ଭୁବନେଶ୍ୱର : ସରକାରୀ ତାଲିକାରେ ରାଜ୍ୟରେ ଦେଢ ହଜାରରୁ ସାମାନ୍ୟ ଅଧିକ ପାଥୋଲାବ୍ (ନିଦାନ କେନ୍ଦ୍ର) ଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା କିନ୍ତୁ ଢେର ଅଧିକ । ତେବେ ଏହିସବୁ ପରୀକ୍ଷାଗାରଗୁଡିକ କାହାଠାରୁ କେତେ ଅର୍ଥ ଆଦାୟ କରୁଛନ୍ତି ଓ କେଉଁ ପ୍ରକାର ରସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ତାହାର ତଦାରଖ ପ୍ରାୟତଃ ହେଉନାହିଁ ।
ରାଜ୍ୟରେ ଥିବା ପାଥୋଲାବ୍ ସଂକ୍ରାନ୍ତରେ ରାଜ୍ୟ ସରକାର ନିକଟରେ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ଏମାନଙ୍କ ସଂଖ୍ୟା ହେଉଛି ୧୫୮୭ । ଖୋରଧା ଜିଲ୍ଲାରେ ସର୍ବାଧିକ ୨୦୪ଟି ଥିବାବେଳେ କଟକ ଜିଲ୍ଲାରେ ୧୯୬ଟି ରହିଛି । ସେହିଭଳି ସମ୍ବଲପୁରରେ ୧୨୮, ଯାଜପୁରରେ ୧୨୧, ବଲାଙ୍ଗିରରେ ୧୧୬ ଟି ପାଥୋଲାବ୍ ରହିଛି । ସବୁଠାରୁ କମ୍ ମାତ୍ର ୪ଟି ପାଥୋଲାବ୍ ଗଜପତି ଜିଲ୍ଲାରେ ରହିଥିବାବେଳେ ସୋନପୁରରେ ଏହି ସଂଖ୍ୟା ୬ ରହିଛି ।
ତେବେ ସରକାରୀ ଖାତାରେ ଯେତିକି ପାଥୋଲାବ ରହିଛନ୍ତି ବାସ୍ତବ ସଂଖ୍ୟା କିନ୍ତୁ ତାହାଠାରୁ ଢେର ଅଧିକ ରହିଛି । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ହେଉ କିମ୍ବା କଟକର ଏସ୍ସିବି ହେଉ, ଏହାର ଆଖପାଖରେ ଥିବା ଛତୁଫୁଟା ପାଥୋଲାବ୍କୁ ଦେଖିଲେ ସେହିସବୁ ଜିଲ୍ଲାରେ ଏମାନଙ୍କ ସଂଖ୍ୟା କେତେ ଥିବ ତାହା ସହଜରେ କେହି ଆକଳନ କରିପାରିବ ।
ରାଜ୍ୟରେ ଏବେ ମଧୁମେଧ, ଥାଇରଏଡ, ରକ୍ତହୀନତା ସହିତ ଅନ୍ୟାନ୍ୟ ରୋଗ ପାଇଁ ସର୍ବପ୍ରଥମେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା ଆବଶ୍ୟକ ହେଉଥିବାରୁ ଗାଁ ଗହଳରେ ବି ଏଭଳି ପାଥୋଲାବ୍ ଖୋଲିବାରେ ଲାଗିଛି । ସରକାରୀ ଡାକ୍ତରଖାନା ଆଖପାଖରେ ତ ଏହି ସଂଖ୍ୟା ଢେର ଅଧିକ ।
ତେବେ ଏହିସବୁ ପାଥୋଲାବ୍କୁ କିଏ ପରିଚାଳନା କରୁଛନ୍ତି ? ଏଠାରେ ତାଲିମପ୍ରାପ୍ତ କର୍ମଚାରୀ ରହିଛନ୍ତି କି ନାହିଁ ? ଏହିସବୁ ପରୀକ୍ଷାଗାରରେ କେଉଁ ପ୍ରକାରର ରସାୟନିକ ସାମଗ୍ରୀ ବ୍ୟବହାର ହେଉଛି ? ଏହାର ତଦାରଖ ପ୍ରାୟତଃ କରାଯାଉ ନାହିଁ କି କରିବାପାଇଁ ବି ସରକାରଙ୍କ ନିକଟରେ ସେଭଳି ସାଧନ ନାହିଁ ।
ସରକାରୀ ଡାକ୍ତରଖାନାଗୁଡିକରେ ସମସ୍ତ ପ୍ରକାର ପରୀକ୍ଷା ମାଗଣାରେ ହେଉଥିବାବେଳେ ଭିଡ ଯୋଗୁଁ ଲୋକେ ଡାକ୍ତରଖାନା ଆଖପାଖରେ ଥିବା ଘରୋଇ ନିଦାନ କେନ୍ଦ୍ରକୁ ଯାଉଛନ୍ତି । ଏହାଛଡା ଘରୋଇ ନିଦାନ କେନ୍ଦ୍ରର ଏଜେଣ୍ଟମାନେ ମଧ୍ୟ ରୋଗୀମାନଙ୍କୁ ଫୁସୁଲା ଫୁସୁଲି କରି ନିଜ ନିଜ ପରୀକ୍ଷାଗାରକୁ ପଠାଉଛନ୍ତି । କେତେକ ସ୍ଥଳରେ ଡାକ୍ତରମାନେ ସବୁ ଜାଣୁଥିଲେ ବି ଆଖିବୁଜି ଦେଉଛନ୍ତି ?
ତେବେ ସବୁଠାରୁ ବଡ କଥା ହେଲା ଏହି ଘରୋଇ ନିଦାନକେନ୍ଦ୍ର ପାଇଁ ଯେଉଁ ପରୀକ୍ଷାର ଦର ଧାର୍ଯ୍ୟ ହୋଇନାହିଁ, ତେଣୁ ଯିଏ ଯେମିତି ପାରୁଛି ଅର୍ଥ ଆଦାୟ କରୁଛି ? କେତେକ କ୍ଷେତ୍ରରେ ରୋଗୀଙ୍କ ବିକଳିଆ ଅବସ୍ଥା ଦେଖି ଅଧିକ ଦର ମଧ୍ୟ କଷୁଛନ୍ତି ? ରାଜ୍ୟରେ ଏବେ କିଛି ଜାତୀୟ ସ୍ତରର ନିଦାନ କେନ୍ଦ୍ର ମଧ୍ୟ ନିଜ ନିଜର ଶଖା ଖୋଲିଛନ୍ତି । ଆଉ କିଛି ବଡ ବଡ ସଂସ୍ଥା ଅନଭିଜ୍ଞଙ୍କ ହାତରେ ବି ନିଜର ବ୍ରାଣ୍ଡ୍କୁ ଟେକି ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ମଧୁମେହ, ରକ୍ତହୀନତା, ଥାଇରଏଡ୍ ଭଳି ପରୀକ୍ଷା ଅତି ସାଧାରଣ ହୋଇଥିବା ଓ ସଂଖ୍ୟାଧିକ ଲୋକେ ନିୟମିତ ଭାବେ ଏହି ପରୀକ୍ଷା କରୁଥିବାରୁ ସରକାର ତୁରନ୍ତ ସରକାରୀ ନିଦାନ କେନ୍ଦ୍ରର କ୍ଷମତା ବୃଦ୍ଧି ସହିତ ଘରୋଇ ନିଦାନ କେନ୍ଦ୍ରଗୁଡିକ ଲାଗି ଦର ଧାର୍ଯ୍ୟ କରିବା ଜରୁରୀ ହୋଇ ପଡିଛି । ଏଥି ସହିତ ଘରୋଇ ନିଦାନକେନ୍ଦ୍ରଗୁଡିକରେ ବ୍ୟବହାର ଯନ୍ତ୍ରପାତି ଓ ରସାୟନିକ ସାମଗ୍ରୀର ନିୟମିତ ଯାଞ୍ଚ ପାଇଁ ମଧ୍ୟ ଦାବି ହେଉଛି । (ତଥ୍ୟ)

