ଭୁବନେଶ୍ୱର : ରାଜଧାନୀରେ ଶକ୍ତି ପ୍ରର୍ଦଶନ କରିଛି ବିଜେଡି । ଚାଷୀ ଓ ଆଇନ ଶୃଙ୍ଖଳା ଭଳି ସଂଗୀନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ଦଳ। ଚାଷୀଙ୍କୁ ସରକାର ଅଣଦେଖା କରୁଥିବାରୁ ଦଳ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ମତ ରଖିଛନ୍ତି।
ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ। ସରକାର କାହାଣୀରେ ଚାଲେନି, କାମ ଦରକାର। ଲୋକ ସେବା ଚାହାଁନ୍ତି, ନେତାଙ୍କ ପ୍ରବଚନ ନୁହେଁ। ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭକର୍ଣ୍ଣ ନିଦ ହଜେଇଦେବ ବୋଲି ନବୀନ ଚେତାବନୀ ଦେଇଛନ୍ତି।
ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି। ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କୌଣସି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ। ହେଲେ କିଛି ମିଳିଲା ନାହିଁ। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କଣ କରୁଛି କଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି। ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି। ନିର୍ବାଚନ ପ୍ରତିଶୃତି ରକ୍ଷା କରିବାକୁ ବିଜେଡି ଅନୁରୋଧ କରିଥିଲା। ଏଥିସହ କଟନୀ ଛଟନି ବନ୍ଦ କରିବାକୁ ଦାବି କରିଥିଲୁ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ ବୋଲି ସେ କହିଛନ୍ତି।
ମିଲର ଓ ସରକାର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି । ୪୮ଘଣ୍ଟାରେ ଚାଷୀଙ୍କୁ ଧାନ କିଣା ବାବଦ ଅର୍ଥ ସିଧାସଳଖ ଆକାଉଣ୍ଟକୁ ଦିଆଯାଉ। ଟୋକନ ଦେବାର ୭୨ ଘଣ୍ଟାରେ ଧାନ କିଣାଯାଉ ବୋଲି ନବୀନ କହିଛନ୍ତି। ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ। ବିଧାନସଭାରେ ବିଜେଡି ଚାଷୀଙ୍କ ପାଇଁ ସ୍ୱର ଉଠାଉଛି ହେଲେ ସରକାରଙ୍କ ଚାଷୀ ପାଇଁ ଖାତିର ନାହିଁ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। କୌଣସି ସରକାରୀ ପରୀକ୍ଷା କରି ପାରୁନି ରାଜ୍ୟ ସରକାର। ରୋଜଗାର ନାହିଁ, ଖାଲି ଜୟ କିଷାନ କହୁଛନ୍ତି ହେଲେ ଚାଷୀ ପାଉଛି କଣ ବୋଲି ସେ ପଚାରିଛନ୍ତି।
ସମାବେଶରେ ଦଳର ବହୁ ବରିଷ୍ଠ ନେତା ଯୋଗଦେଇ ସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଉପରେ ବର୍ଷିଚନ୍ତି। ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି। ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି, ନିର୍ଯାତନା ଦିଆଯାଉଛି। ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ କଟାଯାଇଥିବା ବିଜେଡି ଅଭିଯୋଗ କରିଛି। ଏସବୁର ପ୍ରତିବାଦରେ ଆଜି ବିରାଟ ସମାବେଶ କରିଛି ବିଜେଡି। କଟନୀ ଛଟନୀ ବନ୍ଦ ପାଇଁ ସ୍ବତନ୍ତ୍ର ସ୍ବାର୍ଡ କରାଯାଉ, ଇନପୁଟ ସବସିଡିରୁ ୧୫୦ କ୍ବିଣ୍ଟାଲ ସୀମା ଉଠାଯାଉ, ଖୋଲାରେ ପଡିଥିବା ଧାନ ୭୨ ଘଣ୍ଟାରେ ଉଠାଯାଉ ବୋଲି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଭିତରେ ୧୫ ଦିନ ବିତିଲାଣି, କିଛି ବି ହୋଇନି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ବରିଷ୍ଠ ନେତା ଦେବୀ ମିଶ୍ର, ସଂଜୟ ଦାସବର୍ମା, ବିଧାୟକ ଅରୁଣ ସାହୁ, ପ୍ରଦାପ ଦେବ, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁକ ସରକାରଙ୍କ ଉପରେ ବର୍ଷିଥିଲେ।

