Home Environment ବାୟୁ ପ୍ରଦୂଷଣ କଥା ଭୁଲିଗଲେଣି

ବାୟୁ ପ୍ରଦୂଷଣ କଥା ଭୁଲିଗଲେଣି

ଭୁବନେଶ୍ୱର : ଯାନ ବାହାନର ପ୍ରଦୂଷଣ ଯାଞ୍ଚ ଘଟଣା ଥଣ୍ଡା ପଡିବାପରେ ରାଜଧାନୀର ବାୟୁ ପ୍ରଦୂଷଣ କଥାକୁ ସମସ୍ତେ ଏକ ପ୍ରକାର ଭୁଲିଗଲେଣି । ଆଜି ବି ରାଜଧାନୀରେ ବାୟୁର ଏକ୍ୟୁଆଇ ୧୭୦ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ରାଜଧାନୀର ବାୟୁ ପ୍ରଦୂଷଣ ଗତ କିଛି ଦିନ ଧରି ଅତ୍ୟନ୍ତ କ୍ଷତିକାରକ ସ୍ଥିତିରେ ରହୁଛି । ଲଗାତାର ଭାବେ ଏହା ୧୫୦ ଏକ୍ୟୁଆଇ ଉପରେ ରହିବାରୁ ସରକାର ଗାଡିମୋଟର ପ୍ରଦୂଷଣ ଯାଞ୍ଚକୁ ଗୁରୁତ୍ୱ ଦେଇଥିଲେ । ଏହି ମାମଲା ଆଇନ୍‍ ଅଦାଲତରେ ପହଞ୍ଚିବା ପରେ ଆଉ ରାସ୍ତାଘାଟରେ ଗାଡିମୋଟରର ପ୍ରଦୂଷଣ ମାତ୍ରା ଯାଞ୍ଚ ହେଉନାହିଁ କି ଯାଞ୍ଚ କେନ୍ଦ୍ରରେ ଆଉ ଭିଡ ବି ନାହିଁ ।

କେବଳ ଗାଡିମୋଟର ଯାଞ୍ଚ ନୁହେଁ, ରାଜଧାନୀରେ ବାୟୁ ପ୍ରଦୂଷଣ ହ୍ରାସପାଇଁ ବିଏମ୍‍ସି ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ବି କଟକଣା ଲଗାଯାଇଥିଲା । ହେଲେ ତାକୁ ଆଉ କେହି ପାଳନ କରୁନଥିବା ଲକ୍ଷ୍ୟ କରାଯାଉଛି । ଯିଏ ଯେତେବେଳେ ଯେମିତି ପାରୁଛି ଖୋଲାମେଲାରେ ନିର୍ମାଣ କାର୍ଯ୍ୟ ଚଳାଇଛି । ବିଧାୟକମାନଙ୍କପାଇଁ ନିର୍ମାଣ ହେଉଥିବା ସରକାରୀ ବାସଗୃହକୁ ଦେଖିଲେ ଯେ କେହି ଏହା ଜାଣିପାରିବ । ଏଠାରେ ଖୋଲା ମେଲାରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଆଖପାଖରେ ଥିବା ଗଛପତ୍ର ନିଜର ସବୁଜତା ହରାଇଲେଣି ।

ସେହିଭଳି ସହରର ଅନ୍ୟ ସ୍ଥାନଗୁଡିକରେ ବେଧଡକ ନିର୍ମାଣ କାର୍ଯ୍ୟ ଜାରି ରହିଛି । ନିର୍ମାଣ ସ୍ଥଳୀରେ ଧୂଳିକଣାକୁ ରୋକିବାପାଇଁ ପାଲ ଘେରାଇବାର ନିୟମ ଥିଲେ ମଧ୍ୟ ଖର୍ଚ୍ଚ ପାଇଁ ଅନେକ ସ୍ଥାନରେ ଏହା ପାଳନ କରାଯାଉ ନାହିଁ । ଫଳରେ ନିର୍ମାଣ ସ୍ଥାନ ଆଖପାଖରେ ରହୁଥିବା ଲୋକେ ଧୂଳି ବାଲିରେ ନୟାନ୍ତ ହେଉଛନ୍ତି ।

ରାଜଧାନୀରେ ବର୍ତ୍ତମାନ ବାୟୁରମାନ ଯେଉଁ ସ୍ତରରେ ରହିଛି ତାହା ଲୋକଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ । ଦିନକୁ ୪ଟି ସିଗାରେଟ ଟାଣିଲେ ଯେତିକି କ୍ଷତି ହେବ ସେତିକି କ୍ଷତି ଏବେ ରାଜଧାନୀରେ ଆତ ଜାତ ହେଉଥିବା ଲୋକମାନଙ୍କର ହେଉଛି । ରାଜଧାନୀରେ ନିର୍ମାଣ କାର୍ଯ୍ୟ ସହିତ ଗାଡିମୋଟର ଯୋଗୁଁ ବାୟୁ ପ୍ରଦୂଷଣ କିଭଳି ହେଉଛି ତାହାର ଉଦାହରଣ ହେଉଛି ୨୦୨୧ ମସିହା ଫେବୃୟାରୀ ମାସରେ କରୋନା ସମୟରେ ଥିବା ବାୟୁର ସ୍ତର । ସେତେବେଳେ କରୋନା ସଂକ୍ରମଣ ଭୟରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ଓ ଗାଡିମୋଟର ଆତଯାତ ନଥିବାରୁ ବାୟୁର ଏକ୍ୟୁଆଇ ମାତ୍ର ୬ ରହିଥିଲା ।

ବର୍ତ୍ତମାନର ବାୟୁର ଅସ୍ୱାସ୍ଥ୍ୟକର ସ୍ଥିତିକୁ ଦେଖି ଲୋକମାନଙ୍କୁ ମାସ୍କ ବ୍ୟବହାର ସହିତ ଜରୁରୀ କାର୍ଯ୍ୟ ନଥିଲେ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ତେବେ ଦିଲ୍ଲୀ ବାୟୁ ପ୍ରଦୂଷଣ ଉତ୍କଟ ସ୍ଥିତିରେ ପହଞ୍ଚିବାପରେ ଓଡିଶା ସରକାର ଯେଭଳି ତତ୍ପରତା ଦେଖାଇଥିଲେ ତାହା ଆଉ ନାହିଁ । ଦିଲ୍ଲୀରେ ଲଗାତାର ବର୍ଷାପରେ ବାୟୁ ପ୍ରଦୂଷଣର ସ୍ତର ହ୍ରାସ ପାଇଥିବାବେଳେ ଭୁବନେଶ୍ୱରରେ କିନ୍ତୁ ଏହା ଲଗାତାର ଭାବେ ଅସ୍ୱାସ୍ଥ୍ୟକର ସ୍ତରରେ ରହୁଛି । (ତଥ୍ୟ)