ଭୁବନେଶ୍ୱର : ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପରେ କ୍ରସ ଭୋଟିଂ ସମ୍ଭାବନା ଉଜ୍ଜଳତର ହୋଇଛି । ଏ ପରିପ୍ରେକ୍ଷୀରେ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ବିଧାୟକମାନଙ୍କୁ କେତେଦୂର ନିୟନ୍ତ୍ରିତ କରି ରଖିପାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ଯଦି ବ୍ୟାପକ କ୍ରସ ଭୋଟିଂ ହୁଏ ତେବେ ବିଭିନ୍ନ ଦଳରେ ବିଭାଜନ ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ରାଜନୀତି ବିଶ୍ଳେଷକମାନେ କହୁଛନ୍ତି ।
ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ଆଧାରରେ ଯଦି କ୍ରସ ଭୋଟିଂ ନହୁଏ ତେବେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ସ୍ଥାନରେ ବିଜୟଲାଭ କରିବା ସୁନିଶ୍ଚିତ । କୌଣସି ଗୋଟିଏ ହେଲେ ଦଳର ଚତୁର୍ଥ ଆସନ ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ନାହିଁ । ଏ ପରିପ୍ରେକ୍ଷୀରେ ଚତୁର୍ଥ ଆସନଟି କାହା କବ୍ଜାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ଏହା ମଧ୍ୟ ଆଗାମୀ ଦିନର ରାଜନୀତିକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।
ରାଜ୍ୟସଭାରୁ ଦୁଇଜଣ ବିଜେପି ଓ ଦୁଇଜଣ ବିଜେଡି ସଦସ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି । ଏମାନଙ୍କ ଭିତରୁ ବିଜେପି କେବଳ ଜଣକୁ ପ୍ରାର୍ଥୀ କରିଥିବାବେଳେ ଅନ୍ୟ ୩ଜଣଙ୍କୁ ରାଜ୍ୟସଭା ଆସନ ହରାଇବାକୁ ପଡ଼ିବ ।
ବିଧାନସଭାରେ ଏବେ ବିଜେପିର ୭୯ ଜଣ ବିଧାୟକ ଥିବାବେଳେ ଆଉ ୩ଜଣ ସ୍ୱାଧୀନ ବିଧାୟକ ଶାସକ ଦଳକୁ ସମର୍ଥନ ଦେଉଛନ୍ତି । ପୂର୍ବରୁ ଅବଶ୍ୟ ଏମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଜେପିର ଭଲ ସଂଗଠକ ଥିଲେ । ସେମାନଙ୍କୁ ଗତ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟ୍ ନମିଳିବାରୁ ଏହି ୩ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଜିଣିବା ପରେ ପୁଣି ବିଜେପିକୁ ସମର୍ଥନ ଦେଇ ଆସୁଛନ୍ତି । ଏହି ଆଧାରରେ ବିଜେପି ଦୁଇଜଣଙ୍କୁ ସହଜରେ ରାଜ୍ୟସଭା ପଠାଇବାକୁ ସକ୍ଷମ । ଏହି ଆଧାରରେ ମନମୋହନ ସାମଲ ଓ ସୁଜିତ କୁମାର ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବଳକା ଭୋଟକୁ ପୁଞ୍ଜି କରି ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବିଧାନସଭାରେ ବିଜେଡିର ୫୦ଜଣ ବିଧାୟକ ଥିବାବେଳେ ସେମାନଙ୍କ ଭିତରୁ ୨ଜଣ ନିଲମ୍ବିତ । ଅବଶିଷ୍ଟ ୪୮ଜଣ ବିଧାୟକଙ୍କୁ ପୁଞ୍ଜି କରି କର୍ପୋରେଟ୍ ଚାକିରିରୁ ଦୁଇବର୍ଷ ତଳେ ରାଜନୀତିକୁ ଆସିଥିବା ସଂନ୍ତୃପ୍ତ ମିଶ୍ର ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ତା’ର ବଳକା ଭୋଟ ଆଧାରରେ ଆଉ ଜଣେ ଦଳୀୟ ପ୍ରାର୍ଥୀଙ୍କୁ ଜିଣାଇପାରିବ ନାହିଁ । ତେଣେ କଂଗ୍ରେସର ୧୪ଜଣ ବିଧାୟକ ଥିବାବେଳେ ସିପିଏମ୍ର ଜଣେ ବିଧାୟକ ଅଛନ୍ତି । ଏମାନଙ୍କୁ ନେଇ କଂଗ୍ରେସ ବି ଏକାକୀ ଜିଣିପାରିବ ନାହିଁ । ତେଣୁ ପ୍ରାୟ ୨୮ବର୍ଷ ଧରି ବିଜେଡି ବିରୋଧରେ ଲଢ଼ୁଥିବା କଂଗ୍ରେସ ବିଜେଡି ଘୋଷିତ ସ୍ୱାଧୀନ ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେଇଛି ।
ଅତୀତରେ ରାଜ୍ୟସଭା ନିର୍ବାଚନ ପାଇଁ ବହୁବାର କ୍ରସ ଭୋଟିଂ ହୋଇଛି । ୬୦ ଓ ୭୦ ଦଶକରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବ୍ୟାପକ ଦଳବଦଳର ନଜିର ଅଛି । ଏମିତିକି ଜରୁରୀ ପରିସ୍ଥିତି ସମୟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜଣେ ବରିଷ୍ଠ ଅଣକଂଗ୍ରେସ ନେତା କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ । ୯୦ ଦଶକରେ କିଛି ବିଜେପି ବିଧାୟକଙ୍କ ଭୋଟ ବି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିଲା । ସେହିପରି ବିଜେଡି ଗଠନ କରାଯିବା ପରେ ଦଳୀୟ ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହଦେଓ କ୍ରସ ଭୋଟିଂ ଯୋଗୁ ପରାଜିତ ହୋଇଥିଲେ । ୨୦୦୨ ମସିହାରେ ସେତେବେଳର ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ ହଜାଇ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ବ୍ୟାପକ କ୍ରସ ଭୋଟିଂ ଯୋଗୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଦୁଇଥର ରାଜ୍ୟସଭାକୁ ଯାଇଛନ୍ତି । ଏବେ କଂଗ୍ରେସ ଓ ବିଜେଡିର କେତେକ ବିଧାୟକ ଦିଲ୍ଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିବେ ବୋଲି ଚର୍ଚ୍ଚା ଚାଲୁଥିବାରୁ ଏମାନଙ୍କୁ ଏକଜୁଟ କରି ରଖିବା ଉଭୟ ଦଳର ମୁଖିଆଙ୍କ ପାଇଁ ବଡ଼ ଆହ୍ୱାନ ହେବାକୁ ଯାଉଥିବାବେଳେ ଦିଲ୍ଲୀପ ରାୟ ନିଶ୍ଚୟ ନିର୍ବାଚନ ଜିଣିବେ ବୋଲି ବିଜେପି ନେତାମାନେ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । (ତଥ୍ୟ)

