ଭୁବନେଶ୍ୱର : ରାଜ୍ୟରେ ରୋଗୀ ପରିବହନ ପାଇଁ ମୋଟ୍ ୮୬୦ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବାବେଳେ ଗତ ଦୁଇବର୍ଷ ମଧ୍ୟରେ ଏଥିରେ ୨୪ଲକ୍ଷରୁ ଅଧିକ ରୋଗୀ ପରିବହନ ହୋଇଛନ୍ତି । ରୋଗୀ ପରିବହନବାବଦରେ ସେବା ପ୍ରଦାନକାରୀ ସଂସ୍ଥାକୁ ଦୁଇବର୍ଷରେ ୪୪୫ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି ।
ରାଜ୍ୟରେ ୧୦୮ଆମ୍ବୁଲାନ୍ସ ଚଳାଚଳ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଚଳାଚଳ କରୁଥିବା ୮୬୦ଟି ଆମ୍ବୁଲାନ୍ସ ମଧ୍ୟରୁ ୪୧୧ଟିରେ ଉନ୍ନତ ଜୀବନ ରକ୍ଷାକାରୀ ବ୍ୟବସ୍ଥା ରହିଥିବାବେଳେ ୪୪୯ଟିରେ ମୌଳିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ରହିଛି ।
୨୦୨୪ ଓ ୨୦୨୫ ଦୁଇଟି ବର୍ଷରେ ୧୦୮ ଆମ୍ବୁଲାନ୍ସରେ ମୋଟ୍ ୨୪,୪୦,୮୯୪ ଜଣ ରୋଗୀ ସେବା ପାଇଛନ୍ତି । ସେହିଭଳି ଏହି ସମୟ ମଧ୍ୟରେ ସେବା ପ୍ରଦାନକାରୀ ସଂସ୍ଥାକୁ ଆମ୍ବୁଲାନ୍ସ ବାବଦରେ ୪୪୫ କୋଟି ୮୪ଲକ୍ଷ ୮୫ହଜାର ଟଙ୍କା ପ୍ରଦାନ କରାଯାଇଛି । ସେବା ପ୍ରଦାନକାରୀ ସଂସ୍ଥାଦ୍ୱାରା ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀଙ୍କ ବର୍ଗ ଅନୁଯାୟୀ ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରଯୁଜ୍ୟ ସର୍ବନିମ୍ନ ମଜୁରୀ ଆଇନ୍ ଅନୁଯାୟୀ ଦୈନିକ ପାରିଶ୍ରମିକ ପ୍ରଦାନ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

