Home News in Odia ଚାଷୀଙ୍କ ସବୁ କ୍ରୟଯୋଗ୍ୟ ଧାନ ଉଠାଯିବ

ଚାଷୀଙ୍କ ସବୁ କ୍ରୟଯୋଗ୍ୟ ଧାନ ଉଠାଯିବ

ଭୁବନେଶ୍ୱର  : ବିଧାନସଭାରେ ଚାଷୀଙ୍କ ସମସ୍ୟା ଓ ସମାଧାନ ନେଇ ସାରଗର୍ଭକ ଆଲୋଚନା ହେବ ବୋଲି ରାଜ୍ୟର ଲକ୍ଷାଧିକ ଚାଷୀ ଆଶା କରିଥିଲେ। ହେଲେ ବିରୋଧୀ ଦଳ ରାଜନୀତି ପାଇଁ ବଜେଟ ଅଧିବେଶନ ଆରମ୍ଭରୁ ଗୃହକୁ ଅଚଳ କରିଛି। ଚାଷୀଙ୍କ ଉପରେ ଜାଣିଶୁଣି ଆଲୋଚନା କରୁନାହିଁ। ବିରୋଧୀ ଦଳ ଉପରେ ଆଜି ସାଧାରଣ ବଜେଟ ଆଲୋଚନାର ଉତ୍ତର ଦେଇ ଏଭଳି କହିଛନ୍ତି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଚାଷୀଙ୍କ ସବୁ ସମସ୍ୟା ସମାଧାନ କରାଯିବ ଏବଂ ସବୁ ଯୋଗ୍ୟ ଚାଷୀଙ୍କ ସବୁ କ୍ରୟଯୋଗ୍ୟ ସବୁ ଧାନକୁ ଉଠାଯିବ।

ମୁଖ୍ୟ ବିରୋଧୀ ଦଳ ବିଜେଡି ଆଜି କକ୍ଷତ୍ୟାଗ କରି ବିଧାନସଭା ସମ୍ମୁଖରେ ଚାଷୀ ସମାବେଶ କରିଥିବା ବେଳେ ଗୃହ ଭିତରେ ବଜେଟ ଆଲୋଚନା ହୋଇଥିଲା ଆଉ ମୁଖ୍ୟମନ୍ତ୍ରୀ ତାର ଉତ୍ତର ମଧ୍ୟ ରଖିଥିଲେ। ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ବିରୋଧୀ ବିଜେଡି ଉପରେ ବର୍ଷିବା ସହ କଂଗ୍ରେସକୁ ମଧ୍ୟ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସର ଆଚାର ବିଚାର ଉପରେ ସେ ଆଶ୍ଚର୍ଯ୍ୟ ନୁହଁନ୍ତି। ଏହି ବିଧାନସଭାରେ ତାଙ୍କ ଦଳର ବରିଷ୍ଠ ବିଧାୟକମାନେ ଖୁଚୁରା ଟଙ୍କା ଆଣିବା ଓଡିଶାବାସୀ ଦେଖିଛନ୍ତି। ଘଣ୍ଟ, ଘଣ୍ଟା, ଗିନି ଖଞ୍ଜଣି ବି ବିରୋଧ ନାଁରେ ବାଡେଇଛନ୍ତି। ଦିଲ୍ଲୀ ଏଆଇ ଇମ୍ପାକ୍ଟ ସମିଟରେ ସେମାନେ ଯେଉଁ ନଗ୍ନ ପ୍ରଦର୍ଶନ କଲେ, ତାହା ମଧ୍ୟ ଗଣତନ୍ତ୍ରରେ ଶୋଭା ପାଏନାହିଁ । ତାହା ଦେଖି ତାଙ୍କର ଆଚାର ବିଚାର ସଂପୂର୍ଣ୍ଣ ରୂପେ ଆକାଂକ୍ଷିତ ବୋଲି ସେ କହିଛନ୍ତି।

ଗତ ୧୭ ତାରିଖରୁ ଚାଷ ଓ ଚାଷୀଙ୍କ ନାଁରେ ବିଧାନସଭା ଭିତରେ ଓ ବାହାରେ ନିଚ୍ଛକ ରାଜନୀତି ଚାଲିଛି। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦୨୬-୨୭ବଜେଟରେ ୪୨ ହଜାର ୪୯୩କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୨.୩ ପ୍ରତିଶତ ଅଧିକ। ଧାନ ସଂଗ୍ରହ ପ୍ରକ୍ରିୟା ସହ ଚାଷୀମାନଙ୍କୁ ତାଙ୍କ ପାଉଣା ଠିକଣା ସମୟରେ ଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆବର୍ତ୍ତନ ପାଣ୍ଠିକୁ ୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବର୍ତ୍ତନ ପାଣ୍ଠିର ଆକାର ଥିଲା ୨ହଜାର କୋଟି। ଏହାସହ ଆସନ୍ତା ୩ବର୍ଷରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଅଛି। ବିରୋଧୀ ଦଳର ବିଧାୟକମାନେ ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ବିଜେଡି ରାଜ୍ୟରେ ଶାସନରେ ଥିବା ବେଳେ ସଂସଦରେ ତାଙ୍କ ସାଂସଦମାନେ କେବେ ବି ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିନଥିଲେ। ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଏକଦା ପ୍ରଶଂସା କରିଥିଲେ। କିନ୍ତୁ ଏବେ ରାଜ୍ୟବାସୀ ତାଙ୍କୁ ଶାସନଭାରରୁ ହଟାଇ ଦେବାରୁ ସେମାନଙ୍କ ନୀତି ବଦଳିଯାଇଛି। ସାରା କୃଷକ ସମାଜ ସେମାନଙ୍କ ଉପରେ ଆଲୋଚନା ପାଇଁ ଅପେକ୍ଷା କରିଥିଲା। ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଁ ସେମାନେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ନିର୍ଯ୍ୟାସ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ, ମୁଖ୍ୟ ବିରୋଧୀଦଳ ଚାଷୀଙ୍କ ନାଁରେ ନିଚ୍ଛକ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆକ୍ଷେପ କରିଛନ୍ତି।

ମୁଖ୍ୟ ବିରୋଧୀ ଦଳ ବାରମ୍ବାର ଚାଷ ଓ ଚାଷୀଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଯଦି ବିଜେଡି ସରକାର କୃଷି ପାଇଁ ଏତେ ଭଲ କାମ କରିଥିଲେ ତେବେ ସେମାନଙ୍କ ଶାସନରେ ଚାଷୀଙ୍କ ଆୟ ସାରା ଦେଶରେ ଶେଷ ଆଡୁ ଦ୍ଵିତୀୟ କାହିଁକି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ୨୪ ବର୍ଷ ଶାସନ କରି ସେମାନେ କୃଷକ ପରିବାରର ଆୟରେ ବୃଦ୍ଧି କରି ପାରିଲେ ନାହିଁ। ଆମ ସରକାର ୨୪ମାସରୁ ବି କମ ସମୟ ଭିତରେ ପ୍ରତି ପରିବାରର ଆୟ ଅତି କମରେ ବାର୍ଷିକ ୩୩ ହଜାର ଟଙ୍କାରୁ ଅଧିକ କରିବାରେ ସମର୍ଥ ହୋଇଛି। ଚାଷୀଙ୍କୁ ୧୦୦ ଟଙ୍କା ବୋନସ କାହିଁକି ଦେଲେନାହିଁ ବୋଲି ପ୍ରଶ୍ନ କଲେ ବିଜେଡି ନେତାମାନେ କେନ୍ଦ୍ର ଆଡକୁ ଦୋଷ ଠେଲି ଦେଉଛନ୍ତି। ଯଦି, ଏହା ସତ ତେବେ ଛତିଶଗଡର କଂଗ୍ରେସ ସରକାର କିପରି ଭାବେ ବର୍ଦ୍ଧିତ ଇନପୁଟ ସବସିଡି ଦେଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୪ ବର୍ଷର ସରକାରଙ୍କ ଚାଷୀଙ୍କ ପ୍ରତି କୌଣସି ଦରଦ ନଥିଲା, କେବଳ ମିଛରେ ଲୁହ ଗଡାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି।

ବଜେଟ ଉପରେ ଆଲୋକପାତ କରିବାକୁ ଯାଇ ସେ କହିଛନ୍ତି ଏହା କେବଲ ଆୟବ୍ୟୟର ହିସାବ ନୁହେଁ, ଏହା ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଲୋକଙ୍କୁ ନ୍ୟାୟ ଓ ବିକାଶର ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ବଜେଟ ପ୍ରସ୍ତୁତ ହୋଇଛି। କେନ୍ଦ୍ର ବଜେଟରେ ମଧ୍ୟ ଓଡିଶାକୁ ଗୁରୁତ୍ବ ଦିଆଯାଇଛି। ପଚାଶ ବର୍ଷଧରି ପଶ୍ଚିମ ଓଡିଶାବାସୀଙ୍କ ସ୍ଵପ୍ନ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ବୋଧହୁଏ ଏବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ ଏହା ପୂର୍ଣ୍ଣକ୍ଷମ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିସହିତ ଚଳିତ ବଜେଟରେ ତାଳଚେର, ଅନୁଗୁଳ, ପାରାଦୀପ ଏବଂ ଧାମରା ମଧ୍ୟରେ ଆଭ୍ୟନ୍ତରୀଣ ଜଳ ପରିବହନକୁ ବୃଦ୍ଧି କରି ବନ୍ଦରଭିତ୍ତିକ ବିକାଶକୁ ତ୍ଵରାନ୍ଵିତ କରାଯିବ। ରାଜ୍ୟ ପାଇଁ ୧୫ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ସହିତ ପ୍ରାୟ ୪ଶହ  କିଲୋମିଟର ନୂତନ ସଡ଼କ ଏବଂ ଜାତୀୟ ରାଜପଥର ଉନ୍ନତି ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିଭଳି ସହହର ରୂପାନ୍ତରଣ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ନଗର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି। ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଡାଲଖାଇ ନାମକ ଏକ ନୂତନ ପ୍ରୟାସର ପ୍ରସ୍ତାବ ରହିଅଛି। ‘ରାଜ୍ୟ ଏଆଇ ମିଶନ’ ଜରିଆରେ ଏଆଇକୁ ଶାସନ ଏବଂ ସେବା ବିତରଣରେ ଏକୀକରଣ କରିବା ଦିଗରେ ବିଭାଗଗୁଡିକୁ ସାହାଯ୍ୟ କରିବ। ଏହା ଶାସନ ବ୍ୟବସ୍ଥାର ଦକ୍ଷତା, ସଠିକତା ଏବଂ ସଂବେଦନଶୀଳତା ବୃଦ୍ଧି ପାଇଁ ଜରୁରୀ । ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଫଳରେ ଓଡିଶା ଆଗାମୀ ଦିନରେ ‘ସେମିକଣ୍ଡକ୍ଟର କ୍ୟାପିଟାଲ’ ହେବାକୁ ଯାଉଛି ବୋଲି ସେ କହିଛନ୍ତି।  କେବଳ ସେମିକଣ୍ଡକ୍ଟର ନୁହେଁ, ବର୍ତ୍ତମାନ ଓଡିଶାରେ ଏକ ପ୍ରକାର ଶିଳ୍ପ ବିପ୍ଲବ ଚାଲିଛି। ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ‘ଫାର୍ମା କ୍ୟାପିଟାଲ’ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାର ସ୍ଥାନକୁ ଆହୁରି ଦୃଢ କରିବାକୁ ଏ ବଜେଟରେ ୧ହଜାର ୨୩ କୋଟିର ବ୍ୟବସ୍ଥା କରାଯାଇଛି। ସରକାର ରାଜ୍ୟର ସବୁ ଗାଁକୁ ବିଜୁଳି, ସଡକ ଓ ପାନୀୟ ଜଳ ଯୋଗାଣ ପାଇଁ ‘ମିଶନ ପାୱାର’ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା ଏକ ନିଶ୍ଚିତ ସମୟ ସୁଦ୍ଧା ସମସ୍ତ ଗ୍ରାମକୁ ଏହି ସବୁ ମୌଳିକ ସୁବିଧା ଯୋଗାଇ ଦିଆଯିବ।