Home General ଗ୍ୟାସ ସଙ୍କଟରେ ଭୋଜିଭାତ ପ୍ରଭାବିତ

ଗ୍ୟାସ ସଙ୍କଟରେ ଭୋଜିଭାତ ପ୍ରଭାବିତ

ଭୁବନେଶ୍ୱର : ରାଜ୍ୟର ବାହାଘର ଆୟୋଜନ ଉପରେ ଏବେ ପଡିଛି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ଯୁଦ୍ଧ ଯୋଗୁଁ ଗ୍ୟାସ ସିଲିଣ୍ଡରର ଅଭାବ ଏବେ ବାହାଘର ଭୋଜିଭାତକୁ ପ୍ରଭାବିତ କରିଛି । ରୋଷେଇ ପାଇଁ ଆୟୋଜନକାରୀ ଗ୍ୟାସ କେଉଁଠାରୁ ଆଣିବେ ସେହି ଚିନ୍ତାରେ ଥିବାବେଳେ ଭୋଜି ପ୍ରସ୍ତୁତକାରୀମାନେ ଏବେ ଗ୍ୟାସ ଅଭାବ ଦର୍ଶାଇ ଅଧିକ ଅର୍ଥ ଦାବି କଲେଣି ।

ଗ୍ୟାସର ଦର ହଠାତ୍‍ ବୃଦ୍ଧି ପାଇବା ଓ ବୁକିଂର ଅବଧି ବଢିବା ପରେ ଲୋକେ ଗ୍ୟାସ ସିଲିଣ୍ଡରଟିଏ ପାଇବାପାଇଁ ବିଭିନ୍ନ ସ୍ଥାନରେ ଧାଡି ଲଗାଇବାରେ ଲାଗିଛନ୍ତି । ରାତି ପାହିଲେ ଗ୍ୟାସ ବିତରକଙ୍କ ଦୁଆର ମୁହଁରେ ସିଲିଣ୍ଡର ଧରି ଲୋକେ ଧାଡିରେ ଛିଡା ହେଉଛନ୍ତି । କିଛି ଲୋକେ ଗ୍ୟାସ ପାଇବାରେ ସଫଳ ହେଉଥିବାବେଳେ ଆଉ କିଛି ଶୂନ୍ୟ ହସ୍ତରେ ଫେରୁଛନ୍ତି । ତେବେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଲୋକେ କାମଦାମ ଛାଡି ଗ୍ୟାସ ପାଇବାକୁ ଧାଡି ଲଗାଉଛନ୍ତି ।
ରାଜ୍ୟରେ ଏବେ ବାହାଘର ଋତୁ ଚାଲିଥିବାବେଳେ ଗ୍ୟାସ ଅଭାବ ପ୍ରଚାର ହୋଇଯିବା ପରେ ଏହାର ସିଧାସଳଖ ବାହାଘର ବିଶେଷକରି ଭୋଜିଭାତ ଆୟୋଜନ ଉପରେ ପଡିଛି । ରୋଷେଇ ପାଇଁ ଗ୍ୟାସ କେଉଁଠାରେ ମିଳିବ ସେଥିପାଇଁ ଆୟୋଜନକାରୀମାନେ ଚିନ୍ତାରେ ରହିଛନ୍ତି । ବିଭିନ୍ନ ଲୋକଙ୍କୁ ଏଥିପାଇଁ ନେହୁରା ହେଉଥିଲେ ମଧ୍ୟ ଯେଉଁମାନଙ୍କ ନିକଟରେ ସିଲିଣ୍ଡର ରହିଛି ସେମାନେ ଦେବାକୁ ରାଜି ହେଉନାହାନ୍ତି ।

ତେବେ ଯେଉଁମାନେ ବିଭିନ୍ନ ହୋଟେଲରେ ବାହାଘର ଆୟୋଜନ କରିଥିଲେ କିମ୍ବା ବିଭିନ୍ନ ସଂସ୍ଥାକୁ ଭୋଜି ପ୍ରସ୍ତୁତି ଦାୟିତ୍ୱ ଦେଇଥିଲେ, ସେମାନଙ୍କ ଉପରେ ଏବେ ବୋଝ ବଢିବାରେ ଲାଗିଛି । ଗ୍ୟାସ ଅଭାବର ଆଳ ଦେଖାଇ ପୂର୍ବରୁ ଭୋଜି ପାଇଁ ଯେଉଁ ଦର ଛିଡିଥିଲା ତାହାକୁ ବଢାଯାଉଛି । ଆୟୋଜନକାରୀ ବି ସ୍ଥିତିକୁ ଦେଖି ଅଧିକ ଦର ଗଣିବାକୁ ବାଧ୍ୟ ହେଉଛନ୍ତି ।

କେବଳ ଗ୍ୟାସ ସଙ୍କଟ ନୁହେଁ ବଜାରରେ ହଠାତ୍‍ ଖାଇବା ତେଲର ଦରବୃଦ୍ଧି ମଧ୍ୟ ଏଥିରେ ଅନ୍ୟତମ ବାଧକ ସାଜିଛି । ଗଳି କନ୍ଦିର ଛୋଟ ବଡ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ଓ ଭୋଜି ପ୍ରସ୍ତୁତକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ତେଲ ଦର ବୃଦ୍ଧିର ସାମ୍ନା କରୁଛନ୍ତି । ଏଥିଯୋଗୁଁ ବାଧ୍ୟହୋଇ ଭୋଜିଭାତ ଖର୍ଚ୍ଚ ବଢିବାରେ ଲାଗିଛି । ଉଲ୍ଲେଖନୀୟ ଯେ ଗ୍ୟାସ ସଙ୍କଟ ପ୍ରଚାରର ଦିନକ ପରେ ହଟାତ୍‍ ଖାଇବା ତେଲ ଲିଟର ପ୍ରତି ଦର ୧୫ ରୁ ୨୦ ଟଙ୍କା ବଢି ଯାଇଛି । ଅନେକ ଅନ୍‍ଲାଇନ୍‍ ସଂସ୍ଥା ଏବେ ଖାଇବାତେଲ ମହଜୁଦ ନଥିବା ଦର୍ଶାଉଥିବାବେଳେ ଅଧିକ ଲାଭ ଆଶାରେ ବ୍ୟବସାୟୀମାନେ ମଧ୍ୟ ତେଲ ମହଜୁଦ ରଖୁଛନ୍ତି ।

ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଏବେ ବିଭିନ୍ନ ସ୍ତରରୁ ଦାବି ହେଉଛି । ବିଶେଷକରି କେଉଁ ଗ୍ୟାସ ଡିଲରଙ୍କ ନିକଟରେ କେତେ ଗ୍ୟାସ ଗଚ୍ଛିତ ରହିଛି ତାହାର ଅପଡେଟ୍‍ ସୂଚନା ସର୍ବସାଧାରଣରେ ପ୍ରକାଶ କରାଯିବାକୁ ଦାବି ହେଉଛି । ସେହିଭଳି ବଜାରରେ ହଠାତ୍‍ ବୃଦ୍ଧି ପାଇଥିବା ଖାଇବାତେଲର ଦରକୁ ମଧ୍ୟ ସରକାର ନିୟନ୍ତ୍ରଣ କରିବାକୁ ମତପ୍ରକାଶ ପାଉଛି । ଏହା ନହେଲେ ସୁଯୋଗ ଦେଖି ବ୍ୟବସାୟୀମାନେ ଅନ୍ୟ ବହୁ ସାମଗ୍ରୀର ଦର ରାତାରାତି ବଢାଇଦେବାର ଆଶଙ୍କା ଉପୁଜିଲାଣି । (ତଥ୍ୟ)