Home General ପାଞ୍ଚ ବର୍ଷରେ ୫ଟି ଅନ୍ତଃ ଜଳାଶୟ

ପାଞ୍ଚ ବର୍ଷରେ ୫ଟି ଅନ୍ତଃ ଜଳାଶୟ

ଭୁବନେଶ୍ୱର : ପାଞ୍ଚ ବର୍ଷ ମଧ୍ୟରେ ଅନ୍ତଃନଦୀ ଜଳାଶୟ ନିର୍ମାଣ ପ୍ରକଳ୍ପ ଯୋଜନାରେ ମାତ୍ର ୫ଟି ଜଳାଶୟର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅଧିକାଂଶର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପ୍ରାରମ୍ଭ ସ୍ତରରେ ରହିଛି ।

ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ନଦୀଗର୍ଭରେ ଜଳାଶୟ ସୃଷ୍ଟି ପାଇଁ ଅନ୍ତଃନଦୀ ଜଳାଶୟ ନିର୍ମାଣ ପ୍ରକଳ୍ପ ଯୋଜନାକୁ ରାଜ୍ୟ ସରକାର ୨୦୨୦ ମସିହାରେ ଆରମ୍ଭ କରିଥିଲେ । ଏଥିପାଇଁ ୨୦୧୯-୨୦ ରୁ ୨୦୨୪-୨୫ ଅବଧି ପାଇଁ ୧୧,୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ ନିର୍ଦ୍ଧାରଣ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୩୦ଟି ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ଏଥିରୁ ମାତ୍ର ୩ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଗୁଡିକ ମଧ୍ୟରେ ରହିଛି ବୈତରଣୀ ନଦୀରେ ସପ୍ତମାତୃକା-୨ ପ୍ରକଳ୍ପ, ମହାନଦୀର ରେତ ନଦୀରେ ଲଇତରା ପ୍ରକଳ୍ପ, ସୁକତେଲ ନଦୀରେ ଛତାମଖଣା, ଋଷିକୂଲ୍ୟା ଘୋଡାହାଡରେ ଜାକମରିପଲ୍ଲୀ, ଋଷିକୂଲ୍ୟାର ବଡନଦୀରେ ଢୋଲପିଟା ପ୍ରକଳ୍ପ ରହିଛି ।

ସପ୍ତମାତୃକା-୨ ପ୍ର୍‍ଳପର ବ୍ୟୟ ଅଟକଳ ୧୭୨ କୋଟି ଟଙ୍କା ଥିବାବେଳେ ଏହି ପ୍ରକଳପର ଜଳ ମତ୍ସ୍ୟଚାଷ, ମେଗା ଲିଫ୍ଟ ଓ ପାନୀୟଜଳ ପାଇଁ ଉପଯୋଗ ହେବ । ଜୁଇକୋ ପ୍ରକଳ୍ପର ବ୍ୟୟଭାର ୮୮.୬୮ କୋଟି ଟଙକା ରହିଥିବାବେଳେ ଏହା ପାନୀୟଜଳ ଓ ଉଠାଜଳସେଚନ କାମରେ ଆସିବ । ଛତାମଖଣା ପ୍ରକଳପର ବ୍ୟୟଭାର ୧୩୯.୪୬ କୋଟି ଟଙ୍କା ଥିବାବେଳେ ଡାକମରିପଲ୍ଲୀର ବ୍ୟୟ ଅଟକଳ ୫୫.୮୮ କୋଟି ଓ ଢୋଲପିଟା ପ୍ରକଳ୍ପର ବ୍ୟୟ ଅଟକଳ ୨୦.୦୮ କୋଟି ଟଙ୍କା ରହିଛି । ଏହି ସମସ୍ତ ପ୍ରକଳ୍ପର ପାନୀୟ ଓ ଉଠାଜଳସେଚନ କାର୍ଯ୍ୟରେ ଲାଗିବ ।

ସେହିଭଳି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ସମୟ ଧାର୍ଯ୍ୟ ହୋଇଥିବାବେଳେ ୧୯,୯୪୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ରହିଛି । ଏଥିରେ ସବୁଠାରୁ ବଡ ପ୍ରକଳ୍ପ ରହିଛି ମହାନଦୀ ଉପରେ କିଆକଟା ଠାରେ ଜଳାଶୟ ପ୍ରକଳ୍ପ । ଏହାର ବ୍ୟୟଭାର ୧୩୫୦ କୋଟି ଟଙ୍କା ଥିବାବେଳେ ଏହା କେନ୍ଦ୍ରାପଡା ଜିଲ୍ଲାର ପାନୀୟଜଳ ଆବଶ୍ୟକତା ପୂରଣ ସହିତ ଚାଷ କ୍ଷେତକୁ ପାଣି ଯୋଗାଇବ । ବର୍ତ୍ତମାନ ଏହି ପ୍ରକଳ୍ପର ଅଧ୍ୟୟନ କରାଯାଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)