Home Election ରାଜ୍ୟସଭା ପାଇଁ ଆଶାୟୀଙ୍କ ତାଲିକା ଲମ୍ବୁଛି

ରାଜ୍ୟସଭା ପାଇଁ ଆଶାୟୀଙ୍କ ତାଲିକା ଲମ୍ବୁଛି

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ କାର୍ଯ୍ୟନିର୍ଘଣ୍ଟ ଘୋଷଣା ସରିଥିବାବେଳେ ବିଜେପି ଓ ବିଜେଡିରେ ଆଶାୟୀମାନଙ୍କ ତାଲିକା ଲମ୍ବିବାରେ ଲାଗିଛି । ଓଡିଶାର ଯେଉଁ ୪ଟି ରାଜ୍ୟସଭା ଆସନ ଖାଲି ହେଉଛି ସେସବୁ ଆଗକୁ ବିଜେଡି କବଜାରେ ଥିଲା । ଏଥିରୁ ଦୁଇ ଜଣ ବିଜେଡି ସାଂସଦ ଇସ୍ତଫା ଦେଇ ପୁର୍ନବାର ବିଜେପି ଟିକଟରେ ନିର୍ବାଚିତ ହୋଇଛନ୍ତି । ଏପରିପ୍ରେକ୍ଷୀରେ ବିଜେଡି ଛାଡି ବିଜେପି ହାତ ଧରିଥିବା ମୟୁରଭଞ୍ଜ ଜିଲ୍ଲାର ଶ୍ରୀମତୀ ମମତା ମହାନ୍ତ ଓ କଳାହାଣ୍ଡି ଜିଲ୍ଲାର ଶ୍ରୀ ସୁଜିତ କୁମାରଙ୍କୁ ବିଜେପି ଏଥର ପ୍ରାର୍ଥୀ କରିବ କି ନାହିଁ ସେଥିଘେନି ଛକାପଞ୍ଝା ଚାଲିଛି ।

ସେହିଭଳି ବିଜେଡି ରାଜ୍ୟସଭା ସଦସ୍ୟ ମୁନ୍ନା ଖାଁ ଓ ନିରଞ୍ଜନ ବିଶିଙ୍କ ଭିତରୁ ଦଳ କାହାକୁ ଟିକଟ ଦେବ କି ଅନ୍ୟ ନୂଆ ଚେହେରାଙ୍କୁ ନିର୍ବାଚନରେ ଅବତୀର୍ଣ୍ଣ କରାଇବ ସେଥିଘେନି ବି କଳ୍ପନା ଜଳ୍ପନା ଚାଲିଛି । ନିର୍ବାଚନ ଜିଣିପାରିନଥିବା ଓ ପ୍ରତିଦ୍ୱନ୍ଦିତାରୁ ଦୂରରେ ରହି ଦଳପାଇଁ କାମ କରିଥିବା ବହୁ ବିଜେଡି ନେତାଙ୍କର ବି ରାଜ୍ୟସଭାକୁ ଯିବାକୁ ଇଚ୍ଛା । ସେହିପରି ବିଜେପିର ବହୁ ନେତା ମଧ୍ୟ ରାଜ୍ୟସଭା ଲାଗି ବିଭିନ୍ନ ସ୍ତରରେ ଲବି ଚଳାଉଥିବାବେଳେ ପୁଣି ଜଣେ ଅଣଓଡିଆ ଯେ ଓଡିଶାରୁ ପ୍ରାର୍ଥୀ ନହେବେ ତାହା ଉପରେ କେହି ଗ୍ୟାରେଣ୍ଟି ଦେଇପାରୁ ନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭାରେ ଏବେ ବିଜେପିର ୭୯, ବିଜେଡିର ୫୦ ଓ କଂଗ୍ରେସର ୧୪ଜଣ ସଦସ୍ୟ ଅଛନ୍ତି । ଏହାଛଡା ୩ଜଣ ସ୍ୱାଧୀନ ବିଧାୟକ ଓ ସିପିଏମର ଜଣେ ବିଧାୟକ ମଧ୍ୟ ରହିଛନ୍ତି । ସଂଖ୍ୟାଗଣିତ ଦୃଷ୍ଟିରୁ ଯଦି କ୍ରସ ଭୋଟିଂ ନହୁଏ ତେବେ ସହଜରେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନ ନିର୍ବିଘ୍ନରେ ଅକ୍ତିଆର କରିପାରିବ ।

କଂଗ୍ରେସର ମାତ୍ର ୧୪ଜଣ ବିଧାୟକ ଥିବାରୁ ଏହି ଦଳ ନିଜସ୍ୱ ଶକ୍ତିରେ ଗୋଟିଏ ବି ଆସନ ଜିଣିପାରିବ ନାହିଁ । ଏହା ସତ୍ୱେ ବି କ୍ରସ ଭୋଟିଂ ଏଡାଇବାପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଦେଇ ନିଜ ଭୋଟକୁ ସୁରକ୍ଷିତ ରଖିବାଲାଗି ଚାହୁଁଛି । କଂଗ୍ରେସ ପ୍ରାର୍ଥୀ ନଦେଲେ ଦଳର ବିଧାୟକମାନେ ନିର୍ବାଚନରୁ ଦୂରରେ ରହିବେ କି ଚତୁର୍ଥ ଆସନପାଇଁ ବିଜେପି କିମ୍ବା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ବିଶେଷ କ୍ଷତି ହୋଇପାରେ ।

ଅନ୍ୟ ପକ୍ଷରେ ଯଦି ବିଜେପି ଚତୁର୍ଥ ଆସନ ପାଇଁ କିମ୍ବା ବିଜେଡି ଉକ୍ତ ଆସନ ଲାଗି ପ୍ରାର୍ଥୀ ଛିଡା କରନ୍ତି ତାହା ମଧ୍ୟ ଏହି ଦୁଇ ଦଳର ପତିଆରା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିବ । ଏ କ୍ଷେତ୍ରରେ କଂଗ୍ରେସ, ସିପିଏମ୍‍ ଓ ସ୍ୱାଧୀନ ବିଧାୟକମାନଙ୍କର ନିର୍ଣ୍ଣାୟକ ଭୂମିକା ରହିବ । ବିଜେଡିର ୫୦ଜଣ ବିଧାୟକଙ୍କ ଭିତରୁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଥିବାରୁ ସେମାନଙ୍କ ଉପରେ ବି ଅନ୍ୟମାନଙ୍କର ନଜର ରହିଛି ।

ଅତୀତରେ ଶାସକଦଳ ଏଭଳି ରିସ୍କ ନେଇ ଲୋକହସା ହେବାର ଅନେକ ନଜିର ରହିଛି । ତେବେ ଗୋଟିଏ ସମୟରେ ଏ ଭି ସ୍ୱାମୀଙ୍କ ଭଳି ଜଣେ ନିର୍ଦ୍ଦଳୀୟ ସମାଜସେବୀଙ୍କୁ ସର୍ବ ସମ୍ମତ ପ୍ରାର୍ଥୀ କରି ଉଭୟ ଶାସକ ଓ ବିରୋଧିଦଳ କ୍ରସଭୋଟିଂ କେଳେଙ୍କାରୀରୁ ବର୍ତ୍ତିବା ନଜିର ରହିଛି । ଏହି ଘଟଣାର ପୁନରାବୃତ୍ତି କରାଯାଇ ଯଦି ତିନି ଦଳର ସହମତି ଭିତ୍ତିରେ ଚତୁର୍ଥ ଆସନ ଲାଗି ନିର୍ଦ୍ଦଳୀୟ ପ୍ରାର୍ଥୀ ଛିଡା କରାଯାଏ ତେବେ କାହାର କିଛି ଚାପ ରହିବ ନାହିଁ । ଏ ପରିପ୍ରେକ୍ଷୀରେ କିଛି ବ୍ୟବସାୟୀ ମଧ୍ୟ ଚତୁର୍ଥ ଆସନ ଲାଗି ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରୁଥିବା ଘଟଣା ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିବାରୁ ଅନେକ ବିଧାୟକଙ୍କର ତୀକ୍ଷ୍ଣ ଦୃଷ୍ଟି ମଧ୍ୟ ସେମାନଙ୍କ ଉପରେ ରହିବା ସ୍ୱାଭାବିକ । (ତଥ୍ୟ)