ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ବିଭାଗମାନେ ବଜେଟ୍ ଅର୍ଥର ୫୭ ପ୍ରତିଶତ ବ୍ୟୟ କରିବାରେ ସଫଳ ହୋଇଛନ୍ତି । ତେବେ ଏହା ପୂର୍ବ ଆର୍ଥିକବର୍ଷ ତୁଳନାରେ ୧% କମ୍ ରହିଛି ।
ଚଳିତ ଆର୍ଥିକ ବର୍ଷରେ ଜାନୁୟାରୀ ଶେଷ ସୁଦ୍ଧା ବିଭାଗମାନେ ବଜେଟ୍ ଅର୍ଥରୁ ୧,୬୩,୬୬୪ କୋଟି ଟଙ୍କା ବ୍ୟୟ କରିଛନ୍ତି । ଗତ ଆର୍ଥିକ ବର୍ଷର ଜାନୁଆରୀ ଶେଷ ସୁଦ୍ଧା ବଜେଟ୍ ଅର୍ଥରୁ ୧,୪୯,୩୧୨ କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲେ । ହାରାହାରି ଭାବେ ଯଦିଓ ଚଳିତବର୍ଷ ୧% କମ୍ ଅର୍ଥ ଖର୍ଚ୍ଚ ହୋଇଛି କିନ୍ତୁ ମୋଟ୍ ଅର୍ଥ ପରିମାଣକୁ ହିସାବକୁ ନେଲେ ଚଳିତ ଆର୍ଥିକ ବର୍ଷର ବ୍ୟୟ ପରିମାଣ ୯.୬% ଅଧିକ ରହିଛି ।
ଚଳିତ ଆର୍ଥିକ ବର୍ଷର ଜାନୁଆରୀ ଶେଷ ସୁଦ୍ଧା ବିଭାଗମାନେ ମିଳିତଭାବେ ଯଦିଓ ୫୭ ବର୍ଷ ଅର୍ଥ ବ୍ୟୟରେ ସଫଳ ହୋଇଛନ୍ତି କିନ୍ତୁ ବହୁ ବିଭାଗ ସେମାନଙ୍କ ପାଇଁ ବରାଦ ହୋଇଥିବା ଅର୍ଥ ବ୍ୟୟରେ ପଛରେ ପଡିଥିବା ଲକ୍ଷ୍ୟ କରାଯାଇଛି । ଏହି ବିଭାଗଗୁଡିକ ମଧ୍ୟରେ ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ଜଳସମ୍ପଦ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଇସ୍ପାତ ଓ ଖଣି ଭଳି ବିଭାଗ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଚଳିତବର୍ଷ ବଜେଟ୍ରେ ୧୭,୫୩୬ କୋଟି ଟଙ୍କା ରହିଥିବାବେଳେ ବିଭାଗ ଖର୍ଚ୍ଚ କରିଛି ୧୧,୨୩୪ କୋଟି । ଯାହାକି ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ୫ ପ୍ରତିଶତରୁ କମ୍ ରହିଛି । ଜଳସମ୍ପଦ ବିଭାଗ ବରାଦ ଅର୍ଥରୁ ୪୬ ପ୍ରତିଶତ ଖର୍ଚ୍ଚ କରିବାରେ ସମର୍ଥ ହୋଇଥିବାବେଳେ ପୂର୍ତ୍ତ ବିଭାଗ ଧାର୍ଯ୍ୟ ବ୍ୟୟ ଠାରୁ କମ୍ ଅର୍ଥ ଖର୍ଚ୍ଚ କରିଛି ।
ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଜାନୁଆରୀ ଶେଷ ସୁଦ୍ଧା ୫୦ ୪୮ ପ୍ରତିଶତରୁ କମ୍ ରହିଥିବାବେଳେ ଶିଳ୍ପ ବିଭାଗର ବ୍ୟୟ ୪୦ ପ୍ରତିଶତରୁ କମ୍ ରେକର୍ଡ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାତ୍ର ୨୬ ପ୍ରତିଶତ ଅର୍ଥ ବ୍ୟୟରେ ସଫଳ ହୋଇଥିବାବେଳେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଖର୍ଚ୍ଚ ୧୨ ପ୍ରତିଶତ ତଳେ ରହିଛି । ବିଜ୍ଞାନ କାରିଗରୀ ବିଭାଗର ଖର୍ଚ୍ଚ ୨୫ ପ୍ରତିଶତ ତଳେ ରହିଛି । ଅର୍ଥ ଖର୍ଚ୍ଚରେ ପଛରେ ପଡିଥିବା ବିଭାଗଗୁଡିକୁ ଖର୍ଚ୍ଚ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଅନୁଷ୍ଠିତ ବଜେଟ୍ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ତେବେ ରାଜ୍ୟର ରାଜସ୍ୱ ଆଦାୟ ଢେର ଅଧିକ ରହିଛି । ଉଭୟ ଟିକସ ଓ ଅଣଟିକସ ଆଦାୟ ପରିମାଣ ୭୩ ପ୍ରତିଶତରୁ ଅଧିକ ରହିଛି । ଉଭୟ ଟିକସ ବାବଦରେ ରାଜକୋଷକୁ ୧,୨୬,୦୦୦ କୋଟି ଟଙ୍କା ଆସିବାର ଲକ୍ଷ୍ୟ ଥିବାବେଳେ ଜାନଆରୀ ଶେଷ ସୁଦ୍ଧା ୯୨,୮୯୪ କୋଟି ଟଙ୍କା ମିଳିଛି । ଅଣଟିକସ ରାଜସ୍ୱ ବାବଦରେ ଧାର୍ଯ୍ୟଲକ୍ଷ୍ୟର ପ୍ରାୟ ୮୦ ପ୍ରତିଶତ ଅର୍ଥ ରାଜକୋଷକୁ ଆସିଥିବାବେଳେ ନିଜସ୍ୱ ଟିକସ ଅର୍ଥ ଆଦାୟ ପରିମାଣ ୬୮ ପତିଶତକୁ ଟପିଯାଇଛି । (ତଥ୍ୟ)

