ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଋଣ ଦେବାରେ ଏବେ ବାଧକ ସାଜିଛି ବ୍ୟାଙ୍କ୍ମାନେ ପ୍ରଦାନ କରିଥିବା ପୁରୁଣା ଋଣ । ଯେଉଁମାନଙ୍କ ପରିବାର ନାଁରେ ପୁରୁଣା ଋଣ ଗଡୁଛି ସେମାନଙ୍କ ଅର୍ଥ ସ୍ୱୟଂ ସହାୟିକା ଗୋଷ୍ଠି ଋଣରୁ ସୁଝିବାପାଇଁ କିଛି ବ୍ୟାଙ୍କ୍ ବାଧ୍ୟ କରିବାରୁ ମହିଳାମାନେ ସହଜରେ ଋଣ ପାଇ ପାରୁନାହାନ୍ତି ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ଋଣ ପ୍ରଦାନ କରି ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବା ସହିତ ଋଣର ସୁଧ ଅର୍ଥ ରାଜକୋଷରୁ ପ୍ରଦାନ କରୁଛନ୍ତି । ଏଥିଯୋଗୁଁ ବ୍ୟାଙ୍କ୍ମାନେ ସହଜରେ ସ୍ୱୟଂ ସହାୟିକା ଗୋଷ୍ଠିକୁ ଋଣ ପ୍ରଦାନ କରିଥାନ୍ତି ।
ହେଲେ କିଛି ଦିନ ହେଲା ବ୍ୟାଙ୍କ୍ଗୁଡିକ ସେମାନଙ୍କ ଠାରୁ ପୁରୁଣା ଋଣ ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ସହିତ ସେମାନଙ୍କ ଘରର ମହିଳମାନେ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ ଥିଲେ ସେମାନଙ୍କ ଜରିଆରେ ଋଣ ଅର୍ଥ ଆଦାୟ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅର୍ଥାତ୍ ସ୍ୱୟଂ ସହାୟିକା ଗୋଷ୍ଠି ଯେଉଁ ଋଣ ନେବେ ଓ ସେଥିରୁ ସମ୍ପୃକ୍ତ ମହିଳା ସଦସ୍ୟାଙ୍କର ଯେତିକି ଭାଗ ପଡିବ ସେହି ଅର୍ଥକୁ ପୁରୁଣା ଋଣ ସୁଝିବା ବାବଦରେ ନେଇଯିବ । ଏହା ଫଳରେ ଋଣ ପରିଶୋଧ କରୁନଥିବା ବହୁ ମହିଳା ଏବେ ଗୋଷ୍ଠି ଠାରୁ ଅଲଗା ହେବାରେ ଲାଗିଛନ୍ତି ।
ଏଥିପାଇଁ ହଠାତ୍ ଜଣେ ଜଣେ ମହିଳା ଗୋଷ୍ଠି ଛାଡି ଦେଉଥିବାରୁ ସ୍ୱୟଂ ସହାୟିକା ଗୋଷ୍ଠିକୁ ମିଳିବାକୁ ଥିବା ଋଣ ମଞ୍ଜୁରରେ ବିଳମ୍ବ ହେଉଛି । ନୂତନ ସଦସ୍ୟା ଯୋଗଦେବା ପରେ ମହିଳାମାନେ ଋଣ ନେବାକୁ ବାଧ୍ୟ ହେଉଛନ୍ତି ।
ସେହିଭଳି ବ୍ୟାଙ୍କ୍ମାନେ ଦେଉଥିବା ଋଣ କିଭଳି କାର୍ଯ୍ୟରେ ଲାଗୁଛି ଓ ମହିଳାମାନେ କେତେ ପରିମାଣରେ ଆତ୍ମନିର୍ଭରଶୀଳ ହେଉଛି ତାହା ବ୍ୟାଙ୍କ୍ମାନେ ତଦାରଖ କରିବା ବଦଳରେ ସେମାନେ ଦେଉଥିବା ଋଣ କିଭଳି ଆଦାୟ ହେବ ତାହା ଉପରେ ଜୋର ଦେଉଛନ୍ତି । ମହିଳା ଗୋଷ୍ଠିର ସମସ୍ତ ସଦସ୍ୟାଙ୍କୁ ଡାକି ସେମାନେ କିଭଳି ଋଣ ସୁଝିବେ ତାହା ପଚାରି ବୁଝିବାପରେ ଋଣ ମଞ୍ଜୁର କରୁଛନ୍ତି ।
ଫଳରେ ମହିଳାମାନେ ଋଣ ଟଙ୍କାରେ ଆତ୍ମନିର୍ଭରଶୀଳ ହେବା ବଦଳରେ ଗାଁ ଗହଳର ଜଣେ ଜଣେ ଛୋଟ କାଟିଆ ମହାଜନ ପାଲଟୁଛନ୍ତି । ଗୋଷ୍ଠି ପାଉଥିବା ସୁଧ ବିହୀନ ଋଣ ଅର୍ଥକୁ ବିଭିନ୍ନ ଲୋକଙ୍କୁ ଦେଇ ସୁଧ ଆଦାୟ କରୁଛନ୍ତି । ଏପରିକି ଗୋଷ୍ଠିର ମହିଳାମାନେ ନେଉଥିବା ଅର୍ଥ ସହିତ ସୁଧ ମିଶାଇ ବ୍ୟାଙ୍କ୍ରେ ଜମା କରୁଛନ୍ତି । ବ୍ୟାଙ୍କ୍ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ସୁଧ ଅର୍ଥ ପାଇବାପରେ ମହିଳମାନେ ଋଣ ଅର୍ଥ ସହିତ ଜମା କରିଥିବା ଅତିରିକ୍ତ ଅର୍ଥକୁ ସେମାନଙ୍କ ଖାତାରେ ଜମା କରୁଛନ୍ତି ।
ବ୍ୟାଙ୍କ୍ଗୁଡିକର ଏଭଳି ମନୋଭାବ ଏବେ ଗାଁ ଗହଳରେ ମହିଳାମାନଙ୍କୁ କେବଳ ହତୋତ୍ସାହିତ କରୁନାହିଁ, ସରକାର ଯେଉଁ ଉଦ୍ଦେଶ୍ୟରେ ବିନା ସୁଧରେ କୋଟି କୋଟି ଟଙ୍କାର ଋଣ ଯୋଗାଇ ଦେଉଛନ୍ତି ତାହା ଅଧିକାଂଶ ସ୍ଥାନରେ ଠିକଣା ଭାବେ ବିନିଯୋଗ ହେଉନାହିଁ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଦେଉଥିବା ଋଣ ଅର୍ଥ ଆଦାୟ ଚକ୍କରରେ ରହୁଥିବାବେଳେ ବ୍ୟବସାୟ କରି ରିସ୍କ ନେବା ବଦଳରେ ଋଣ ଅର୍ଥକୁ ସୁଧ ଲଗାଇବାପାଇଁ ମହିଳା ଗୋଷ୍ଠି ଅଧିକ ଭାବେ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)

