Home Energy ହାତୀଙ୍କ ଯମ ବିଦ୍ୟୁତ୍‍ ବିଭାଗ

ହାତୀଙ୍କ ଯମ ବିଦ୍ୟୁତ୍‍ ବିଭାଗ

ଭୁବନେଶ୍ୱର : ହାତୀ ମାନଙ୍କର ଯମ ସାଜିଛି ବିଦ୍ୟୁତ୍‍ ବିଭାଗ । ଦେଢ ବର୍ଷ ମଧ୍ୟରେ ୪୨ ହାତୀ ବିଦ୍ୟୁତ୍‍ ଆଘାତରେ ମରିବାରୁ ଏହା ଜଳ ଜଳ ହୋଇ ଦିଶୁଛି ।

ରାଜ୍ୟରେ ହାତୀ ମୃତ୍ୟୁ ସଂକ୍ରାନ୍ତରେ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ଉଲ୍ଲେଖ କରାଯାଇଛି ଯେ ଗତ ଦେଢବର୍ଷ ମଧ୍ୟରେ ରାଜ୍ୟରେ ଶିକାରୀଙ୍କ ହାତରେ ୬ଟି ହାତୀ ମରିଥିବାବେଳେ ରେଳ ଦୁର୍ଘଟଣାରେ ୪ଟି, ରୋଗରେ ପଡି ୨୯ଟି, ପ୍ରାକୃତିକ ଭାବେ ୧୭ଟି, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ୩ ଏବଂ ପାହାଡରୁ, ନଦୀନାଳରେ ପଡି, ନିଜ ଭିତରେ ଲଢେଇ ଆଦି କାରଣରୁ ୧୩ଟି ହାତୀ ମରିଥିବାବେଳେ ବିଦ୍ୟୁତ୍‍ ଆଘତରେ ମରିଛନ୍ତି ସର୍ବାଧିକ ୪୨ଟି ହାତୀ ।

ତେବେ ରାଜ୍ୟରେ ବିଦ୍ୟୁତ୍‍ ଆଘାତରେ ହାତୀମାନେ ଯେଭଳି ନମରନ୍ତି ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉଭୟ ରାଜ୍ୟ ସରକାର ଓ ବିଦ୍ୟୁତ୍‍ ବିଭାଗ ମାରମ୍ବାର କହୁଥିବାବେଳେ ଏତେ ସଂଖ୍ୟକ ହାତୀ ବିଦ୍ୟୁତ୍‍ ଆଘାତରେ ମରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଙ୍ଗଲ ଭିତରେ ଥିବା ବିଦ୍ୟୁତ୍‍ ଖୁଣ୍ଟଗୁଡିକୁ ସୁଉଚ୍ଚ କରିବା ସହିତ ସେଠାରେ ଇନସୁଲୁଟେଡ ତାର ଟାଣିବାପାଇଁ ମଧ୍ୟ ଅର୍ଥ ଖର୍ଚ୍ଚ ହେଉଛି । ହାତୀଙ୍କ ଚଳ ପ୍ରଚଳକକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‍ କାଟ୍‍ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦା କରାଯାଇଛି ।

ହାତୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଓ ବିଦ୍ୟୁତ୍‍ ବିଭାଗ ମଧ୍ୟରେ ବାରମ୍ବାର ବୈଠକ ଅନୁଷ୍ଠିତ ହେବା ସହିତ ହାତୀମାନେ କିଭଳି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ନଆସିବେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା କଥା ଦର୍ଶାଯାଉଥିଲେ ବି ହାତୀ ମୃତ୍ୟୁରେ ରୋକ୍‍ ଲାଗି ପାରୁନାହିଁ । ଶିକାରୀମାନଙ୍କ ସହିତ ଗାଁ ଗହଳର ଲୋକେ ବି ବିଦ୍ୟୁତ୍‍ ଆଘାତ ଦେଇ ହାତୀମାନଙ୍କୁ ମାରୁଥିବା କେତେକ ସ୍ଥାନରେ ଲକ୍ଷ୍ୟ କରାଯାଉଛି ।

ଉଲ୍ଲେଖନୀୟ ଯେ ଅପ୍ରାକୃତିକଭାବେ ମୃତ୍ୟୁ ବରଣ କରିଥିବା ହାତୀମାନଙ୍କ ପାଇଁ ୯୩ ଜଣଙ୍କୁ ଗିରଫ ସହିତ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ମଧ୍ୟରେ କିଛି ଶିକାରୀ ରହିଥିବାବେଳେ ବିଭିନ୍ନ ଉପାୟରେ ହାତୀଙ୍କୁ ମାରୁଥିବା ଲୋକେ ବି ରହିଛନ୍ତି ।

ହାତୀ ମୃତ୍ୟୁକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରୁଥିବାବେଳେ ରାଜ୍ୟରେ ଏତେ ସଂଖ୍ୟକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତୁରନ୍ତ ଏହାର ପ୍ରତିକାର କରାନଗଲେ ହାତୀମାନେ ଯେଭଳି ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛି ସେଥିଯୋଗୁଁ ଆହୁରି ଅଧିକ ହାତୀ ବିଦ୍ୟୁତ ଆଘାତରେ ମରିବେ ବୋଲି ପଶୁ ସୁରକ୍ଷା କର୍ମୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)