ଭୁବନେଶ୍ୱର : ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ରେ ଖାଲି ପଡିଥିବା ଡାକ୍ତର ଓ ଅଣ ଡାକ୍ତର ପଦବୀ ସବୁ ପୂରଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । କେବଳ ସେତିକି ନୁହେଁ, ଯାତ୍ରୀମାନଙ୍କ ନିରାପଦ ଚିକିତ୍ସାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଆଖପାଖରେ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ବି ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନିଯୁକ୍ତି ଦିଆଯିବାର ଆବଶ୍ୟକତା ଅନୁଭୂତ ହେଉଛି ।
ଏହି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ବି ଏଠାରେ ଅଧ୍ୟୟନରତ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଏ ପରିପ୍ରେକ୍ଷୀରେ ମେଡିକାଲ୍ କଲେଜ୍ର ସ୍ୱତନ୍ତ୍ର କ୍ୟାମ୍ପସ୍ରେ ବିଭିନ୍ନ ବିଭାଗରେ ପର୍ଯ୍ୟାପ୍ତ ସଂଖ୍ୟକ ଶଯ୍ୟା ସହିତ ଡାକ୍ତରୀ ଶିକ୍ଷକମାନେ ନିଯକ୍ତି ପାଇଲେ ସ୍ୱାସ୍ଥ୍ୟ ସେବାଜନିତ ସମସ୍ୟା ଉପଶମ ହୋଇପାରିବ ।
ଏହି ମେଡିକାଲ୍ କଲେଜ୍ରେ ପ୍ରାୟ ୨୦ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡିଛି । ଏହାଛଡ଼ା ସିନିଅର ରେସିଡେଣ୍ଟ, ଜୁନିଅର ରେସିଡେଣ୍ଟ ଓ ଟ୍ୟୁଟର୍ ପଦବୀରେ ମଧ୍ୟ ୫୦ରୁ ଅଧିକ ସ୍ଥାନ ଖାଲି ପଡିଛି । କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ ହସ୍ପିଟାଲ ଲାଗି ୯୬ଟି ମଞ୍ଜୁରୀପ୍ରାପ୍ତ ପାରାମେଡିକ୍ସ ପଦବୀ ଥିବାବେଳେ ସେଥିରୁ ୯୦ରୁ ଅଧିକ ପଦବୀ ଖାଲି । ଉକ୍ତ ମେଡିକାଲ୍ କଲେଜ୍ରେ ମଧ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ କର୍ମଚାରୀ ନଥିବାରୁ ମୁଖ୍ୟତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନଙ୍କ ଉପରେ ଭରସା କରି ଏହି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ଚାଲୁଛି ।
ତେବେ ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ଯେ ଲୋକସେବା ଆୟୋଗ ମାଧ୍ୟମରେ ଡାକ୍ତରୀ ପଦବୀଗୁଡ଼ିକ ପୂରଣ ପାଇଁ ଉଦ୍ୟମ ଚାଲିଛି । ଏହାଛଡ଼ା ଅନ୍ୟ ସ୍ଥାନରୁ ଡେପୁଟେସନ୍ରେ କର୍ମଚାରୀ ଆଣି ଏବଂ କାମ ଚଳାଇବା ପାଇଁ ସ୍ଥଳ ବିଶେଷରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଇ ଉକ୍ତ ମେଡିକାଲ୍ କଲେଜ୍ରେ ଅଧ୍ୟାପନା ଓ ଚିକିତ୍ସା ଚାଲୁଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଥିବା ସରକାରୀ ମେଡିକାଲ୍ କଲେଜ୍ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଡାକ୍ତର, ବିଶେଷଜ୍ଞ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ରହିଛି । ଏସବୁ ପଦବୀ ପୂରଣ ଲାଗି ପ୍ରକ୍ରିୟା ଚାଲିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ । ଆଉ ଦୁଇମାସ ପରେ ରଥଯାତ୍ରା ହେବ । ଏବର୍ଷ ରଥଯାତ୍ରାରେ ପୂର୍ବ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଭକ୍ତ ସମାଗମ ହେବା ଆଶା କରାଯାଉଛି । ନିୟମିତ ନିଯୁକ୍ତି ପ୍ରକ୍ରିୟା ଯଦି ବିଳମ୍ବିିତ ହୁଏ ତେବେ ଅନ୍ୟ ଜିଲ୍ଲା ମେଡିକାଲ୍ କଲେଜ୍ରୁ ଡେପୁଟେସନ୍ରେ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ଆଣି କାମଚଳା ଯାଇପାରେ । ରଥଯାତ୍ରା ପୂର୍ବରୁ ଗୋଟିଏ ପରେ ଗୋଟିଏ ସମୀକ୍ଷା ବୈଠକ ଆୟୋଜନ କରାଯାଉଛି । ଏ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବେଳେ ବାସ୍ତବ ତଥ୍ୟ ଜଣାପଡିବ ବୋଲି କୁହାଯାଉଛି ।(ତଥ୍ୟ)

