ଭୁବନେଶ୍ୱର : ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ଅଧିନରେ ଓଡିଶାକୁ ମିଳୁଥିବା ଅର୍ଥ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଲୋକସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ।
କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨୦୨୨-୨୩ରେ ଓଡିଶାକୁ ୧୨୮୪ କୋଟି ଟଙ୍କା ମିଳିଥିବାବେଳେ ୨୦୨୩-୨୪ରେ ଏହା ୧୯୦୧ କୋଟି ଟଙ୍କା ଥିଲା । ୨୦୨୪-୨୫ ବର୍ଷରେ ମିଶନ ଅଧିନରେ କେନ୍ଦ୍ରରୁ ମିଳିଥିବା ଅର୍ଥ ପରିମାଣ ୧୯୧୬ କୋଟି ଟଙ୍କାକୁ ଟପିଯାଇଛି । ୨୦୨୬-୨୭ ବର୍ଷର ବଜେଟ୍ରେ ଓଡିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୯,୩୯୦ କୋଟି ଟଙ୍କାର ଅର୍ଥ ବରାଦ ହୋଇଥିବାବେଳେ ପିଏମ୍-ଅଭିମ୍ ଅଧିନରେ ୪୨୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିଶେଷକରି ଶିଶୁ ଓ ମାତୃ ସ୍ୱାସ୍ଥ୍ୟରେ ବେଶ୍ ଉନ୍ନତି ପରିଲକ୍ଷିତ ହୋଇଛି । ଓଡିଶାରେ ୨୦୦୫-୦୬ ବର୍ଷରେ ଡାକ୍ତରଖାନାରେ ହାରାହାରି ୩୫.୬ ପ୍ରତିଶତ ପ୍ରସବ ହେଉଥିବାବେଳେ ଏବେ ତାହା ୯୨ ପ୍ରତିଶତକୁ ଟପିଯାଇଛି । ଏହା ଜାତୀୟ ହାର ୮୮.୬ ପ୍ରତିଶତ ତୁଳନାରେ ମଧ୍ୟ ଅଧିକ ରହିଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ।
ସେହିଭଳି ୨୦୦୫ ମସିହାରେ ରାଜ୍ୟରେ ଜନ୍ମଲାଭ କରୁଥିବା ପ୍ରତି ହଜାରେ ଶିଶୁଙ୍କ ମଧ୍ୟରୁ ୭୫ଜଣ ମୃତ୍ୟୁମୁଖରେ ପଡୁଥିବାବେଳେ ୨୦୨୩ରେ ଏହା ୪୫ ରେ ପହଞ୍ଚିଛି । ମାତୃ ମୃତ୍ୟୁହାର ମଧ୍ୟ ଅନୁରୂପ ଭାବେ ହ୍ରାସ ପାଇଛି । ୨୦୦୭-୦୯ରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୨୫୮ ଜଣ ମୃତ୍ୟୁମୁଖରେ ପଡୁଥିବାବେଳେ ୨୦୨୧-୨୩ ରେ ଏହି ସଂଖ୍ୟା ୧୫୩କୁ ହ୍ରାସ ପାଇଛି ।
ସେହିଭଳି କନ୍ଧମାଳ ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ମିଳିଥିବା ଖର୍ଚ୍ଚ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୨-୨୩ ମସିହାରେ ଜିଲ୍ଲାରେ ୫୩ କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୬୬ କୋଟି ୫୨ଲକ୍ଷ ଟଙ୍କାକୁ ଟପିଥିଲା । ତେବେ ୨୦୨୪-୨୫ ବର୍ଷରେ ଜିଲ୍ଲାରେ ସ୍ୱାସ୍ଥ୍ୟ ମିଶନ ଅର୍ଥ ବ୍ୟୟ ପାଖପାଖି ୫୨ କୋଟି ଟଙ୍କା ରହିଛି ।
କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ମିଶନ ଅଧିନରେ ଶିଶୁ ସ୍ୱାସ୍ଥ୍ୟ ବିଶେଷକରି ଶିଶୁଙ୍କ ଟୀକାକରଣ, ପୋଲିଓ ଟୀକା ପ୍ରଦାନ, ଆୟୋଡିନ ଅଭାବ ଦୂରୀକରଣ କାର୍ଯ୍ୟକ୍ରମ ସମେତ ଭେକ୍ଟର ବାହିତ ରୋଗ ନିରାକରଣ, କୁଷ୍ଟ ନିରାକରଣ, ଫାଇଲେରିଆ ନିରାକରଣ, ଜଳତଙ୍କ ରୋଗର ମୁକାବିଲା, ଅନ୍ଧତ୍ୱ ଦୂରୀକରଣ, ବୟସ୍କଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା, ଅଣସଂକ୍ରାମକ ରୋଗର ମୁକାବିଲା, ଜଳବାୟୁ ପରିବର୍ତ୍ତନ ଜନିତ ସ୍ୱାସ୍ଥ୍ୟ ସେବାର ମୁକାବିଲା ଆଦି ଅନେକ କାର୍ଯ୍ୟକ୍ରମ ଅର୍ନ୍ତଭୁକ୍ତ । (ତଥ୍ୟ)

