Home Assembly ଗୃହରେ ଧାନ ରଖି ପ୍ରତିବାଦ

ଗୃହରେ ଧାନ ରଖି ପ୍ରତିବାଦ

ଭୁବନେଶ୍ୱର : ବିଧାନସଭାରେ ଆଜି ବିଜେଡି ସଦସ୍ୟମାନେ ଧାନ ରଖି ହଟଗୋଳ କରିବା ଯୋଗଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରି ନାହିଁ । ସମାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ ମଧ୍ୟରେ ହଟଗୋଳ କରିଛନ୍ତି ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଧାନର ଅଭାବି ବିକ୍ରି ସଂକ୍ରାନ୍ତରେ ହାତରେ ଫ୍ଲେକ୍ସମାନ ଧରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରିଥିଲେ । ଏହି ସମୟରେ ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ପୁଡା ଧାନ ମୁଣ୍ଡାଇ ଗୃହ ମଧ୍ୟଭାଗକୁ ଆସିବା ସହିତ ଧାନକୁ ସଚିବଙ୍କ ଟେବୁଲ ଉପରେ ରଖି ଦେଇଥିଲେ ।

ଧାନପୁଡା ଖୋଲାଯିବା ପରେ ବିଜେଡି ସଦସ୍ୟ ଡକ୍ଟର ଅରୁଣ କୁମାର ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନକୁ ହାତରେ ଧରି ଉପରକୁ ଟେକି ପ୍ରଦର୍ଶନ କରିଥିଲେ । ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ସରକାର ବିରୋଧି ଧ୍ୱନିମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା ।

କଂଗ୍ରେସ ସଦସ୍ୟମାନେ ମଧ୍ୟ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟକୁ ଆସି ଧାନର ଅଭାବି ବିକ୍ରି ନେଇ ପ୍ରଦର୍ଶନ କରିଥିଲେ । ବିଜେଡି ସଦସ୍ୟମାନେ ସବୁଜ ରଙ୍ଗର ଫ୍ଲେକ୍ସ ଧରି ପ୍ରଦର୍ଶନ କରୁଥିବାବେଳେ କଂଗ୍ରେସ ସଦସ୍ୟମାନେ ଧଳା କାଗଜ ଉପରେ ନାଲି ରଙ୍ଗରେ ଲେଖାଥିବା ପ୍ରତିବାଦପତ୍ର ଧରିଥିବା ଦେଖିବାକୁ ମିଳିଥିଲା ।

ବାଚସ୍ପତି ସୁରମା ପାଢୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ । ବିରୋଧି ସଦ୍ୟମାନେ ହଟଗୋଳ ଜାରି ରଖିଥିବାବେଳେ ବାଚସ୍ପତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଉତ୍ତର ରଖିବାକୁ ଡାକିଥିଲେ । ହଟଗୋଳ ମଧ୍ୟରେ ଶ୍ରୀ ସିଂହଦେଓଙ୍କ ଉତ୍ତର ଶୁଣାଯାଉନଥିବାବେଳେ ପ୍ରଶ୍ନକର୍ତ୍ତା ସୁଧିର ରଞ୍ଜନ ପାଟ୍ଟଯୋଶୀ ମଧ୍ୟ ଅତିରିକ୍ତ ପ୍ରଶ୍ନ ପ୍ରଶ୍ନ ପଚାରିଥିଲେ । ତେବେ ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ୧୦ଟା ୩୩ ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି ଧରି ଗୃହ ମଧ୍ୟଭାଗରେ ଆସି ହଟଗୋଳ କରିଥିଲେ । ଶୂନ୍ୟକାଳରେ ଆଲୋଚନା ପାଇଁ ବିରୋଧି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ଶ୍ରୀମତୀ ପାଢୀ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପ୍ରଦର୍ଶନ ଜାରି ରଖିଥିଲେ । ହଟଗୋଳ ମଧ୍ୟରେ ବିଜେପି ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ଆଶ୍ରିତ ପଟ୍ଟନାୟକ ନିଜ ନିଜ ଅଞ୍ଚଳ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ତାହା ଶୁଣାଯାଇନଥିଲା । ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।