ଭୁବନେଶ୍ୱର : ରାଜ୍ୟରେ ମୋଟ୍ ୧୧୨୦ ଟି ଗ୍ରାମ ପଞ୍ଚାୟତକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ସ୍ୱଚ୍ଛ ପାୀନୟ ଜଳ ଯୋଗାଇ ଦିଆଯାଉଛି । ଅବଶିଷ୍ଟ ଗ୍ରାମ ପଞ୍ଚାୟତଗୁଡିକରେ ପାନୀୟଜଳ ପ୍ରକଳ୍ପକାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି ।
ପଞ୍ଚାୟତରେ ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ନିର୍ମାଣଧିନ ପ୍ରକଳ୍ପଗୁଡିକ ପର୍ଯ୍ୟାୟକ୍ରମେ ୨୦୨୭ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମାପ୍ତ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୬୮୦୦ଟି ପଞ୍ଚାୟତ ମଧ୍ୟରୁ ୧୧୨୦ ପଞ୍ଚାୟତରେ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇଛି । କନ୍ଧମାଳ ଜିଲ୍ଲାରେ ମାତ୍ର ଦୁଇଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ବଲଙ୍ଗିର, ଓ ରାୟଗଡା ଜିଲ୍ଲାରେ ୩ଟି କରି, ସମ୍ବଲପୁର ଜିଲ୍ଲାରେ ୪ଟି ଓ ନୟାଗଡ ଜିଲ୍ଲାରେ ୬ଟି ପଞ୍ଚାୟତରେ ଏହା ସମ୍ପୂର୍ଣ୍ଣ ହୋଇଛି । ଝାରସୁଗୁଡା ଜିଲ୍ଲାରେ ମୋଟ୍ ୭୮ଟି ପଞ୍ଚାୟତ ମଧ୍ୟରୁ ୨୩ଟି ପଞ୍ଚାୟତକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

