Home General ରତ୍ନଭଣ୍ଡାରରେ ଗଚ୍ଛିତ ଅଛି କେତେ ସଂପଦ?

ରତ୍ନଭଣ୍ଡାରରେ ଗଚ୍ଛିତ ଅଛି କେତେ ସଂପଦ?

ଭୁବନେଶ୍ୱର : ପାଖାପାଖି ଅର୍ଦ୍ଧଶତାବ୍ଦୀ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ମହଜୁଦ ଥିବା ମୂଲ୍ୟବାନ ଅଳଙ୍କାର ସବୁର ଗଣତି ମଣତି ହେଉନଥିବାବେଳେ ଏବେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱଭୂଷଣ ହରିଚନ୍ଦନ ନୀଳମଣି ରାଉତରାୟଙ୍କ ସରକାରରେ ଆଇନ୍‍ ମନ୍ତ୍ରୀ ଥିବାବେଳେ ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରରେ ମହଜୁଦ ଥିବା ସମସ୍ତ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ସେ ବର୍ଷ ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ଭିତରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ଏହି ଗଣତି ମଣତି କାମ ହୋଇଥିଲା । ଏବେ ଓଡ଼ିଶା ହାଇକୋର୍ଟ ୩ମାସ ଭିତରେ ଗଣତି ମଣତି କାମ ସାରିବାକୁ ସ୍ପଷ୍ଟ ଭାବେ କହିଛନ୍ତି ।

୧୯୭୮ରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ୧୨,୮୩୧ ଭରି ଏକ ଅଣା ଓଜନର ସୁନା ଅଳଙ୍କାର ଏବଂ ୨୨,୧୫୩ ଭରି ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ଥିବା ଜଣାପଡିଥିଲା । ଅବଶ୍ୟ ଏହି ସୁନା ରୁପା ସାମଗ୍ରୀ ଭିତରେ ମୂଲ୍ୟବାନ ପଥର ମଧ୍ୟ ଖଚିତ ଥିଲା । ଏହାଛଡ଼ା ବିଭିନ୍ନ କାରଣରୁ ଆଉ ୧୪ଟି ସୁନା ଓ ରୁପା ଜିନିଷ ଓଜନ କରାଯାଇପାରିନଥିବାରୁ ତାହାର ହିସାବ ଏଥିସହ ସାମିଲ କରାଯାଇନଥିଲା । ଏସବୁର ଆନୁମାନିକ ମୂଲ୍ୟ ପାଖାପାଖି ୪୦ କୋଟି ଟଙ୍କା ହୋଇପାରେ ।

ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ସଂପତ୍ତିର ହିସାବ ରଖିବା ପାଇଁ ପ୍ରାବଧାନ ଥିଲେ ବି ୪୮ବର୍ଷ ଧରି ଆଉ ଏଠାରେ ଗଣତି ମଣତି କରାଯାଇନଥିବା ଜଗନ୍ନାଥ ପ୍ରେମୀଙ୍କ ମହଲରେ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଆସୁଛି । ଶ୍ରୀମନ୍ଦିରର ସୁରକ୍ଷା ସଂପର୍କିତ ଏକ ମାମଲାରେ ଓଡ଼ିଶା ହାଇକୋର୍ଟ ନିରାପତ୍ତା ସ୍ଥିତି ଯାଞ୍ଚ କରିବା ଲାଗି ବହୁ ପୂର୍ବରୁ କହିଥିଲେ । ଏହାର ଅନୁପାଳନ ପାଇଁ ଏକ ୧୭ଜଣିଆ ପ୍ରତିନିଧି ଦଳ ମନ୍ଦିରର ଭଣ୍ଡାର ଘର ଯାଞ୍ଚ ପାଇଁ ଯାଇଥଲେ ମଧ୍ୟ ସେମାନେ ବାହାର ଭଣ୍ଡାର ଦେଖି ଆଉଭିତର ଭଣ୍ଡାର ଘରକୁ ଯାଇନଥିଲେ । ଟର୍ଚ୍ଚ ଆଲୁଅରେ ସ୍ଥିତି ଆକଳନ କରି ସେମାନେ ଫେରିଆସିଥିଲେ ।

ସେତେବେଳେ ଜଣାପଡିଥିଲା ଯେ ଭିତର ଭଣ୍ଡାର ଘରର ଚାବି ସରକାରୀ ଟ୍ରେଜେରୀରେ ନଥିବା ସଂକ୍ରାନ୍ତରେ । ଅବଶ୍ୟ ପରବର୍ତ୍ତୀ ସମୟରେ ପୁରୀ କଲେକ୍ଟରେଟ୍‍ ରେକର୍ଡ ରୁମ୍‍ରେ ଏକ ଲଫାପା ଭିତରୁ ଚାବି ମିଳିଥିଲା ଯାହାକୁ ରତ୍ନଭଣ୍ଡାରର ଚାବି ବୋଲି କୁହାଗଲା । ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିବାରୁ ସେତେେବେଳ ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଯାଇଥିଲା । ଏହି କମିଶନ ଦୀର୍ଘବର୍ଷ ତଳୁ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଥିଲେ ମଧ୍ୟ ତାହା ସାର୍ବଜନୀନ ହୋଇନାହିଁ । ଏବେ ଓଡ଼ିଶା ହାଇକୋର୍ଟ ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବାକୁ ଅନ୍ୟ ଏକ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୪ର ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ସଂକଳ୍ପ ପତ୍ରରେ ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବା ସହିତ ରତ୍ନଭଣ୍ଡାରରେ ମହଜୁଦ ସାମଗ୍ରୀଗୁଡ଼ିକର ଗଣତି ମଣତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହେବ ବୋଲି କୁହାଯାଇଥିଲା । ଅବଶ୍ୟ ଇତିମଧ୍ୟରେ ଦ୍ୱାର ଖୋଲା ପ୍ରତିଶ୍ରୁତି ପାଳନ କରାଯାଇଛି । ରତ୍ନଭଣ୍ଡାରର ସାମଗ୍ରୀ ଗଣତି ମଣତି ପାଇଁ ପୂର୍ବ ସରକାର ସମୟରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବାବେଳେ ବିଜେପି ସରକାର ସମୟରେ ଏହି କମିଟିକୁ ଭାଙ୍ଗିଦେଇ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ସରକାରଙ୍କ ଆଇନ୍‍ କମିଶନର ଅଧ୍ୟକ୍ଷ ଥିବା ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ କମିଟି ଗଠନ କରାଯାଇଛି ।

ଏହି କମିଟି ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯିବା ସହ ସେଠାରୁ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ଏବଂ ରତ୍ନଭଣ୍ଡାର ଗୃହର ମରାମତି କରାଯିବା ପରେ ସେଠାକୁ ପୁଣି ଏହି ସାମଗ୍ରୀଗୁଡ଼ିକ ଫେରାଇ ଅଣାଯାଇଛି । ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାରର ଗଣତି ମଣତି ପାଇଁ ସୁପାରିସ କରିଥିବାବେଳେ ରିଜର୍ଭ ବ୍ୟାଙ୍କର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଗଣତି ମଣତି କରିବା ସଂକ୍ରାନ୍ତରେ ମଧ୍ୟ ମାର୍ଗ ନିର୍ଦ୍ଦେଶିକା ପ୍ରସ୍ତୁତ ହୋଇଛି । ସଂଯୋଗକ୍ରମେ ପୃଥ୍ୱୀରାଜ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ୪୮ବର୍ଷ ପରେ ରତ୍ନଭଣ୍ଡାର ସାମଗ୍ରୀଗୁଡ଼ିକର ଗଣତି ମଣତି ହେବାର ଅଛି ।(ତଥ୍ୟ)