Home Health ଗୁଟ୍‍ଖା ବେପାର ଯଥା ପୂର୍ବଂ ତଥା ପରଂ

ଗୁଟ୍‍ଖା ବେପାର ଯଥା ପୂର୍ବଂ ତଥା ପରଂ


ଭୁବନେଶ୍ୱର : ଗୁଟ୍‍ଖା କାରବାରକୁ ନେଇ କିଛି ଦିନର ହୋ ହଲ୍ଲା ପରେ ଏବେ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଗୁଟ୍‍ଖା ବେପାର ପୂର୍ବଭଳି ଆରମ୍ଭ ହୋଇଯାଇଛି । ଦୋକାନୀମାନେ ଆଉ ଲୁଚାଛପାରେ ନୁହେଁ, ପୂରା ଖୋଲାଖୋଲି ଭାବେ ଗୁଟ୍‍ଖା ବିକ୍ରି କରୁଛନ୍ତି ।

ରାଜ୍ୟ ସରକାର ନିକଟରେ ସମସ୍ତ ପ୍ରକାର ପାନ ମସଲା ବିକ୍ରି ଉପରେ କଟକଣା ଜାରି କରିଥିଲେ । ପରେ ଏଥିରୁ ନିକୋଟିନ୍‍ ରହିତ ପାନମସଲାକୁ ବାଦ୍‍ ଦେଇଥିଲେ । ତେବେ ଏହି ଦୁଇ ଦୁଇଟି ସରକାରୀ ନିର୍ଦ୍ଦେଶନାମା ପାଇବା ମଧ୍ୟରେ ବଜାରରୁ ହଠାତ୍‍ ଗୁଟ୍‍ଖା ଉଭାନ ହୋଇଗଲା । ଲୁଚାଛପାରେ ବିକ୍ରି କରିବାକୁ ବି ଦୋକାନୀମାନେ ଡରିଲେ । ପୁଲିସ୍‍ ପ୍ରଶାସନ ମଧ୍ୟ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ଗୁଟ୍‍ଖା ଗୋଦାମ ଉପରେ ଚଢଉ କରି ବିପୁଳ ପରିମାଣରେ ଜବତ କଲା ।

ହେଲେ ଏବେ ପୁଣିଥରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା । ଚଢଉ ଏକ ପ୍ରକାର ବନ୍ଦ ହୋଇ ଯାଇଥିବାବେଳେ ଦୋକାନୀମାନେ ଖୋଲାଖୋଲି ଭାବେ ଗୁଟ୍‍ଖା ବିକ୍ରି କରୁଛନ୍ତି । ନିକୋଟିନ୍‍ ରହିତ ପ୍ୟାକେଟକୁ ଆଗରେ ରଖୁଥିବାବେଳେ ଏହା ପଛରେ ନିକୋଟିନ୍‍ ଯୁକ୍ତ ଗୁଟ୍‍ଖା ରଖି ବିକ୍ରି କରୁଛନ୍ତି । ତେବେ ସରକାରଙ୍କୁ ଚକ୍‍ମା ଦେବାପାଇଁ ଗୁଟ୍‍ଖା କମ୍ପାନୀମାନେ ନିକୋଟିନ୍‍ ରହିତ ଓ ନିକୋଟିନ୍‍ ଯୁକ୍ତ ପ୍ୟାକେଟ ପ୍ରସ୍ତୁତ କରି ବଜାରକୁ ଛାଡିବାରେ ଲାଗିଛନ୍ତି ।

ଗୁଟ୍‍ଖା ଚୋବାଉଥିବା ଲୋକେ ଏହି ଦୁଇ କିସମର ପ୍ୟାକେଟ କିଣିବା ସହିତ ତାହାକୁ ମିଶାଇ ଖାଉଛନ୍ତି । ତେଣୁ ଯିଏ ଗୁଟ୍‍ଖା ମାଗୁଛି ତାକୁ ଦୋକାନୀ ପ୍ରଥମେ ନିକେଟିନ୍‍ ରହିତ ପ୍ୟାକେଟ ଦେଇ ଲକ୍ଷ୍ୟ କରୁଛି । ଯଦି ବ୍ୟକ୍ତି ଜଣଙ୍କ ଆଉ ଗୋଟିଏ ପୁଡିଆ ମାଗୁଛି ତେବେ ଭିତରେ ରଖିଥିବା ଡବାରୁ ନିକୋଟିନ୍‍ ଯୁକ୍ତ ଗୁଟ୍‍ଖା ଆଣି ଦେଉଛି । ସରକାରଙ୍କ ବିଜ୍ଞପ୍ତି ପରେ ହଠାତ୍‍ ଦୁଇ ତିନି ଗୁଣ ଦର ବୃଦ୍ଧି ଯୋଗୁଁ ଅନେକ ଏଥିରୁ ମୁହଁ ଫେରାଇ ନେଇଥିଲେ । ଏବେ କିନ୍ତୁ ଦର ହ୍ରାସ ଯୋଗୁଁ ପୁଣିଥରେ ପୂର୍ବଭଳି ଲୋକେ ଗୁଟ୍‍ଖା ଚୋବାଇବାରେ ବ୍ୟସ୍ତ ।

ଓଡିଶାରେ ବିକ୍ରି ହେଉଥିବା ନିକୋଟିନ୍‍ ଯୁକ୍ତ ପାନମସଲାର ସିଂହଭାଗ ରାଜ୍ୟ ବାହାରୁ ଆସୁଛି । ଦେଶର ପ୍ରାୟ ୧୭ଟି ରାଜ୍ୟରେ ଥିବା ଗୁଟ୍‍ଖା ପ୍ରସ୍ତୁତକାରୀମାନେ ପ୍ରତଦିନ ଟ୍ରକ ଟ୍ରକ ଗୁଟ୍‍ଖା ଓଡିଶାକୁ ପଠାଉଛନ୍ତି । ସୀମାନ୍ତ ତନଖି ଫାଟକ ଦେଇ ଏହା ଓଡିଶାରେ ପ୍ରବେଶ କରୁଥିବାବେଳେ ଅର୍ଥ ବିଭାଗ ମଧ୍ୟ ଏଥିରୁ ଟିକସ ଆଦାୟ କରିଆସୁଛି । ତେଣୁ ସରକାର ଫାଟକରେ ଏହାକୁ ନଧରି ସହରର ଗଳି କନ୍ଦିରେ ଥିବା ଛୋଟ ଛୋଟ ଦୋକାନରେ ଚଢଉ କରିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାର ପାନମସଲା ଉପରେ କଟକଣା ଜାରି କରିବାପରେ ବିଭିନ୍ନ ସ୍ତରରୁ ସରକାରଙ୍କ ପଦକ୍ଷେପ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା । ସବୁ ବର୍ଗର ଲୋକେ ଏହାକୁ ସମର୍ଥନ ବି କରିଥିଲେ । ଲୋକଙ୍କ ସମର୍ଥନ ଦେଖି ସରକାରୀକଳ ବି ଚଢଉକୁ ଜୋରଦାର କରିଥିଲା । ହେଲେ ସରକାରଙ୍କର ପରବର୍ତ୍ତୀ ନିର୍ଦ୍ଦେଶନାମାରେ କଟକଣାରୁ ନିକୋଟିନ୍‍ ରହିତ ପାନମସଲାକୁ ହଟାଇ ଦିଆଯିବା ପରେ ଏବେ ରାଜ୍ୟରେ ପୁଣିଥରେ ଗୁଟ୍‍ଖା ବ୍ୟବସାୟ ଜୋରଦାର ହୋଇଛି । କର୍କଟ ସୃଷ୍ଟିକାରୀ ଏହି ବିଷାକ୍ତ ପଦାର୍ଥକୁ ରୋକିବାପାଇଁ ସବୁ ଦିଗରୁ ମତପ୍ରକାଶ ପାଉଥିବାବେଳେ ସରକାର କେବେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)