ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ବଜେଟ୍ ଅଭିଭାଷଣ ପ୍ରଦାନ କରିଥିଲେ ।
ଉପସ୍ଥାପିତ ବଜେଟ୍ ଅନୁଯାୟୀ ଏବର୍ଷ ଓଡିଶା ନିଜସ୍ୱ ଟିକସ ବାବଦରେ ୭୦ ହଜାର କୋଟି ଟଙ୍କା ଓ ଅଣ ଟିକସ ବାବଦରେ ୭୧ କୋଟି ଟଙ୍କା ସଂଗ୍ରହ କରିବ ବୋଲି ଲକ୍ଷ୍ୟ ରଖିଛି । ଏହାଛଡା କେନ୍ଦ୍ରରୁ ଟିକସ ବାବଦରେ ରାଜ୍ୟର ଅଂଶ ୬୭ ହଜାର ୪୬୦ କୋଟି ଓ କେନ୍ଦ୍ରୀୟ ଅନୁଦାନ ଆକାରରେ ୪୦ହଜାର ୩୯ କୋଟି ଟଙ୍କା ପାଇବ ବୋଲି ବଜେଟ୍ରେ ଆଶା ରଖାଯାଇଛି । ଏହାଛଡା ବିଭିନ୍ନ ସୂତ୍ରରୁ ଉକ୍ତ ବର୍ଷରେ ୪୭ ହଜାର ୮୦୦ କୋଟି ଟଙ୍କାର ଋଣ ମଧ୍ୟ ସଂଗ୍ରହ କରାଯିବ ।
ବଜେଟ୍ର ବିବରଣୀ ମୁତାବକ ବେତନ, ପେନ୍ସନ ଓ ଅନ୍ୟ ରାଜସ୍ୱ ବ୍ୟୟ ଆକାରରେ ୧ଲକ୍ଷ ୯୧ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପୁଞ୍ଜି କ୍ଷେତ୍ରରେ ୭୨ ହଜାର ୧୦୦ କୋଟି, ଋଣ ପରିଶୋଧ ବାବଦରେ ୨୨ହଜାର କୋଟି ଓ ସୁଧ ପାଇଁ ୮୨୦୦କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବ । ଏହି ବଜେଟ୍ରେ ଶ୍ରୀଜଗନ୍ନାଥଧାମ ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ବିଶେଷ ବ୍ୟବସ୍ଥା ରଖାଯାଇଛି । ଏମିତିକି ଶ୍ରୀମନ୍ଦିର ରକ୍ତଭଣ୍ଡାରର ଗଣତି ମଣତି ଠାରୁ ଆରମ୍ଭ କରି ପୁରୀର ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶ ଲାଗି ମଧ୍ୟ ଏଥିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହି ବଜେଟ୍ରେ ନୂଆ ଯୋଜନା ଡାଲଖାଇ ପାଇଁ ୨୨୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ଯୋଜନା ଭିବି ଜି ରାମ୍ ଜୀ ରେ ଓଡିଶାରେ ୪୨୭୯ କୋଟି ଟଙ୍କା ଖର୍ଚ୍ଚ ହେବ । କନ୍ୟା ସୁମଙ୍ଗଳ ଯୋଜନା ଠାରୁ ଆରମ୍ଭ କରି ଅଭାବୀ ପରିବାରର କନ୍ୟାଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମଧ୍ୟ ପ୍ରଚଳିତ ହୋଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣ ଆରମ୍ଭରୁ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କରିବା ସହିତ ମହାପ୍ରଭୁଙ୍କ ଆର୍ଶୀବାଦରେ ରାଜ୍ୟ ସରକାର ଜନମଙ୍ଗଳ କାର୍ଯ୍ୟ କରୁଛନ୍ତି ଏବଂ ଏହା ପଛରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂମିକା ରହିଥିବା ଦର୍ଶାଇଥିଲେ । ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନା ଲାଗି ମଧ୍ୟ ଏହି ବଜେଟ୍ରେ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି ।
ମୁଖ୍ୟମନ୍ତ୍ରୀ ସେବା ସ୍ୱାସ୍ଥ୍ୟ ଯୋଜନା ଲାଗି ୫୦୦୮ କୋଟି ଟଙ୍କାର ବ୍ୟବସ୍ଥା ଥିବାବେଳେ ରାଜ୍ୟରେ ଆଉ ୫ଟି ମେଡିକାଲ କଲେଜ ସହିତ ୨ଟି ହୋମିଓପାଥିକ ଓ ଆଉ ୩ଟି ଆୟୁବେଦିକ ମେଡିକାଲ କଲେଜ ଲାଗି ମଧ୍ୟ ଏବର୍ଷ ବଜେଟ୍ରେ ବ୍ୟବସ୍ଥା ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ୨୦୨୬-୨୭ ର ବଜେଟ୍ ରାଜ୍ୟ ଅଭିବୃଦ୍ଧି କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ହେବ ବୋଲି ଉଲ୍ଲେଖ କରିବା ସହିତ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ଏବଂ ୨୦୪୭ରେ ଦେଶର ସ୍ୱାଧୀନତାପ୍ରାପ୍ତିର ଶହେ ବର୍ଷ ବେଳକୁ ଓଡିଶାର ଅର୍ଥନୀତି ସମ୍ପୂର୍ଣ୍ଣ ବିକଶିତ ହୋଇଥିବ ବୋଲି ଉଲ୍ଲେଖ କରିବା ସହିତ ଅନ୍ନଦାତା କୃଷକ, ମହିଳା, ଯୁବକଙ୍କ ସମେତ ସବୁ ବର୍ଗର ଲୋକେ ଯେଭଳି ଉପକୃତ ହେବେ ସେ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚାଇଛନ୍ତି ।
ଏହାଛଡା ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗ ମାଧ୍ୟମରେ ବ୍ୟାପକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ଖାଲି ପଡିଥିବା ସରକାରୀ ପଦ ପଦବୀଗୁଡିକୁ ପୂରଣ କରିବାପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସେ ତାଙ୍କ ବଜେଟ୍ ଭାଷଣରେ ଉଲ୍ଲେଖ କରିଛନ୍ତି । ରାଜ୍ୟର ବିକାଶରେ ଦୁର୍ନୀତି ପ୍ରମୁଖ ପ୍ରତିବନ୍ଧକ ହୋଇଥିବାରୁ ଦୁର୍ନୀତି ନିବାରଣ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଏବଂ ଅପରାଧ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ ସୂଚାଇଛନ୍ତି ।

