Home Forest ତିନି ବର୍ଷରେ ୬ କୋଟି ବୃକ୍ଷରୋପଣ

ତିନି ବର୍ଷରେ ୬ କୋଟି ବୃକ୍ଷରୋପଣ

ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବର୍ଷକୁ ହାରାହାରି ୨ କୋଟି ଗଛ ଲଗାଯାଉଛି । ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୬କୋଟିରୁ ଅଧିକ ଗଛ ଲାଗି ସାରିଲାଣି ।

ଗତ ତିନି ବର୍ଷ ମଧ୍ୟରେ ଜଙ୍ଗଲ ବିଭାଗ ୬ କୋଟିରୁ ଅଧିକ ଗଛ ଲାଗଇଛି । ଚଳିତ ଆର୍ଥିକ ବର୍ଷରେ ଏହା ୨ କୋଟିକୁ ଟପିଯାଇଛି । ଲଗାଯାଉଥିବା ଗଛ ମଧ୍ୟରେ ଶିଶୁ, ଫାଶି, ଅସନ, ଅର୍ଜୁନ, ଧଉରା, ବାଲିଶିଶୁ, ପିଆଶାଳ, ବାଉଁଶ, ଆମ୍ବ, ମେହୋନି, କୁସୁମ, ପଣସ, ତେନ୍ତୁଳି, କରଞ୍ଜ, ଅଁଳା, ବେଲ, ହରିଡା, ବାହାଡା, ବର, ଅଶ୍ୱସ୍ତ, ଜାମୁ, କୃଷ୍ଣଚୂଡା, ରାଧାଚୂଡା, ସୁନାରୀ ଆଦି ଅର୍ନ୍ତଭୁକ୍ତ । ଏଗୁଡିକ ଜାଳେଣି ପାଇଁ ବ୍ୟବହାର ହେବା ସହିତ ଲଘୁବନଜାତ ଦ୍ରବ୍ୟ,ଫଳଜାତୀୟ ଗଛ, ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଆଦି ରହିଛି । ଗଛଗୁଡିକ ସାଧାରଣତଃ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ, ସୀମାଙ୍କିତ ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଓ ରାଜସ୍ୱ ଜମିରେ ଲଗାଯାଉଛି ।

ଜଙ୍ଗଲ ବିଭାଗ ପକ୍ଷରୁ ଏତେ ପରିମାଣରେ ବୃକ୍ଷରୋପଣ ହେଉଥିବାବେଳେ ଲୋକଙ୍କ ଲୋଲୁପ ଦୃଷ୍ଟି ବିଶେଷକରି କାଠ ଚୋରି ସାଙ୍ଗକୁ ଜଙ୍ଗଲ ପୋଡି ଏବେ ସରକାରଙ୍କ ବୃକ୍ଷରୋପଣ ଯୋଜନାରେ ବାଧକ ସାଜୁଥିବା ଜଣାଯାଇଛି । ଜଙ୍ଗଲ ଆଖପାଖରେ ଥିବା ଗାଁ ଲୋକେ ଗଛକାଟି ନେବା ସହିତ ଚାଷବାସ ପାଇଁ ଜଙ୍ଗଲ ପୋଡି ଦେଉଥିବା ଲକ୍ଷ୍ୟ କରାଯାଉଛି ।

ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଏକ ପେଡ୍‍ ମା କି ନାମ୍‍ ଯୋଜନାରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଚଳାଯିବା ଫଳରେ ବୃକ୍ଷରୋପଣ ସଂଖ୍ୟା ୨ କୋଟିକୁ ଅତି ସହଜରେ ଟପିଯିବା ସହିତ ରେକର୍ଡ ସୃଷ୍ଟି କରିଛି । ତେବେ ଏହି ଗଛଗୁଡିକ କିଭଳି ବଞ୍ଚିବ ଓ ସୁରକ୍ଷିତ ରହିବ ସେ ଦିଗରେ ବିଭାଗ ପଦକ୍ଷେପ ନେବା ଜରୁରୀ ବୋଲି ପରିବେଶବିଜ୍ଞାନୀମାନେ ମତ ଦେଉଛନ୍ତି ।

ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବିଗୁଡୁଥିବାବେଳେ ଜଙ୍ଗଲୀ ପଶୁମାନେ ଜନବସତିକୁ ମଧ୍ୟ ପଶି ଆସୁଛନ୍ତି । ହାତୀ, ଭାଲୁ ଆଦି ପଶୁଙ୍କ ଦୌରାତ୍ମ୍ୟ ଯୋଗୁଁ ଫସଲ ହାନି ସହିତ ଲୋକେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ବୃକ୍ଷରୋପଣର ପରିମାଣ ବଢାଇବା ସହିତ ଜନବସତି ନିକଟରେ ଥିବା ଜଙ୍ଗଲଗୁଡିକୁ ସୁରକ୍ଷିତ ରଖାଯିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଇତି ମଧ୍ୟରେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ ସହିତ ଏଆଇ କ୍ୟାମେରା ଭଳି ଅତ୍ୟାଧୁନିକ ସାଜ ସରଞ୍ଜାମର ବ୍ୟବହାର ଯୋଗୁଁ ଜଙ୍ଗଲ ଚୋରି ଓ ଅବାଧ ପଶୁ ଶିକାରକୁ ବହୁ ମାତ୍ରାରେ ରୋକାଯାଇ ପାରିଛି । ଏଆଇ କ୍ୟାମେରା ଓ ଡ୍ରୋନ ବ୍ୟବହାର କରାଯାଇ ବନାଗ୍ନିକୁ ରୋକିବାପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି । (ତଥ୍ୟ)