ଭୁବନେଶ୍ୱର : ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାବେଳେ ରାଜ୍ୟରେ ମେଗା ପାନୀୟଜଳ ପ୍ରକଳ୍ପର କଚ୍ଛପ ଗତି ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଏଭଳି ସ୍ଥିତିରେ ନଳକୂଳ ଓ ଛୋଟ ପ୍ରକଳ୍ପ ଉପରେ ଭରସା କରିବା ସହିତ ଏହା ଜରିଆରେ ପାନୀୟଜଳ ଯୋଗାଣ ପାଇଁ ମତପ୍ରକାଶ ପାଉଛି ।
ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୨୫ଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଥି ମଧ୍ୟରୁ ସର୍ବାଧିକ ୫ଟି ନୂଆପଡା ଜିଲ୍ଲାରେ ରହିଥିବାବେଳେ ଯାଜପୁରରେ ୩ଟି, ଅନୁଗୁଳ, ମୟୁରଭଞ୍ଜ, ରାୟଗଡା ଓ ସୋନପୁର ଜିଲ୍ଲାରେ ୨ଟି କରିରହିଛି । ବହୁ ଜିଲ୍ଲାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ହାତ ଗଣତି କେତୋଟି ଜିଲ୍ଲାରେ ଗୋଟିଏ କରି ପ୍ରକଳ୍ପ କାର୍ଯ୍ୟ ସରିଛି । ୧୮୨ ଟି ପ୍ରକଳ୍ପର କାର୍ଯ୍ୟ ନିର୍ମାଣାଧିନ ସ୍ଥିତିରେ ରହିଛି ।
ମେଗା ପ୍ରକଳ୍ପ ଜରିଆରେ ପାନୀୟଜଳ ଯୋଗାଣ ପାଇଁ ହୋଇଥିବା ଯୋଜନା ଏବେ ବିଳମ୍ବ ହେବାରେ ଲାଗିଛି । ଠିକାସଂସ୍ଥାର ବିଳମ୍ବ ଯୋଗୁଁ ଅଧିକାଂଶ ସ୍ଥାନରେ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି । ଏଭଳି ସ୍ଥିତିରେ ଚଳିତ ଗ୍ରୀଷ୍ମଋତୁରେ ଏହି ପ୍ରକଳ୍ପ ଜରିଆରେ ଲୋକଙ୍କ ନିକଟରେ ପାନୀୟଜଳ ଜଳ ପହଞ୍ଚାଇବା କର୍ତ୍ତୃପକ୍ଷଙ୍କ ପାଇଁ ସେତେଟା ସହଜ ନୁହେଁ ।
ଅନ୍ୟ ପକ୍ଷରେ ଛୋଟ ଛୋଟ ପଡା ଓ ଗ୍ରାମରେ ୧୮ ହଜାରରୁ ଅଧିକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ତାହା କର୍ତ୍ତୃପକ୍ଷଙ୍କ ପାଇଁ ଆଶ୍ୱାସନାର ବିଷୟ ହୋଇଛି । ଗାଁ ଗହଳରେ ଏହା ଜରିଆରେ ହିଁ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଧରଣର ୭ଶହରୁ ଅଧିକ ପାଇପ୍ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଜାରି ରହିଛି ।
ସେହିଭଳି ଗ୍ରୀଷ୍ମଋତୁରେ ଗାଁ ଗହଳରେ ଲୋକେ ସୌରଶକ୍ତି ଚାଳିତ ଜଳଯୋଗାଣ ବ୍ୟବସ୍ଥା ଉପରେ ଅଧିକ ଭାବେ ନିର୍ଭର କରୁଥିବାବେଳେ ଏହି ଧରଣର ପ୍ରାୟ ଅଢେଇ ହଜାର ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ବେଳକୁ ଏହା ଯଦି ସମ୍ପୂର୍ଣ୍ଣ ନହୁଏ ତେବେ ଲୋକଙ୍କୁ ପାନୀୟଜଳ ଯୋଗାଇବା କଷ୍ଟକର ହୋଇପଡିବ ।
ମେଗା ପାନୀୟଜଳ ପ୍ରକଳ୍ପଗୁଡିକର କାର୍ଯ୍ୟ ସାରିବାପାଇଁ ଆସନ୍ତାବର୍ଷ ଅର୍ଥାତ୍ ୨୦୨୭ ମାର୍ଚ୍ଚ ମାସକୁ ସମୟ ଧାର୍ଯ୍ୟ ହେଉଛି । ଗୋଟିଏ ପଟେ ଅର୍ଥ ସମସ୍ୟା ସହିତ ଅନ୍ୟ ପଟେ ଠିକା ସଂସ୍ଥାଙ୍କ ମନମାନି ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଠିକଣା ସମୟରେ ସରିବା ନେଇ ଲୋକେ ସନ୍ଦେହରେ ରହିଛନ୍ତି । ଅନ୍ୟ ପକ୍ଷରେ ଗାଁ ଗହଳରେ ଯେଉଁସବୁ ଛୋଟ ବଡ ପାନୀୟଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଦର୍ଶାଯାଉଛି ସେଥି ମଧ୍ୟରୁ କେତେକ ଅଚଳ ଅବସ୍ଥାରେ ରହିଛି । କେଉଁ ବିଦ୍ୟୁତ୍ ସମସ୍ୟ ଯୋଗୁଁ ପାଣି ଉଠିପାରୁ ନାହିଁ ତ ଆଉ କେଉଁଠି ଟାଙ୍କିରେ ଥିବା ପାଣି ଲୋକଙ୍କ ଘର ନିକଟରେ ପହଞ୍ଚି ପାରୁନାହିଁ । ଗ୍ରୀଷ୍ମଋତୁ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ମରାମତି ନକଲେ ଜଳ ଯୋଗାଣ ସମସ୍ୟା ଜନିତ ଅଭିଯୋଗର ତାଲିକା ଲମ୍ବିବା ସହିତ ଗାଁ ଗହଳରେ ଲୋକେ ପାଣି ପାଇଁ ରାସ୍ତାକୁ ଓହ୍ଲାଇବା ସାର ହେବା (ତଥ୍ୟ)

