ଭୁବନେଶ୍ୱର : ବଜେଟରେ ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି ।
ଏହା ଫଳରେ ରାଜ୍ୟରେ ଆମ ବସ୍ ସେବାର କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ । ଉଲ୍ଲେଖନୀୟ ଯେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ୱାରା ପରିଚାଳିତ ଆମ୍ ବସ୍ ସେବା ଏବେ ଦୈନିକ ୩ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଛି । ଆମ ବସରେ ଯାତାୟତ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଡିଜିଟାଲ୍ ମାଧ୍ୟମରେ ଦେୟ ପ୍ରଦାନ କରୁଛନ୍ତି ଯାହା ସରକାରଙ୍କ ଡିଜିଟାଲ ଇଣ୍ଡିଆକୁ ଅଧିକ ସୁଦୃଢ କରୁଛି ।
ସେହିଭଳି ଯାତ୍ରୀମାନଙ୍କୁ ଘରୁ ବସ୍ଷ୍ଟାଣ୍ଡ ଏବଂ ବସ୍ଷ୍ଟାଣ୍ଡରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପରିବହନ ସେବା ଯୋଗାଇବା ପାଇଁ ଆମ ଇ-ରାଇଡ୍ ସେବାକୁ ଅଧିକ ସୁଦୃଢ଼ କରାଯାଉଛିୟ ‘ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ\’ ମାଧ୍ୟମରେ ରୁଟ୍ ଅପ୍ଟିମାଇଜେସନ୍ ଓ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦିଆଯାଉଛି ।
ବଜେଟରେ ଅର୍ଥ ବରାଦ ଓ ନୂତନ ପଦକ୍ଷେପ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ବଜେଟ୍ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶର ପ୍ରତିଫଳନୟ ଆମ ବସ୍ ଓଡ଼ିଶାରେ ସାଧାରଣ ପରିବହନର ସଂଜ୍ଞା ବଦଳାଇ ଦେଇଛିୟ ଆମେ କେବଳ ସଂଯୋଗୀକରଣ ବଢ଼ାଉନାହୁଁ, ବରଂ ଭବିଷ୍ୟତ ପାଇଁ ଏକ ସ୍ୱଚ୍ଛ ଓ ସବୁଜ ସହର ର୍ନିମାଣ କରୁଛୁ ।
ଆମ ବସ୍ ସେବାରେ ଅଧିକରୁ ଅଧିକ ଇ-ବସ୍ ସାମିଲ କରି ଆମେ ସହରାଞ୍ଚଳ ପରିବହନକୁ ଅଧିକ ସୁଲଭ ଏବଂ ପରିବେଶ ଅନୁକୂଳ କରିବାକୁ ଲକ୍ଷ୍ୟ ରଖିଛୁ । ବଜେଟରେ ରାଜ୍ୟ ସରକାର ସହରାଞ୍ଚଳ ପରିବହନକୁ ଯେଭଳି ଅଗ୍ରାଧିକାର ପ୍ରଦାନ କରିଛନ୍ତି ତାହା ଆଗାମୀ ଦିନରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ କେବଳ ସୁସଂଗତ କରିବନାହିଁ, ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଇଛି । (ତଥ୍ୟ)

