନ୍ୟାୟୀକ ବ୍ୟବସ୍ଥା ଭିତରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଛି।
କ୍ର୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ନବ କିଶୋର ମଲ୍ଲିକ, ଦେବୀ ରଂଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସୁବାସିନୀ ଜେନା ଓ ରମାକାନ୍ତ ବୋଇଙ୍କ ବିରୋଧରେ ବଡ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏହି ପରିପ୍ରେକ୍ଷିରେ ଆଜି ଦଳର କ୍ରସ ଭୋଟିଂ କରିଥିବା ୬ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାର ଉତ୍ତର ମାଗିଛି ଦଳ। ଏଥିସହିତ ଦଳର ଶୃଙ୍ଖଳା ଓ ନିର୍ଦ୍ଦେଶର ଅବମାନନା କରି ସେମାନେ ନିଜ ଆଡୁ ଦଳର ସଦସ୍ୟତା ପଦରୁ ଓହରିଯାଇଥିବାରୁ ସେମାନଙ୍କ ବିରୋଧରେ ଆଇନଗତ ଓ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ସେନେଇ ସେମାନଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି।
ଆସନ୍ତା ତିନି ଦିନ ମଧ୍ୟରେ ଅର୍ଥାତ ୨୦ ତାରିଖ ସନ୍ଧ୍ୟା ୫ ସୁଦ୍ଧା ସେମାନେ ସନ୍ତୋଷଜନକ ଉତ୍ତର ନଦେଲେ ଦଳ ସେମାନଙ୍କ ବିରୋଧରେ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଦ୍ବାରା ଜାରି କାରଣ ଦର୍ଶାଅ ନୋଟିସରେ କୁହାଯାଇଛି। ଗତ ୧୫ ତାରିଖ ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅବମାନନା କରି ଏହି ଛଅ ଜଣ ବିଧାୟକ ନିଜ ଆଡୁ ଦଳର ସଦସ୍ୟତା ପଦରୁ ଓହରିଯାଇଥିବା ପ୍ରମାଣିତ କରୁଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି।

