Home News in Odia ରାଜ୍ୟସଭା ନିର୍ବାଚନ ଗଣତନ୍ତ୍ର ପାଇଁ କଳାଦିନ

ରାଜ୍ୟସଭା ନିର୍ବାଚନ ଗଣତନ୍ତ୍ର ପାଇଁ କଳାଦିନ

ଭୁବନେଶ୍ୱର : ବିଜୁ ବାବୁଙ୍କ ନୀତି ଆଦର୍ଶରେ ଗଢ଼ା ହୋଇଥିଲା ବିଜୁ ଜନତା ଦଳ। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶର ଅବମାନନା କରି ବିଜେଡିର କିଛି ବିଧାୟକ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ କ୍ରସ ଭୋଟିଂ କରିଥିବାରୁ ସେମାନଙ୍କ ବିରୋଧରେ ବର୍ଷିଛି ଦଳ।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଓ ଧ୍ରୁବ ଚରଣ ସାହୁ ଦଳର ନୀତି, ଆଦର୍ଶ ବିରୋଧରେ ଯାଇ ବିଜେଡିର କିଛି ବିଧାୟକ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ ବିପୁଳ ଟଙ୍କା ନେଇ କ୍ରସ ଭୋଟିଂ ଜରିଆରେ ଜଣେ ଦାଗୀ ନେତାଙ୍କୁ ଭୋଟ ଦେଇ ବିଜୟୀ କରିଥିବାରୁ କଡ଼ା ସମାଲୋଚନା କରିଥିଲେ।

ପ୍ରମିଳା ମଲ୍ଲିକ ଅଭିଯୋଗ କରିଥିଲେ ଯେ, ରାଜ୍ୟସଭା ନିର୍ବାଚନରେ ଯେଉଁ ବିଧାୟକମାନେ କ୍ରସ ଭୋଟିଂ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଲେ, ଆଜି ସେମାନେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀର କଥା କହୁଛନ୍ତି। ଯେଉଁମାନେ ଦିନେ ନବୀନ ବାବୁଙ୍କ ଗାଡ଼ିକୁ ଟେକା ଓ ଅଣ୍ଡା ପକାଇଥିଲେ, ନବୀନ ବାବୁ ସେକଥାକୁ ଭୁଲି କଟକ ଭଳି ଜିଲ୍ଲାରେ ତାଙ୍କ ପତ୍ନୀଙ୍କୁ ଜିଲ୍ଲା ପରିଷଦ ସଭାପତି କରିଥିଲେ। ଏହାସହିତ ତାଙ୍କୁ ମଧ୍ୟ ବିଧାୟକ କରିଥିଲେ ଓ ତାଙ୍କ ପୁଅକୁ ମଧ୍ୟ ଦୁଇ ଦୁଇ ଥର ବିଧାୟକ କରି ଏକ ପରିଚୟ ଦେଇଥିଲେ। ଆଜି ସେମାନେ ନବୀନ ବାବୁଙ୍କ ସହିତ ବିଶ୍ୱାସଘାତକତା କରି କିଛି ଟଙ୍କା ପାଇଁ ନିଜକୁ ବିକ୍ରି କରିଦେଲେ। ଏହାକୁ କ’ଣ ବିଜୁ ଲିଗାସୀ କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ବ୍ୟୋମକେଶ ରାୟ କହିଥିଲେ, ଏହି ଘୋଡ଼ା ବେପାରରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ତାଙ୍କ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ। ଏବେ ନିଜ ନିର୍ବାଚନମଣ୍ଡଳୀରେ ସମର୍ଥକମାନଙ୍କ ନିକଟରେ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଭିନ୍ନ କଥା କହୁଛନ୍ତି । ବାଙ୍କୀର ବିଧାୟକ ଦେବୀ ତ୍ରିପାଠୀ କହୁଛନ୍ତି ତାଙ୍କ ବାପା ଅଣକଂଗ୍ରେସ ରାଜନୀତିରୁ ଆସିଛନ୍ତି, ତେଣୁ ସେ ବିଜେଡି ଓ କଂଗ୍ରେସର ମେଣ୍ଟ ବିରୋଧରେ ଯାଇ ବିବେକାନୁମୋଦିତ ଭାବେ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ । ୧୯୯୬ରେ ତତ୍କାଳୀନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜୁ ବାବୁଙ୍କ ସହିତ ବିଶ୍ୱାସଘାତକତା କରି ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପଟ୍ଟନାୟକଙ୍କୁ ଭୋଟ ଦେଇ ଯେଉଁ ପରମ୍ପରାକୁ ଅନୁକରଣ କରିଛନ୍ତି ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିରପାଠୀ।

ଧ୍ରୁବ ସାହୁ କହିଥିଲେ, ଆମେ ରେଙ୍ଗାଲୀ ବିଧାୟକଙ୍କୁ ସାଲ୍ୟୁଟ କରୁଛୁ। ତାଙ୍କୁ ୧୫ କୋଟି ଟଙ୍କା ଅଫର କରାଯାଇଥିଲା, କିନ୍ତୁ ସେ ସଚ୍ଚୋଟତାର ପରିଚୟ ଦେଇ ଦଳ ସପକ୍ଷରେ ଭୋଟ ଦେଇଥିଲେ। କିନ୍ତୁ ଏବେ ବିଜୁ ଲିଗାସୀ କଥା କହୁଥିବା ନେତାମାନେ ୧୯୯୫ ମସିହାରେ ବିଜୁ ବାବୁଙ୍କୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇ ନଦେବା ପାଇଁ ତତ୍କାଳୀନ ଜନତା ଦଳ ନେତା ବିଜୟ ମହାପାତ୍ର ୩୦ଟି ନିର୍ବାଚନମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରାଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ବାଟ ଫିଟାଇଥିଲେ।