Home Election ସବୁ ଦଳ ପାଇଁ ମର୍ଯ୍ୟାଦାର ପ୍ରଶ୍ନ

ସବୁ ଦଳ ପାଇଁ ମର୍ଯ୍ୟାଦାର ପ୍ରଶ୍ନ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଓ ମୁଖିଆମାନଙ୍କ ଉଦ୍‍ବେଗ ବଢ଼ିବାରେ ଲାଗିଛି । ପ୍ରାର୍ଥୀମାନେ ଭୋଟରଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଉଦ୍ୟମ ଚଳାଇଥିବାବେଳେ ଦଳୀୟ ମୁଖିଆମାନେ ବି ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘନଘନ ବୈଠକ କରୁଛନ୍ତି ।

ବିଜେପିର ଦଳୀୟ ପ୍ରାର୍ଥୀମାନେ ହ୍ୱିପ୍‍ ଉପରେ ଭରସା କରୁଥିବାବେଳେ ଅନ୍ୟ ଦଳର ଭୋଟରମାନେ ହ୍ୱିପ୍‍ ମାନିବେ କି ନାହିଁ ସେଥିଘେନି ପ୍ରାର୍ଥୀଙ୍କ ମନରେ ବି ଦ୍ୱନ୍ଦ୍ୱ ରହୁଛି । ଏମିତିକି ଆବଶ୍ୟକ ପଡ଼ିଲେ ନିଜେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏଜେଣ୍ଟ ହୋଇ ଭୋଟ ଗ୍ରହଣ ସ୍ଥଳୀରେ ଦଳୀୟ ବିଧାୟକମାନେ କାହାକୁ ଭୋଟ ଦେଉଛନ୍ତି ତାହା ନିଜେ ଦେଖିପାରନ୍ତି ବୋଲି ଘୋଷଣା କଲେଣି ।

ନବୀନ ନିବାସରେ ପ୍ରାୟ ପ୍ରତିଦିନ ବିଧାୟକମାନଙ୍କ ବୈଠକ ହେବାରେ ଲାଗିଛି । ଏମିତିକି ୧୬ ତାରିଖରେ ଭୋଟ ହେବାର ଥିବାବେଳେ ୧୪ ତାରିଖରୁ ବିଜେଡିର ସବୁ ବିଧାୟକ ଗୋଟିଏ ଜାଗାରେ ଏକାଠି ରହିବେ ବୋଲି ବି ସୂଚନା ଦିଆଗଲାଣି । ବିଜେପି, ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଘେନି ସୁନିଶ୍ଚିତ ଥିବାବେଳେ ଚତୁର୍ଥ ଆସନରେ ବିଜେପି ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ ଜିଣିବେ କି ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଜିଣିବେ ସେଥିଘେନି ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ଅପପ୍ରଚାର ଚାଲିଛି ।

ଇତିମଧ୍ୟରେ ବିଜେଡିର ଘୋଷିତ ଓ କଂଗ୍ରେସ ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ କଂଗ୍ରେସ ନେତାଙ୍କ ଗହଣରେ ଦିଲ୍ଲୀ ଯାଇ ସେଠାରେ ଦଳର ହାଇକମାଣ୍ଡଙ୍କୁ ଭେଟିଛନ୍ତି । ତେବେ ବିଜେପି ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ କିନ୍ତୁ ଭୁବନେଶ୍ୱରରେ ଡେରା ପକାଇ ୩ଦଳର ବହୁ ବିଧାୟକଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଯୋଗାଯୋଗରେ ଅଛନ୍ତି ।

କଂଗ୍ରେସ, ବିଜେଡି ଓ ବିଜେପି ନେତାମାନେ ବାରମ୍ବାର କହୁଛନ୍ତି ଯେ ସେମାନଙ୍କ ଦଳର ବିଧାୟକମାନେ ଦଳୀୟ ନିଷ୍ପତ୍ତି ଅନୁଯାୟୀ ଭୋଟ ଦେବେ । ତେବେ ଅନ୍ୟ ଦଳରୁ ବ୍ୟାପକ କ୍ରସ ଭୋଟିଂ ହେବ ବୋଲି ମଧ୍ୟ ସୂଚନା ଦିଆଯାଉଛି । ବିଜେଡି ଓ ବିଜେପିର ୯ବର୍ଷିଆ ମେଣ୍ଟ ସରକାର ଓ ୧୫ବର୍ଷିଆ ବିଜେଡି ସରକାର ଅମଳରେ ବହୁ ସଂଖ୍ୟକ କଂଗ୍ରେସ ନେତା ମାଳମାଳ ମାମଲାରେ ଫସି ମାସମାସ ଜେଲ୍‍ରେ ବିତାଇଛନ୍ତି । ତେଣୁ ବିଜେଡି ଘୋଷିତ ପ୍ରାର୍ଥୀଙ୍କୁ ଯେ ସବୁ କଂଗ୍ରେସ ବିଧାୟକ ଭୋଟ ଦେବେ ସେଥିଘେନି ସନ୍ଦେହ ରହିଛି ।

ଏହାଛଡ଼ା ପ୍ରଦେଶ କଂଗ୍ରେସ ସଭାପତି ଯେଭଳି ନବୀନ ପଟ୍ଟନାୟକଙ୍କ ଶାସନ କାଳ ଓ ତାଙ୍କ ନେତୃତ୍ୱକୁ ଗଣମାଧ୍ୟମରେ ଭୂୟସୀ ପ୍ରଶଂସା କରିଛନ୍ତି ତାହାକୁ ଅନେକ ଦଳୀୟ ନେତା ହଜମ କରିପାରୁ ନାହାନ୍ତି । ସେହିପରି ରାଜ୍ୟରେ ବିଜେପି ସରକାର ଗଢ଼ାଯିବାର ବର୍ଷେ ୯ମାସ ଅତିକ୍ରାନ୍ତ ହୋଇଥିବାବେଳେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନହେବା ଏବଂ ସରକାରର ଅନ୍ୟାନ୍ୟ ପଦପଦବୀରେ ଥଇଥାନ ହୋଇନଥିବା କାରଣରୁ ବହୁ ଦଳୀୟ ନେତାଙ୍କ ମନରେ ଅସନ୍ତୋଷ ଥିବାରୁ ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ ହେବ ବୋଲି ବି ପ୍ରଚାର ଚାଲିଛି । ଇତିମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଗସ୍ତ କରି ଯେଉଁ ଗୁରୁମନ୍ତ୍ର ଦେଇଯାଇଛନ୍ତି ତାହାରି ଆଧାରରେ କେତେକ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତା ବିଜେପି ସମର୍ôଥତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡି ଓ କଂଗ୍ରେସରୁ ଭୋଟ ଗୋଟାଇବା ପାଇଁ ମଧ୍ୟ ଯୋଗାଯୋଗ ଚଳାଇଛନ୍ତି । ଏହାଛଡ଼ା ଯେଉଁମାନଙ୍କ ବିରୋଧରେ ଗୁରୁତର ଫୌଜଦାରୀ ଓ ଆର୍ôଥକ ହେରଫେର୍‍ ଅଭିଯୋଗ ରହିଛି ସେମାନେ ଭିଜିଲାନ୍ସ, ସିବିଆଇ ଓ ଇଡିର ଭୟ ସ୍ୱପ୍ନରେ ଦେଖୁଛନ୍ତି । (ତଥ୍ୟ)