Home Energy ବିଜୁଳି ବାଇପାସ୍‍ ଜୋରିମାନା ୨୪ କୋଟି

ବିଜୁଳି ବାଇପାସ୍‍ ଜୋରିମାନା ୨୪ କୋଟି

ଭୁବନେଶ୍ୱର : ବିଳମ୍ବରେ ବିଦ୍ୟୁତ୍‍ ବିଲ୍‍ ପଇଠ କରୁଥିବା ହିତାଧିକାରୀମାନଙ୍କ ଠାରୁ ବିଦ୍ୟୁତ୍‍ ବିତରଣ କମ୍ପାନୀ ଟିପିସିଓଡିଏଲ୍‍ ଚଳିତ ଆର୍ଥିକ ବର୍ଷରେ ୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିଥିବାବେଳେ ବିଜୁଳି ପାଇବାସ୍‍ କରିଥିବା ଲୋକଙ୍କ ଠାରୁ ୨୪ କୋଟିରୁ ଅଧିକ ଟଙ୍କା ଆଦାୟ କରିଛି ।

ବିତରଣ କମ୍ପାନୀମାନେ ଗ୍ରାହକମାନଙ୍କ ଠାରୁ ଆଦାୟ କରୁଥିବା ଅର୍ଥ ସଂକ୍ରାନ୍ତରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଟିପିସିଓଡିଏଲ୍‍ ପକ୍ଷରୁ ବିଳମ୍ବ ପଇଠ ପାଇଁ ଆଦାୟ ହେଉଥିବା ଅର୍ଥ ଲଗାତାର ତିନିବର୍ଷ ଧରି ହ୍ରାସ ପାଇବାରେ ଲାଗିଛି । ୨୦୨୩-୨୪ ବର୍ଷରେ ଏହା ପାଖାପାଖି ୧୧ କୋଟି ଟଙ୍କା ଥିବାବେଳେ ଚଳିତ ୨୦୨୪-୨୫ ରେ ତାହା ୮.୭୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ଚଳିତ ଆର୍ଥିକବର୍ଷରେ ଏହା ୬.୩୨ କୋଟି ଟଙ୍କାରେ ପହଞ୍ଚିଛି ।

କିନ୍ତୁ ବାଇପାସ୍‍ କରିଥିବା ହିତାଧିକାରୀଙ୍କ ଠାରୁ ଆଦାୟ ଅର୍ଥ ବଢିବାରେ ଲାଗିଛିା ୨୦୨୩-୨୪ରେ ଏହା ୨୨.୪୮ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ତାହା ୨୪ କୋଟି ଟଙ୍କାକୁ ଟପିଯାଇଛି । ସେହିଭଳି ମିଟର ଟାମ୍ପରିଂ କରୁଥିବା ହିତାଧିକାରୀମାନଙ୍କ ଠାରୁ ବି ୧୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ ହୋଇଛି । ଚଳିତବର୍ଷ ହୁକ ପକାଇ ଲୋକେ ୪.୮୩ କୋଟି ଟଙ୍କା ଗଣିଛନ୍ତି । ତେବେ ବିଦ୍ୟୁତ୍‍ ଲୋଡ ଉଲ୍ଲଙ୍ଘନ ନେଇ ତିନିବର୍ଷ ମଧ୍ୟରେ କୌଣସି ଅର୍ଥ ଆଦାୟ ହୋଇନାହିଁ ।

ସେହିଭଳି ଟିପିଡବ୍ଲୁଓଡିଏଲ୍‍ ଚଳିତବର୍ଷ ଜାନୁଆରୀ ପର୍ଯ୍ୟନ୍ତ ହୁକ ପକାଇଥିବା ଲୋକଙ୍କ ଠାରୁ ୫.୫୮ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ବାଇପାସ୍‍ କରିଥିବା ଲୋକଙ୍କ ଠାରୁ ପାଖାପାଖି ୨୦ କୋଟି ଟଙ୍କା ଆଦାୟ ହେଲାଣି । ମିଟର ଟାମ୍ପରିଂ ବାବଦରେ ଏହି ବିତରଣକାରୀ ସଂସ୍ଥା ୩.୩୩ କୋଟି ଟଙ୍କା ଆଦାୟ କରିଥିବା ଜଣାଯାଇଛି । ଅନ୍ୟାନ୍ୟ ବାବଦରେ ବି ଚଳିତବର୍ଷ ବିତରଣ କମ୍ପାନୀ ହିତାଧିକାରୀମାନଙ୍କ ଠାରୁ ୨.୨୩ କୋଟି ଟଙ୍କା ଆଦାୟ କରିଛି ।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଟିପିଏସଓଡିଏଲ୍‍ ବିଗତ ୫ବର୍ଷ ମଧ୍ୟରେ କୃଷି, ଘରୋଇ, ସାଧାରଣ ବ୍ୟବହାର, କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ପାଣିପମ୍ପ୍‍, କୁଟୀର ଜ୍ୟୋତି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ୧୦୪ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିଛି ।

ସେହିଭଳି ଅନ୍ୟତମ ବିତରଣ କମ୍ପାନୀ ଟିପିଏନଓଡିଏଲ୍‍ ୨୦୨୧ ଏପ୍ରିଲ୍‍ରୁ ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ୧୫୫ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟକରିଛି । ଏଥିରେ ଘରୋଇ ଉପଭୋକ୍ତାଙ୍କ ଠାରୁ ସର୍ବାଧିକ ୧୨୩ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ବ୍ୟବସାୟିକ ପ୍ରତିଷ୍ଠାନରୁ ୨୫ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ ହୋଇଛି । ତେବେ ବିତରଣ କମ୍ପାନୀମାନେ ଆଦାୟ କରୁଥିବା ସମସ୍ତ ଅର୍ଥ ସେମାନଙ୍କ ବ୍ୟାଙ୍କ୍‍ ଖାତାରେ ଜମା କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । (ତଥ୍ୟ)