ଭୁବନେଶ୍ୱର : ସ୍ମାର୍ଟ ସିଟିକୁ ଏବେ ନିଜସ୍ୱ ରାଜସ୍ୱ ଭରସା । କାରଣ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ମାର୍ଟସିଟିର ରାଜସ୍ୱରୁ ବେତନ ପ୍ରଦାନ କରାଯାଉଛି । ତେବେ ରାଜସ୍ୱ ବୃଦ୍ଧି ପାଇଁ ଉଚ୍ଚସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି କିନ୍ତୁ ଅଧାବାଟରେ ଅଟକି ଯାଇଛି ।
ଭୁବନେଶ୍ୱର ସ୍ମାର୍ଟସିଟି ଗଠନ ଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ୪୯୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ତାଙ୍କର ଅଂଶ ପ୍ରଦାନ କରିଛନ୍ତି । ଏହି ଅର୍ଥରେ ହାତକୁ ନିଆଯାଇଥିବା ବହୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଏଥିରୁ କିଛି ପ୍ରକଳ୍ପରୁ ରାଜସ୍ୱ ଆଦାୟ ହେଉଥିବାବେଳେ ଅନ୍ୟାନ୍ୟ ପ୍ରକଳ୍ପଗୁଡିକରୁ କିଭଳି ଅଧିକ ପରିମାଣରେ ରାଜସ୍ୱ ଆସିପାରିବ ସେଥିପାଇଁ ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏହି ନିଷ୍ପତ୍ତିଗୁଡିକ ମଧ୍ୟରେ ଥିବା ଅଚଳ ହୋଇଥିବା ସ୍ମାର୍ଟ କିଓସ୍କଗୁଡିକୁ ବିଜ୍ଞାପନ ଖୁଣ୍ଟ ଭାବେ ବ୍ୟବହାର କରିବା, ବହୁତଳୀୟ ପାର୍କିଂ ସ୍ଥଳୀରେ ଅଧିକରୁ ଅଧିକ ବିଜ୍ଞାପନ ହୋର୍ଡିଂ ଲଗାଇବା, ସ୍ମାର୍ଟ ଜନପଥରେ ଥିବା କିଓସ୍କରୁ ରାଜସ୍ୱ ଆଦାୟ କରିବା ଆଦି । ତେବେ ବୈଠକକୁ ଦୀର୍ଘଦିନ ବିତି ଯାଇଥିଲେ ବି ଏ ଦିଗରେ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ । ସ୍ମାର୍ଟ କିଓସ୍କ ସେଭଳି ଅବ୍ୟବହୃତ ହୋଇ ପଡିଥିବାବେଳେ ବହୁତଳୀୟ ପାର୍କିଂସ୍ଥଳରେ ବି ରାଜସ୍ୱ ଆୟକାରୀ ବିଜ୍ଞାପନ ଫଳକ ଦେଖିବାକୁ ମିଳୁନାହିଁ ।
ଅନ୍ୟ ପକ୍ଷରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିର୍ମାଣ କରିଥିବା ଆଉ କିଛି ପ୍ରକଳ୍ପ ମଧ୍ୟ ଭାଙ୍ଗିରୁଜି ଗଲାଣି । ଏଥି ମଧ୍ୟରେ ବାଉଁଶରେ ତିଆରି ମେଡିଆନ, ସ୍ମାର୍ଟ ଶୌଚାଳୟ ଆଦି ରହିଛି । ବାଉଁଶ ବଦଳରେ ଷ୍ଟିଲ୍ ମେଡିଆନ ପାଇଁ ଯୋଜନା ଚାଲିଥିବାବେଳେ ସ୍ମାର୍ଟ ଶୌଚାଳୟର ପାଣି ଟ୍ୟାପ୍ ଠାରୁ ଶୀତତାପନିୟନ୍ତ୍ରିତ ଯନ୍ତ୍ର ସବୁକିଛି ଚୋରିହୋଇ ଗଲାଣି । ଏଗୁଡିକ ଏବେ ରାଜଧାନୀ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ରାଜ୍ୟ ସରକାର ନିକଟରେ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ମାର୍ଟ ସିଟିରେ ଏବେ ମୋଟ୍ ୩୪ଜଣ କର୍ମଚାରୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ସାଧାରଣ ପ୍ରବନ୍ଧକଙ୍କ ଠାରୁ ଆରମ୍ଭ କରି ସୁରକ୍ଷା ପ୍ରହରୀ ରହିଛନ୍ତି । ତେବେ ଅଧିକାରୀ ପାହ୍ୟାରେ ଥିବା ଅଧିକାଂଶ ବାବୁ ଏଠାରେ କ’ଣ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । କେନ୍ଦ୍ର ସରକାର ଇତି ମଧ୍ୟରେ ସ୍ମାର୍ଟସିଟି ଯୋଜନାକୁ ବନ୍ଦ କରିଥିବାବେଳେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ବନ୍ଦହୋଇ ଗଲାଣି । ଏବେ କେବଳ ନିର୍ମାଣ ହୋଇଥିବା ପ୍ରକଳ୍ପରୁ ଆୟ ରାଜସ୍ୱ ହିଁ ସ୍ମାର୍ଟସିଟିକୁ ଭରସା ପାଲଟିଛି । ଏଭଳି ସ୍ଥିତିରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆୟ ସୃଷ୍ଟି ପାଇଁ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନକରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । (ତଥ୍ୟ)

