ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗରେ କର୍ମଚାରୀ ଛଅ ବର୍ଷ କାମ କରିବାପରେ ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରିବାପାଇଁ ନିଷ୍ପତ୍ତି ହୋଇଥିବାବେଳେ ଖୋଦ୍ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ କେତେକ ଅଧିକାରୀ ଓ କର୍ମଚାରୀ ତାହାକୁ ଟାଳି ଦେଉଛନ୍ତି । ଏହି ବିଭାଗରେ ଜଣେ ଜଣେ ଅଧିକାରୀ ୨୬ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ଏବେ ପ୍ରଶାସନିକ ମହଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ସଚିବାଳୟ ପ୍ରଶାସନରେ ସଂସ୍କାର ଆଣିବାକୁ ପୂର୍ବତନ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସମୟରେ ବଦଳି ନେଇ ସ୍ୱତନ୍ତ୍ର ନିୟମ ହୋଇଥିଲା । ଏଥିରେ ବ୍ୟବସ୍ଥା ଥିଲା ଯେ ଗୋଟିଏ ବିଭାଗରେ ୬ବର୍ଷ କାର୍ଯ୍ୟ କରିଥିବା ଅଧିକାରୀ/କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯିବ । ଯଦି କୌଣସି ଅଧିକାରୀ ଗୋଟିଏ ବିଭାଗରେ ୧୦ବର୍ଷ କାର୍ଯ୍ୟ କରିଥିବେ ତେବେ ସେ ଆଉ ସେହି ବିଭାଗକୁ ଫେରିବେ ନାହିଁ । ସେହିଭଳି ଗୋଟିଏ ସେକ୍ସନରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ତିନି ବର୍ଷ ପରେ ଆଉ ଗୋଟିଏ ସେକ୍ସନକୁ ବଦଳି କରାଯିବ ।
ହେଲେ ନିକଟରେ ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ସାଧାରଣ ପ୍ରଶାସନ ବିଭାଗରେ ଜଣେ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରୀ) ୨୬ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛନ୍ତି । ଆଉ ଜଣେ ଅନୁଶାସନ ସଚିବ ଯିଏ କି ସର୍ଭେ ଓ ଏନଫୋର୍ସମେଣ୍ଟ ଦାୟିତ୍ୱରେ ରହିଛନ୍ତି ସିଏ ସେହି ସ୍ଥାନରେ ୧୮ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ । ବିଭାଗରେ ଜଣେ ଅତିରିକ୍ତ ସଚିବ ୧୭ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବାବେଳେ ଆଉ ଜଣେ ଉପସଚିବ ୮ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହିଛନ୍ତି ।
ବିଭାଗରେ କାର୍ଯ୍ୟରତ ଡେସ୍କ ଅଫିସରଙ୍କ ମଧ୍ୟରୁ ଚାରି ଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ୯ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ସେହିଭଳି ସେକ୍ସନ ଅଫିସରଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ୯ବର୍ଷରୁ ଅଧିକ ସମୟ ଦରି ଗୋଟିଏ ସେକ୍ସନରେ କାର୍ଯ୍ୟରତ । ସହକାରୀ ସେକ୍ସନ ଅଫିସର ପାହ୍ୟାରେ ଯୁବ କର୍ମଚାରୀମାନେ ନିଯୁକ୍ତି ପାଇଥିବାରୁ ଅଳ୍ପ କେତେଜଣ ୬ବର୍ଷରୁ ଅଧିକ ସମୟ ଧରି ସେକ୍ସନରେ ଥିବାବେଳେ ଅନ୍ୟମାନେ ସମସ୍ତେ ପ୍ରାୟତଃ ବିଭାଗ ପାଇଁ ନୂଆ ।
କିଛି କର୍ମଚାରୀଙ୍କ କହିବାକଥା ଯେ ସାଧାରଣ ପ୍ରଶାସନ ବିଭାଗ ଭଳି ସଚିବାଳୟରେ ପ୍ରାୟତଃ ସବୁ ବିଭାଗରେ ସମାନ ଅବସ୍ଥା । ପ୍ରଶାସନକୁ ଚଳ ଚଞ୍ଚଳ କରିବାପାଇଁ ଖୋଦ୍ ସରକାର କରିଥିବା ନିଷ୍ପତ୍ତିକୁ ବିଭାଗମାନେ ମାନୁ ନାହାନ୍ତି । ବିଭାଗୀୟ ସଚିବମାନେ ମଧ୍ୟ ଏ ନେଇ ସମୀକ୍ଷା କରୁନାହାନ୍ତି । ଫଳରେ ଜଣେ ଜଣେ ବାବୁ ଗୋଟିଏ ବିଭାଗରୁ ଅବସର ନେବା ଅବସ୍ଥା ସୃଷ୍ଟି ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ବିଭାଗକୁ ବଦଳି ହେବା ତ ଦୂରରକଥା ସେକ୍ସନରୁ ବଦଳି ହେଲେ ଅନେକ ଧରାଧରି କରି ନିଜର ପୂର୍ବ ଚଉକିରେ ବସି ରହୁଛନ୍ତି । ରାଜ୍ୟରେ ନୂଆ ସରକାର ଆସିବା ପରେ ବି ସ୍ଥିତିରେ କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ । ନୂଆ ମୁଖ୍ୟ ଶାସନ ସଚିବ ଏଥି ପ୍ରତି ଦୃଷ୍ଟିଦେବା ନିହାତି ଆବଶ୍ୟକ ବୋଲି କର୍ମଚାରୀମାନେ ମତ ଦେଉଛନ୍ତି । (ତଥ୍ୟ)

