ଭୁବନେଶ୍ୱର : ସରକାରଙ୍କ ଆର୍ଥିକ ସଂକଟ ଓ ଅନ୍ୟାନ୍ୟ କାରଣରୁ କିଛିବର୍ଷ ଧରି ସରକାରୀ ଚାକିରିରେ ନିଯୁକ୍ତି ଏକ ପ୍ରକାର ଦୁର୍ଲଭ ହୋଇପଡିଥିବାବେଳେ ଯେତେ ଅଳ୍ପ ସଂଖ୍ୟକ ଚାକିରି ପାଇବି ନିଯୁକ୍ତି ପ୍ରକ୍ରିୟା ଧିମା ଗତିରେ ଚାଲୁଛି ସେଥିରୁ ଅନେକ କ୍ଷେତ୍ରରେ ଅନିୟମିତତା, ପକ୍ଷପାତିତା ଆଦି କାରଣ ଯୋଗୁ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ସୁଯୋଗରୁ ବଞ୍ôଚତ ହୋଇ ବାରଦୂଆର ଶୁଣ୍ଢିପିଣ୍ଡା ହେଉଛନ୍ତି ।
ସାମ୍ବିଧାନିକ ସଂସ୍ଥା ଓଡ଼ିଶା ଲୋକସେବା ଆୟୋଗ ଠାରୁ ଆରମ୍ଭ କରି ଷ୍ଟାଫ୍ ସିଲେକ୍ସନ କମିଶନ, ପୋଲିସ ନିଯୁକ୍ତି ବୋର୍ଡ ଆଦିରେ ବାରମ୍ବାର ଏଭଳି ଘଟୁଛି । ଅତୀତରେ ଏହି କାରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଆଇନ୍ ଅଦାଲତରେ ବେଶ୍ ଘାଣ୍ଟି ହେବାକୁ ପଡିଛି । ଏବେ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି କେଳେଙ୍କାରୀ ମାମଲାରେ ଅନେକ ବ୍ୟକ୍ତି କାରାରୁଦ୍ଧ ଥିବାବେଳେ ମାମଲାର ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ଏଭଳି ସ୍ଥିତିରେ ପୁଲିସ ଏସ୍ଆଇ ନିଯୁକ୍ତି ପାଇଁ ପରୀକ୍ଷା କେବେ ହେବ ତାହା କେହି ସଠିକ୍ ଭାବେ କହିପାରୁ ନାହାନ୍ତି ।
ଦନ୍ତ ଚିକିତ୍ସିତ ନିଯୁକ୍ତି କ୍ଷେତ୍ରରେ ୧୧ଜଣ ମେଧାବୀ ପ୍ରାର୍ଥୀଙ୍କୁ ଉପେକ୍ଷା କରି କମ୍ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ଘଟଣାରେ ଖୋଦ୍ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ସେହିଭଳି ୨୦୧୭ ବ୍ୟାଚର ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ୧୩୦୨ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦିଆଯିବା ଘଟଣାରେ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରି ବଞ୍ôଚତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଲାଗି ୨୦୨୪ ମସିହାରେ ରାୟ ଶୁଣାଇବା ପରେ ବାଧ୍ୟ ହୋଇ ରାଜ୍ୟ ସରକାର ୨୦୨୫ରେ ଉକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ପ୍ରାର୍ଥୀଙ୍କୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଦେବା ଲାଗି ଓଡ଼ିଶା ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟ ଲୋକସେବା ଆୟୋଗଙ୍କୁ ଚିଠିଟିଏ ଲେଖିଦେଇ ବସିଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡ ଉପରେ ଅଦାଲତ ଅବମାନନାର ଖଣ୍ଡା ଝୁଲୁଛି ।
୧୯୯୭ ବ୍ୟାଚର ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ବହୁ ଯୋଗ୍ୟ ପ୍ରାର୍ଥୀ ଓଏଏସ୍ ଚାକିରିରୁ ବଞ୍ôଚତ ହୋଇ ଅନ୍ୟ ଚାକିରିରେ ଯୋଗ ଦେଇଥିଲେ । ଏହି ମାମଲା ସ୍ୟାଟ୍, ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟକୁ ଯାଇଥିଲା । ଶେଷରେ ଅଦାଲତ ଅବମାନନା ଦଣ୍ଡ ଭୟରେ ଏହି ବ୍ୟାଚ୍ର ୧୯ଜଣ ପ୍ରାର୍ଥୀଙ୍କୁ ପିଛିଲା ତାରିଖରୁ ଓଏଏସ୍ ଚାକିରିରେ ନିଯୁକ୍ତି ଦେଇ ପଦୋନ୍ନତି ଓ ଉଚ୍ଚ ହାରରେ ଦରମା ନିର୍ଦ୍ଧାରଣ ପାଇଁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁ ୧୯ଜଣଙ୍କ ନାମ ଏହି ତାଲିକାରେ ରହିଛି ସେମାନଙ୍କ ଭିତରୁ ଜଣକର ମୃତ୍ୟୁ ହୋଇଯାଇଥିବାବେଳେ ଆଉ ଜଣେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଓ ଅନ୍ୟ ଜଣେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରୁଛନ୍ତି ।
ଓଡ଼ିଶା ସଶସ୍ତ୍ର ପୋଲିସ ଷଷ୍ଠ ବାଟାଲିୟନର ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚଞ୍ଚକତା ପୂର୍ବକ ଅଯୋଗ୍ୟ ଘୋଷଣା କରାଯିବାରେ ସେ ଆଇନ୍ ଅଦାଲତର ଦ୍ୱାରସ୍ଥ ହୋଇ ଶେଷରେ ବହୁ ବିଳମ୍ବରେ ନ୍ୟାୟ ପାଇବାର ନଜିର ରହିଛି । ଓଜେଏସ୍ ଏବଂ ଏଏସ୍ଓ ପରୀକ୍ଷାରେ ବାରମ୍ବାର ଅନିୟମିତତା ମଧ୍ୟ ଧରାପଡିଛି । ବଲାଙ୍ଗୀର ଜିଲ୍ଳାରେ ଅତୀତରେ ରାଜସ୍ୱ ବିଭାଗର କେତେକ ପଦବୀରେ ନିଯୁକ୍ତି ଲାଗି ବ୍ୟାପକ କେଳେଙ୍କାରୀ ଘଟିବା ପରିପ୍ରେକ୍ଷୀରେ ଅନେକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟାନ୍ୟ ବିଭାଗରେ ପାଖାପାଖି ୨ଲକ୍ଷ ସରକାରୀ ଚାକିରି ଖାଲି ପଡିଥିବାବେଳେ ବେକାରୀ ସମସ୍ୟାର ଉତ୍କଟତାରୁ ଫାଇଦା ଉଠାଇ ପ୍ରାର୍ଥୀ ଚୟନରେ ବିଭିନ୍ନ ସ୍ତରରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଲାଗି ରହୁଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି ।

