Home News in Odia ଏଥର ଅଣଓଡ଼ିଆ ପ୍ରାର୍ଥୀ କିଏ?

ଏଥର ଅଣଓଡ଼ିଆ ପ୍ରାର୍ଥୀ କିଏ?

ଭୁବନେଶ୍ୱର : ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୬ଜଣ ଅଣ ଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଯାଇଥିବାବେଳେ ଜଣେ ଓଡ଼ିଆଙ୍କୁ ଅନ୍ୟ ଦୁଇଟି ରାଜ୍ୟରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ୨୦୨୬ର ରାଜ୍ୟସଭା ନିର୍ବାଚନରେ ଯେଉଁ ୪ଟି ଆସନ ପାଇଁ ନିର୍ବାଚନ ହେବାର ଅଛି ସେଥିରେ ଓଡ଼ିଶା ବାହାରର କିଛି ପ୍ରାର୍ଥୀଙ୍କୁ ପଠାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ରାଜ୍ୟସଭା ଗଢ଼ାଯିବା ପରେ ୫୦ ଦଶକରେ ଶୈଳବାଳା ଦାସଙ୍କୁ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ କରାଯାଇଥିଲା । ଶୈଳବାଳାଙ୍କ ମାତା-ପିତା ବଙ୍ଗୀୟ ହୋଇଥିଲେ ମଧ୍ୟ ତାଙ୍କ ମାତାଙ୍କ ମୃତ୍ୟୁ ପରେ ସେ ଓ ତାଙ୍କ ସାନଭଉଣୀ ଉତ୍କଳ ଗୌରବ ମଧୁସୂଦନଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ସେ ମଧୁବାବୁଙ୍କ ପୋଷ୍ୟା କନ୍ୟା ହେବାପରେ ତାଙ୍କର ସାଙ୍ଗିଆ ହାଜରାରୁ ବଦଳି ଦାସ ହୋଇଥିଲା । ତେବେ ଉତ୍କଳ ସମ୍ମିଳନୀ ଭଳି ବହୁ ଅନୁଷ୍ଠାନ ସହ ଶୈଳବାଳା ଜଡ଼ିତ ଥିବା ଏବଂ ଓଡ଼ିଶାରେ ନାରୀଶିକ୍ଷା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିବାରୁ ବସ୍ତୁତଃ ତାଙ୍କୁ ଓଡ଼ିଆଣୀ ଭାବେ ଗ୍ରହଣ କରାଯାଇଥିଲା ।

ଓଡ଼ିଶାରେ କଂଗ୍ରେସ ସରକାର ଥିବାବେଳେ ୮୦ ଦଶକରେ ନିଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା କେରଳ ନିବାସୀ କେ.ଭି. ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପଠାଯାଇଥିଲା । ସେହିଭଳି ୯୦ ଦଶକରେ ରାଜ୍ୟରେ ଜନତା ଦଳ ସରକାର ଥିବାବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‍.ଆର. ବୋମାଇଙ୍କୁ ମଧ୍ୟ ରାଜ୍ୟସଭା ସଦସ୍ୟ କରାଯାଇଥିଲା ।

୨୦୦୦ ମସିହାରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବାବେଳେ ଆଉ ଦୁଇଜଣ ଅଣ ଓଡ଼ିଆଙ୍କୁ ବିଜେପି ଟିକେଟ୍‍ରେ ରାଜ୍ୟସଭା ପଠାଯାଇଥିଲା । ଏମାନେ ହେଲେ ବଲବୀର ପୁଞ୍ଜ ଓ ଛତ୍ରପାଲ୍‍ ସିଂହ । ପରବର୍ତ୍ତୀ ସମୟରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ଅଭିଯୋଗରେ ଅନ୍ୟମାନଙ୍କ ସହ ଛତ୍ରପାଲ୍‍ ସିଂହଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା ଯାହା ଓଡ଼ିଶା ପାଇଁ ଏକ ଅପମାନଜନକ ବାତାବରଣ ସୃଷ୍ଟି କରିଥିଲା ।

ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବଙ୍କ ପୂର୍ବଜ ରାଜସ୍ଥାନରେ ମୂଳ ବାସିନ୍ଦା । ଜଣେ ଅଣ ଓଡ଼ିଆ ସର୍ବଭାରତୀୟ ସେବାର ଅଧିକାରୀ ଭାବେ ଶ୍ରୀ ବୈଷ୍ଣବଙ୍କୁ ଓଡ଼ିଶା କ୍ୟାଡର୍‍ ମିଳିଥିଲା ଏବଂ କଟକ, ବାଲେଶ୍ୱରର ଜିଲ୍ଲାପାଳ ସମେତ ରାଜ୍ୟ ପ୍ରଶାସନର ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିଥିଲେ । ଶ୍ରୀ ବୈଷ୍ଣବଙ୍କୁ ବିଜେପି ବିଜେଡି ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲା ।

ବର୍ତ୍ତମାନର ସମ୍ବଲପୁର ଲୋକସଭା ସଦସ୍ୟ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଏକମାତ୍ର ଓଡ଼ିଆ ଯାହାଙ୍କୁ ବିହାର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରୁ ରାଜ୍ୟସଭାକୁ ଦୁଇଥର ବିଜେପି ପଠାଇଥିଲା । ସେତେବେଳେ ଧର୍ମେନ୍ଦ୍ର କେନ୍ଦ୍ର ସରକାରରେ ପେଟ୍ରୋଲିୟମ, ଦକ୍ଷତା ବିକାଶ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ଏବେ ଲୋକସଭା ସଦସ୍ୟ ଭାବେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରହିଛନ୍ତି ।

୨୦୨୬ର ରାଜ୍ୟସଭା ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଯାଉଛି । ବିଭିନ୍ନ ରାଜ୍ୟର ୩୭ଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବାର ଅଛି । ଏଥିରେ ଓଡ଼ିଶାର ୪ଟି ଆସନ ସଂପୃକ୍ତ । ବିଧାନସଭାରେ ବିଭିନ୍ନ ରାଜନୈତିକ ଦଳର ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନ ସହଜରେ ହାତେଇ ନେବା ସମ୍ଭାବନା ଥିବାବେଳେ ଚତୁର୍ଥ ଆସନ ଲାଗି କଳ୍ପନା ଜଳ୍ପନା ଚାଲିଛି । ଏଥିଲାଗି ବିଜେପିର ରାଜ୍ୟସ୍ତରୀୟ ବହୁ ନେତା ଆଗ୍ରହୀ ଥିବାବେଳେ ଓଡ଼ିଶା ବାହାରର ଆଉ କିଛି ନେତାଙ୍କ ନାମ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।(ତଥ୍ୟ)