Home Assembly ଦୁଇ ବର୍ଷରେ ସାତ ହଜାର ସାଇବର ଆକ୍ରମଣ

ଦୁଇ ବର୍ଷରେ ସାତ ହଜାର ସାଇବର ଆକ୍ରମଣ

ଭୁବନେଶ୍ୱର : ଗତ ଦୁଇ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ଡାଟା ସେଣ୍ଟର ଉପରେ ବିଭିନ୍ନ ଦେଶରୁ ପାଖପାଖି ୭୦୦୫ଟି ସାଇବର ଆକ୍ରମଣ ପାଇଁ ଉଦ୍ୟମ ହୋଇଛି । ତେବେ ଡାଟା ସେଣ୍ଟର ପକ୍ଷରୁ ସମସ୍ତ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇ ପାରିଛି । ଏହି ଆକ୍ରମଣଗୁଡିକ ମୁଖ୍ୟତଃ ରୁଷିଆ, ଚୀନ୍‍, ଉତ୍ତରକୋରିଆ, ଇରାନ୍‍, ନାଇଜେରିଆ ଓ ରୋମାନିଆ ଭଳି ଦେଶମାନଙ୍କରୁ ହୋଇଥିଲା ।

ଓଡିଶାରେ ସାଇବର ଆକମ୍ରଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ, ବିଭାଗୀୟ ମୁଖ୍ୟ ଦପ୍ତର ଓ ନିର୍ଦ୍ଦେଶାଳୟ, ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଜ୍ୟ ଅତିଥି ଭବନ, ମୁଖ୍ୟ ର୍ନିବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟପାଳଙ୍କ ସଚିବାଳୟ, ଓକାକ୍‍, କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଓ ଯୁବସେବା ବିଭାଗ ଏବଂ ପର୍ଯ୍ୟଟନ ବିଭାଗାରେ ପ୍ରାୟ ୬ହଜାରଟି କମ୍ପ୍ୟୁଟରରେ ଆଣ୍ଟି ଭାଇରସ ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ।

ଓଡିଶାରେ ବିଭାଗ ଅଧିନରେ ୨୦୨୨ମସିହାରୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଡାଟା ସେଣ୍ଟରର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି । ଏହି ଡାଟା ସେଣ୍ଟରରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାମାନଙ୍କରେ ପ୍ରାୟ ୬୫୦ଟି ୱେବସାଇଟ୍‍ ହୋଷ୍ଟ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ଦେଶରୁ ଆସିଥିବା ପାଖାପାଖି ୭୦୦୫ଟି ସାଇବର ଆକ୍ରମଣକୁ ସିକ୍ୟୁରିଟି ଅପରେସନ ସେଣ୍ଟର ପ୍ରତିହତ କରିଦେଇଛି । ଏହା ଫଳରେ କୌଣସି ସରକାରୀ ୱେବସାଇଟ୍‍ ସାଇବର ଆକ୍ରମଣର ଶିକାର ହୋଇନାହିଁ ।