Home General ମିଳୁନି ଫନି ସହାୟତା

ମିଳୁନି ଫନି ସହାୟତା

ଭୁବନେଶ୍ୱର : ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ରେ ପ୍ରାୟ ୭ବର୍ଷ ପରେ କ୍ଷତିଗ୍ରସ୍ତ ହୋଇଥିବା ବହୁ ପରିବାର ଏଯାବତ୍‍ ସରକାରୀ ସହାୟତା ପାଇନାହାନ୍ତି । ଏ ସଂପର୍କରେ ଓଡ଼ିଶା ହାଇକୋର୍ଟ ଓ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ବି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ ଅଦାଲତି ନିର୍ଦ୍ଦେଶର ସଠିକ୍‍ ଅନୁପାଳନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ ମଇ ମାସରେ ସାମୁଦ୍ରିକ ବାତ୍ୟା ଫନିର କୋପଦୃଷ୍ଟି ବିଶେଷକରି ଅବିଭକ୍ତ ପୁରୀ ଜିଲ୍ଲା ଉପରେ ଅଧିକମାତ୍ରାରେ ପଡ଼ିଥିଲା । ଏହି ବାତ୍ୟା ପରେ ସରକାରୀ କଳ ପକ୍ଷରୁ କେତେକ କ୍ଷତିଗ୍ରସ୍ତ ପରିବାରଙ୍କୁ ଯେଭଳି ଭାବେ ସହାୟତା ଦିଆଗଲା ଅନୁରୂପ ସହାୟତା କିନ୍ତୁ ଅନେକ ପରିବାରଙ୍କୁ ମିଳିଲା ନାହିଁ । ଏ ସଂକ୍ରାନ୍ତରେ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ବାରମ୍ବାର ବିଭିନ୍ନ ଫୋରମ୍‍ରେ ଉଦ୍‍ବେଗ ପ୍ରକାଶ କରାଯାଇଛି ।

ବାତ୍ୟା ବିପନ୍ନଙ୍କ ପ୍ରତି ଏଭଳି ପାତରଅନ୍ତରର ପ୍ରତିବାଦ ଜଣାଇ ସାଧାରଣ ଲୋକେ ଓ ନିର୍ବାଚିତ ଜନପ୍ରତିନିଧିମାନେ ବହୁବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗଣମାଧ୍ୟମରେ ବି ବଞ୍ôଚତ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ଲାଗି ଅନେକ ଚର୍ଚ୍ଚା ହୋଇଛି । ଶହଶହ କ୍ଷତିଗ୍ରସ୍ତ ପରିବାର ଏ ସଂକ୍ରାନ୍ତରେ ତହସିଲ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କୁ ବାରମ୍ବାର ସ୍ମାରକପତ୍ରମାନ ଦେଇଛନ୍ତି । ଏ ପର୍ଯ୍ୟନ୍ତ ବି ଅନେକ କ୍ଷତିଗ୍ରସ୍ତ ବ୍ୟକ୍ତି ସେମାନଙ୍କ ଭଙ୍ଗା ଘରକୁ ସଜାଡ଼ିପାରି ନାହାନ୍ତି ।

ଏ ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ବିଚାର କରି ଯେଉଁ ରାୟ ଆସିଥିଲା ତାହା ବିରୋଧରେ ସୁପ୍ରିମକୋର୍ଟରେ ଏସ୍‍ଏଲ୍‍ପି ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ମାମଲାର ଚୂଡ଼ାନ୍ତ ବିଚାର କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ ସହାୟତା ରାଶି ସୀମିତ ସମୟ ମଧ୍ୟରେ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାହା ବିରୋଧରେ ପ୍ରଶାସନ ପକ୍ଷରୁ ରିଭ୍ୟୁ ପିଟିସନ୍‍ ଦାଖଲ ହୋଇଥିବାବେଳେ କ୍ଷତିଗ୍ରସ୍ତଙ୍କ ସପକ୍ଷରେ ଅଦାଲତଙ୍କ ରାୟର ପୂର୍ଣ୍ଣ ଅନୁପାଳନ ହୋଇନଥିବାରୁ ଅଦାଲତ ଅବମାନନା ମାମଲା ଚାଲିଛି ।

ଆଇନ୍‍ ଅଦାଲତଙ୍କ ରାୟର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ପୁୁରୀ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରିମାଣର ଅର୍ଥ ଯୋଗାଇବା ଲାଗି ଏଯାବତ୍‍ କୌଣସି ବ୍ୟବସ୍ଥା କରିନାହାନ୍ତି । ସ୍ୱତନ୍ତ୍ର ରିଲିଫ୍‍ କମିଶନର ଏବଂ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସଂପର୍କରେ ସଂପୂର୍ଣ୍ଣ ଅବଗତ ଥାଇ ମଧ୍ୟ ଅର୍ଥ ବରାଦ କରୁନଥିବାରୁ ୭ବର୍ଷ ଧରି ସହାୟତା ରାଶିରୁ ବଞ୍ôଚତ ପରିବାରଗୁଡ଼ିକର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ବର୍ଷବର୍ଷ ଧରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଅର୍ଥ ମିଳିବା ପରେ ବଞ୍ôଚତ ପରିବାରଗୁଡ଼ିକୁ ସହାୟତା ରାଶି ଯୋଗାଇ ଦେବାରେ ହିଁ ଜିଲ୍ଲା ପ୍ରଶାସନ ସକ୍ଷମ ହେବ । ଯେଉଁ ଜିଲ୍ଲାପାଳଙ୍କ ସମୟରେ ଫନି ହୋଇଥିଲା ଏବଂ ମାମଲାର ରାୟ ପ୍ରକାଶ ସହିତ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା ସେମାନଙ୍କ ଭିତରୁ କେହି ଏବେ ପୁରୀରେ ନାହାନ୍ତି । ସେହିପରି ରାଜ୍ୟସ୍ତରୀୟ ଯେଉଁ ଅଧିକାରୀଙ୍କ ବିରୋଧରେ ଏହି ଘଟଣାରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି ସେମାନେ ବି ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ଏହି ମାମଲାରେ ନୀରବତା ଅବଲମ୍ବନ କରୁଛନ୍ତି । ଏ ପରିପ୍ରେକ୍ଷୀରେ ହାଇକୋର୍ଟ କ’ଣ ନିର୍ଦ୍ଦେଶ ଦେବେ ତାହାକୁ ବଞ୍ôଚତ କ୍ଷତିଗ୍ରସ୍ତ ପରିବାରମାନେ ଅନାଇ ରହିଛନ୍ତି । (ତଥ୍ୟ)