Home News in Odia ଚୋରା ଗଞ୍ଜେଇ ଜବତରେ ଓଡ଼ିଶା ପ୍ରଥମ

ଚୋରା ଗଞ୍ଜେଇ ଜବତରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟରେ ଯେତେ ପରିମାଣର ଚୋରା ଗଞ୍ଜେଇ ଜବତ ହେଉଛି ସେଥିରେ ଓଡ଼ିଶାର ସ୍ଥାନ ପ୍ରଥମରେ ରହିଛି । ଆଳୁ, କପଡ଼ା, ଲୁୁଣ, ତେଲ, ଚିନି ଆଦି ଉତ୍ପାଦନ କ୍ଷେତ୍ରରେ ଢେର ପଛରେ ପଡ଼ିଥିବା ଓଡ଼ିଶାରେ ସର୍ବାଧିକ ଗଞ୍ଜେଇ ଜବତ ହେଉଥିବାବେଳେ ଏଠି ଗଞ୍ଜେଇ ଉତ୍ପାଦନର ନିର୍ଦ୍ଦିଷ୍ଟ ପରିମାଣ କିନ୍ତୁ ଜଣାପଡୁନାହିଁ ।

ରିପୋର୍ଟ ମୁତାବକ ୫ବର୍ଷରେ ଓଡ଼ିଶାରୁ ସର୍ବାଧିକ ୧୦ଲକ୍ଷ ୬୦ ହଜାର କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଏହି ସମୟରେ ସିକିମ୍‍ ଭଳି ପାହାଡ଼ିଆ ରାଜ୍ୟରୁ ଜବତ ହୋଇଛି ମାତ୍ର ୪କିଲୋ ଗଞ୍ଜେଇ । ଗଞ୍ଜେଇ ଧରା ହେବା କ୍ଷେତ୍ରରେ ଓଡ଼ିଶା ପଛକୁ ରହିଛି ଆନ୍ଧ୍ର ପ୍ରଦେଶର ସ୍ଥାନ । ଏଠାରେ ଗତ ୫ବର୍ଷରେ ପ୍ରାୟ ୫ଲକ୍ଷ ୫୦ ହଜାର କିଲୋ ଗଞ୍ଜେଇ ଧରାପଡିଛି । ଉତ୍ତରପ୍ରଦେଶରେ ଏହି ସମୟ ଭିତରେ ୨ଲକ୍ଷ ୪୦ ହଜାର କିଲୋ ଗଞ୍ଜେଇ ଧରାପଡିଥିବାବେଳେ ଆସାମ, ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ୧ଲକ୍ଷରୁ ୨ଲକ୍ଷ କିଲୋ ପର୍ଯ୍ୟନ୍ତ ଗଞ୍ଜେଇ ଧରାହୋଇଛି । ତେବେ କେରଳ ଭଳି ଶିକ୍ଷିତ ଏବଂ ସ୍ୱାସ୍ଥ୍ୟ ଓ କର୍ମ ସଚେତନ ରାଜ୍ୟରେ କିନ୍ତୁ ବିଗତ ୫ବର୍ଷ ଭିିତରେ ଧରାପଡିଛି ମାତ୍ର ସାଢ଼େ ୫ କିଲୋ ଚୋରା ଗଞ୍ଜେଇ ।

ରାଜ୍ୟ ସରକାରଙ୍କ ଗୃହ ବିଭାଗର ତଥ୍ୟ ମୁତାବକ ୨୦୨୪ ବର୍ଷରେ ଓଡ଼ିଶାରେ ୨୧୬୦ଟି ମାମଲା ମାଦକ ଦ୍ରବ୍ୟ ନିରୋଧ ଆଇନ୍‍ ବଳରେ ପଞ୍ଜିକରଣ କରାଯାଇ ୨୨୭୬ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କଠାରୁ ଉକ୍ତ ବର୍ଷ ୧୪୫୨ କ୍ୱିଣ୍ଟାଲ ୭୬ କେଜି ୯୧୦ ଗ୍ରାମର ଗଞ୍ଜେଇ ଏବଂ ୧୦ କେଜି ୨ ଗ୍ରାମ ୬୦୨ ମିଲିଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା ।

ଅବକାରୀ ବିଭାଗର ତଥ୍ୟ ମୁତାବକ ଏନ୍‍ଡିପିଏସ୍‍ ଆଇନ୍‍ ଆଧାରରେ ୨୦୨୪-୨୫ ବର୍ଷର ଜାନୁଆରୀ ମାସ ସୁଦ୍ଧା ୧୨୫୧ଟି ମାମଲା ରୁଜୁ କରାଯାଇ ୧୫୫୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଏହି ସମୟ ମଧ୍ୟରେ ପାଖାପାଖି ୨୫ କ୍ୱିଣ୍ଟାଲ ଗଞ୍ଜେଇ, ୨୫ କେଜିରୁ ଅଧିକ ବ୍ରାଉନ୍‍ ସୁଗାର ଓ ୧୧୬୬ ବିୟର ଲିଟର କଫ୍‍ ସିରପ୍‍ ମଧ୍ୟ ଧରାପଡିଥିଲା । ଅବକାରୀ ବିାଭଗର ଦାବି ମୁତାବକ ୨୦୨୪-୨୫ ବର୍ଷର ଜାନୁଆରୀ ସୁଦ୍ଧା ୨୨ଲକ୍ଷ ୫୦ ହଜାରରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା, ଯାହା ୨୨ ହଜାର ଏକରରୁ ଅଧିକ ଜମିରେ ଚାଷ କରାଯାଉଥିଲା ।

ଏବେ ପ୍ରାୟ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ଗଞ୍ଜେଇ ଜବତ ହେଉଥିବାର ଖବର ପ୍ରକାଶ ପାଉଛି । ଏମିତିକି ଓଡ଼ିଶାରୁ ଚୋରା ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଞ୍ଜେଇ ବିଭିନ୍ନ ରାଜ୍ୟରୁ ମଧ୍ୟ ଧରାପଡୁଛି । ଏମିତିକି ଚୋରା ନିଶା ବେପାରୀମାନେ ଗଞ୍ଜେଇ ତେଲ ପ୍ରସ୍ତୁତ କରି ତାହା ଚାଲାଣ କରୁଛନ୍ତି । ବେଳେବେଳେ ବି ଏହି ଦାମୀ ଗଞ୍ଜେଇ ତେଲ ଧରାପଡୁଛି । ମୋଟାମୋଟି ଭାବେ ଓଡ଼ିଶାରେ ମଦ, ଗଞ୍ଜେଇ, ବ୍ରାଉନସୁଗାର ସମେତ ବିଭିନ୍ନ କିସମର ନିଶା ବ୍ୟବହାର ଓ କାରବାର ବଢ଼ୁଛି ।

ଗଞ୍ଜେଇ ଚାଷକୁ ମୂଳରୁ ନିଷିଦ୍ଧ ନକରି ଗଞ୍ଜେଇ ଉତ୍ପାଦନ ସମୟରେ ଅବଶ୍ୟ କେତେକ ଅଞ୍ଚଳରେ ଗଞ୍ଜେଇ କ୍ଷେତ ନଷ୍ଟ କରାଯାଉଛି । ଗ୍ରାମାଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଦଳମତ ନିର୍ବିଶେଷରେ ରାଜନେତା ଏବଂ କ୍ଷେତ୍ର କର୍ମଚାରୀମାନେ ଜାଣନ୍ତି କେଉଁ ଅଞ୍ଚଳରେ କେଉଁଠି କିଏ ଗଞ୍ଜେଇ ଚାଷ କରୁଛି । ମୂଳରୁ ଏହାକୁ ସଂପୂର୍ଣ୍ଣ ନିବାରଣ କରାଗଲେ ଚୋରା ଗଞ୍ଜେଇ ଘେନି ଓଡ଼ିଶାର ବଦନାମ ବଢ଼ନ୍ତା ନାହିଁ । ଏଣେ ଅବକାରୀ ବିଭାଗର ତଥ୍ୟ ମୁୁତାବକ ୨୦୨୦-୨୧ରୁ ୨୦୨୫ ପର୍ଯ୍ୟନ୍ତ ୫ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩ଲକ୍ଷ ୧୭ ହଜାରରୁ ଅଧିକ ଅବକାରୀ ମାମଲା ବିଚାର ପାଇଁ ଥିବାବେଳେ ଏଥିରୁ ମାତ୍ର ୨୨୧ଟି ଦଣ୍ଡବିଧାନ କରାଯାଇଥିବାବେଳେ ୫୭,୬୮୬ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ।