Home Assembly ଦୁଇ ଲକ୍ଷରୁ ଅଧିକ ଅଯୋଗ୍ୟ ଚିହ୍ନଟ

ଦୁଇ ଲକ୍ଷରୁ ଅଧିକ ଅଯୋଗ୍ୟ ଚିହ୍ନଟ

ଭୁବନେଶ୍ୱର : ଗତ ଦୁଇବର୍ଷ ମଧ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବା ପାଇଁ ଯେତିକି ଲୋକ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ୨ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ବୋଲି ଚିହ୍ନଟ ହୋଇଛନ୍ତି । ଏହି ଅଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି ।

ରାଜ୍ୟରେ ଭତ୍ତା ପାଇଁ ଆବେଦନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ସାମାଜିକ ସୁରକ୍ଷା ବିଶେଷକରି ମଧୁବାବୁ ପେନ୍‍ସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଭତ୍ତା ପାଇବାପାଇଁ ରାଜ୍ୟରେ ୯,୯୮,୬୮୯ ଜଣ ଆବେଦନ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୨,୨୭,୭୨୩ ଜଣଙ୍କର ଭତ୍ତା ମଞ୍ଜୁର ହୋଇଛି । ତେବେ ଆବେଦନକାରୀଙ୍କ ମଧ୍ୟରୁ ୨,୪୧,୦୬୭ ଜଣ ଭତ୍ତା ପାଇବାକୁ ଅଯୋଗ୍ୟ ବୋଲି ଚିହ୍ନଟ ହେବାପରେ ସେମାନଙ୍କ ଆବେଦନକୁ ଖାରଜ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭତ୍ତା ପାଇଁ ଅପେକ୍ଷାରେ ଥିବା ୫,୨୯,୮୮୮ ଜଣ ଆବେଦନକାରୀଙ୍କ ଯୋଗ୍ୟତାକୁ ଯାଞ୍ଚ କରାଯାଇ ଭତ୍ତା ମଞ୍ଜୁର ଲାଗି ପଦକ୍ଷେପ ନିଆଯାଉଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଭତ୍ତା ପାଇବାକୁ ଆବେଦନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି । ଏହି ଜିଲ୍‍ଲାଯେ ୧,୦୪,୭୧୮ ଜଣ ଭତ୍ତା ପାଇଁ ଆବେଦନ କରିଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ଆବେଦନକାରୀଙ୍କ ସଂଖ୍ୟା ୫୯,୩୩୨ ଓ ବଲାଙ୍ଗିର ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୫୨,୦୮୯ରହିଛି । କଟକ ଜିଲ୍ଲାରେ ଭତ୍ତା ଆବେଦନକାରୀଙ୍କ ସଂଖ୍ୟା ୫୧,୩୬୨ ରହିଥିବାବେଳେ ଯାଜପୁର ଜିଲ୍ଲାରେ ଏହା ୫୦ହଜାରରୁ ଅଧିକ ରହିଛି । ସବୁଠାରୁ କମ୍‍ ୭୯୩୯ ଜଣ ଆବେଦନକାରୀ ଦେବଗଡ ଜିଲ୍ଲାର ରହିଥିବା ଜଣାଯାଇଛି ।

ତେବେ ଅଯୋଗ୍ୟ ଆବେଦନକାରୀଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଥିବାବେଳେ ଏହା ପଛକୁ ବଲାଙ୍ଗିର ଜିଲ୍ଲା ରହିଛି । ଗଞ୍ଜାମରେ ୨୮ହଜାର ଅଯୋଗ୍ୟ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୧୭ହଜାରରୁ ଅଧିକ ରହିଛି । ପୁରୀ ଜିଲ୍ଲାରେ ୧୪ହଜାର, ଖୋରଧା ଓ ଯାଜପୁରରେ ୧୨ହଜାର କରି ଅଯୋଗ୍ୟ ଚିହ୍ନଟ ହୋଇଥିବା ଜଣାଯାଇଛି । ସବୁଠାରୁ କମ୍‍ ଅଯୋଗ୍ୟ ୧୫୬୧ ଜଣ ଚିହ୍ନଟ ହୋଇଛନ୍ତି ମାଲକାନଗିରି ଜିଲ୍ଲାରେ । ଏହି ଜିଲ୍ଲାରେ ଭତ୍ତା ପାଇଁ ୧୦ ହଜାରରୁ ଅଧିକ ଆବେଦନ ହୋଇଥିଲା ।

ଭତ୍ତା ପାଇବାରେ ସଫଳ ହିତାଧିକାରୀଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବାଧିଖ ୨୧,୭୪୨ ଥିବାବେଳେ ଏହା ପଛକୁ ବଲାଙ୍ଗର ଜିଲ୍ଲାରେ ୧୩,୫୪୪ ଜଣ ରହିଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ୧୩,୩୩୫ ଜଣ ଭତ୍ତା ପାଇଥିବାବେଳେ ବରଗଡ ଜିଲ୍ଲାରେ ୧୧ହଜାର, କଟକରେ ୧୦ହଜାର ଓ ବାଲେଶ୍ୱର ଜିଲ୍ଲାରେ ପାଖାପାଖି ୧୦ହଜାର ହିତାଧିକାରୀ ଭତ୍ତା ପାଇବାରେ ସଫଳ ହୋଇଛନ୍ତି । (ତଥ୍ୟ)