Home Assembly ଆଜି ବି ଗୃହକାର୍ଯ୍ୟ ବାଧାପ୍ରାପ୍ତ

ଆଜି ବି ଗୃହକାର୍ଯ୍ୟ ବାଧାପ୍ରାପ୍ତ

ଭୁବନେଶ୍ୱର : ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଧାନର ଅଭାବୀ ବିକ୍ରିକୁ ନେଇ ଗୃହ ମଧ୍ୟରେ ଜୋରଦାର ହଟଗୋଳ କରିବା ଯୋଗୁଁ ଆଜି ବି ବିଧାନସଭାରେ ପୂର୍ବାହ୍ନରେ କୌଣସି କାର୍ଯ୍ୟ ହୋଇପାରି ନାହିଁ । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଦୁଇ ବିରୋଧିଦଳ ଗୃହ ମଧ୍ୟରେ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ କରିବା ସହିତ ସରକାର ବିରୋଧି ଧ୍ୱନିମାନ ଦେଇଥିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ଉଭୟ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ହାତରେ ପୋଷ୍ଟର, ବ୍ୟାନର ଆଦି ଧର ଗୃହ ମଧ୍ୟକୁ ଆସିଥିଲେ । ଧାନର ଅଭାବି ବିକ୍ରି ନେଇ ସେମାନେ ବିଭିନ୍ନ ଧ୍ୱନିମାନ ଦେଉଥିବାବେଳେ ବାଚସ୍ପତି ସୁରମା ପାଢୀ ବିଧାୟିକା ସଞ୍ଜଳି ମୁର୍ମୁଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ । ଗୃହରେ ପ୍ରବଳ ହଟଗୋଳ ଯୋଗୁଁ ମନ୍ତ୍ରୀ ଦେଉଥିବା ଉତ୍ତର ଶୁଣାଯାଇନଥିଲା । ବାଚସ୍ପତି ଶ୍ରୀମତୀ ପାଢୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରି ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ତାହାକୁ ବିରୋଧି ସଦସ୍ୟମାନେ ଶୁଣନଥିଲେ । ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପୂର୍ବଭଳି ଗୃହ ମଧ୍ୟରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ହଟଗୋଳ ମଧ୍ୟରେ ଶୂନ୍ୟକାଳରେ ଚାରି ଜଣ ମଧ୍ୟ ବିଧାୟକ କହିବାର ସୁଯୋଗ ପାଇଥିଲେ । ବିଜେପି ବିଧାୟକ ଜଲେନ ନାୟକ ପିଇବା ପାଣି ପ୍ରସଙ୍ଗ ଉଠାଇଥିବାବେଳେ ମନୋ ରଞ୍ଜନ ଦ୍ୟାନ ସମାନ୍ତ ରାୟ ଶିକ୍ଷକ ନଯୁକ୍ତି ପ୍ରସଙ୍ଗ ଉଠାଇ ପାଠ ପଢାଇବାପାଇଁ ଅବସରପ୍ରାପ୍ତ ଶିକ୍ଷକ ବି ମିଳୁନଥିବା କହିଥିଲେ । ବିଜେପି ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ନୀଳମାଧମ ମନ୍ଦିରର ବିକାଶ ପ୍ରତି ସରକାର ଧ୍ୟାନ ଦେବାକୁ କହିଥିଲେ ।

ବିଜେପି ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ଯେ ଜଗତ୍‍ସିଂହପୁର ଜିଲ୍ଲାରେ ବାଲିଘାଟ ସଂଖ୍ୟା ୧୬ରୁ ବଢି ୨୭ରେ ପହଞ୍ଚିଥିବାବେଳେ ଟେଣ୍ଡର ବାବଦ ଅର୍ଥ ଆଦାୟ ହୋଇପାରୁ ନାହିଁ । ଲିଜ୍‍ଧାରୀମାନେ ୧୮ ପ୍ରତିଶତ ଜିଏସ୍‍ଟି ବି ଦେଉନାହାନ୍ତି । ନିଲାମଧାରୀଙ୍କ ଉପରେ ଟଙ୍କା ପଡି ରହୁଛି । ଅନ୍ୟ ପକ୍ଷରେ ବାଲି ପରିବହନ ଯୋଗୁଁ ରାସ୍ତାଘାଟ ଓ ପୋଲ ଆଦି ଖରାପ ହେବାରେ ଲାଗିଛି । ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଶ୍ରୀ ଦାସ ଦାବି କରିଥିଲେ ।

ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ୱେ ହଟଗୋଳ ଜାରି ରହିବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।