Home General ବିଶ୍ୱଭୂଷଣଙ୍କ ପୁସ୍ତକ ଉନ୍ମୋଚିତ

ବିଶ୍ୱଭୂଷଣଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ନେତୃତ୍ୱ କେବଳ କ୍ଷମତାର ପଦ ପଦବୀରେ ସୀମିତ ନୁହେଁ ବରଂ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ସମାଜର ସେବା ମାଧ୍ୟମରେ ପ୍ରତିଫଳିତ ହୁଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି l ଓଡ଼ିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ: ଓଡ଼ିଆ ପୁସ୍ତକ ” ଏ ମାଟି କଥା କହେ ” ଏବଂ ଇଂରାଜୀ ପୁସ୍ତକ – ବକ୍ସି ଜଗବନ୍ଧୁ – ଦି ଗ୍ରେଟ କମାଣ୍ଡର ” ର ଉନ୍ମୋଚନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି l

ଏହି ଅବସରରେ ଉଦବୋଧନ ଦେଇ ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ଉତ୍କର୍ଷତାର ଉତ୍ସବ ଭାବରେ ବର୍ଣ୍ଣନା କରି ରାଜ୍ୟପାଳ କହିଛନ୍ତି ଯେ, ଏହା ଶ୍ରୀ ହରିଚନ୍ଦନଙ୍କ ସ୍ଥାୟୀ ସାର୍ବଜନୀନ ଏବଂ ବୌଦ୍ଧିକ ଐତିହ୍ୟକୁ ମଧ୍ୟ ପ୍ରତିଫଳିତ କରେ।

ନିଜ ଅଭିଭାଷଣରେ ରାଜ୍ୟପାଳ ଡକ୍ଟର କମ୍ଭମପାଟି ସାମ୍ବିଧାନିକ ମୂଲ୍ୟବୋଧ, ଜନ କଲ୍ୟାଣ ଏବଂ ବୌଦ୍ଧିକ ସାଧନା ପ୍ରତି ଲେଖକଙ୍କ ଜୀବନବ୍ୟାପୀ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ହରିଚନ୍ଦନଙ୍କ ଆଇନଗତ ବୃତ୍ତିରୁ ସାର୍ବଜନୀନ ଜୀବନ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ ରାଜ୍ୟପାଳ ଅବତାରଣା କରି ବ୍ୟକ୍ତିଗତ ସ୍ୱାର୍ଥ ଉର୍ଦ୍ଧରେ ନ୍ୟାୟିକ ସ୍ୱାଧୀନତା ଏବଂ ନାଗରିକ ସ୍ୱାଧୀନତା ଉପରେ ଶ୍ରୀ ହରିଚନ୍ଦନଙ୍କର ଦୃଢ଼ ଦୃଷ୍ଟିକୋଣ ଉଲ୍ଲେଖ କରିଥିଲେ। ରାଜ୍ୟପାଳ କହିଥିଲେ ଯେ, ବିଧାନସଭା, କାର୍ଯ୍ୟନିର୍ବାହୀ ଏବଂ ସାମ୍ବିଧାନିକ ଭୂମିକାରେ ତାଙ୍କର ଅବଦାନ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ସାମାଜିକ ନ୍ୟାୟ ପ୍ରତି ଗଭୀର ଚିନ୍ତାକୁ ଦର୍ଶାଉଛି।

“ବକ୍ସି ଜଗବନ୍ଧୁ: ଦି ଗ୍ରେଟ୍ କମାଣ୍ଡର” ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହି ପୁସ୍ତକ ଓଡ଼ିଶାର ପାଇକ ବୀରମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଏବଂ ଉପନିବେଶବାଦୀ ଶାସନ ବିରୁଦ୍ଧରେ ପ୍ରାରମ୍ଭିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ। ଏପରି କାର୍ଯ୍ୟଗୁଡ଼ିକ ଐତିହାସିକ ଦୃଷ୍ଟିକୋଣକୁ ପୁନରୁଦ୍ଧାର କରେ ଏବଂ ଯୁବ ପିଢ଼ି ମଧ୍ୟରେ ଦେଶପ୍ରେମକୁ ପ୍ରେରଣା ଦିଏ।

“ଏ ମାଟି କଥା କହେ” କୁ ଏକ ପ୍ରତିଫଳିତ ପ୍ରବନ୍ଧ ସଂଗ୍ରହ ଭାବରେ ବର୍ଣ୍ଣନା କରି ରାଜ୍ୟପାଳ କହିଛନ୍ତି ଯେ ଏହି ପୁସ୍ତକରେ ଗଣତନ୍ତ୍ର, ଓଡ଼ିଆ ପରିଚୟ, ଜାତୀୟ ନେତୃତ୍ୱ ଏବଂ ଆଧ୍ୟାତ୍ମିକ ପରମ୍ପରା, ପ୍ରଭୁ ଜଗନ୍ନାଥଙ୍କ ନବକଳେବରର ପ୍ରତିଫଳନ ରହିଛି।

ଛାତ୍ର, ଯୁବପିଢ଼ି ଏବଂ ସମାଜର ସମସ୍ତ ବର୍ଗର ପାଠକମାନେ ଏହି ପୁସ୍ତକଗୁଡ଼ିକ ପଢିବା ଏବଂ ପ୍ରଦତ୍ତ ମୂଲ୍ୟବୋଧକୁ ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ l ଅର୍ଥପୂର୍ଣ୍ଣ ପ୍ରକାଶନ ମାଧ୍ୟମରେ ସାଂସ୍କୃତିକ ସମୃଦ୍ଧିରେ ଅବଦାନ ପାଇଁ ରାଜ୍ୟପାଳ ପୁସ୍ତକର ପ୍ରକାଶକ ଏବଂ ସମ୍ପାଦନା ମଣ୍ଡଳୀକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡିଶା ରାଜନୀତିର ଏକ ଅନନ୍ୟ ପ୍ରତିଭା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ଆମ ପାଇଁ ପ୍ରେରଣାଦାୟୀ।

୧୮୫୭ ପୂର୍ବରୁ ଖୋର୍ଦ୍ଧା ମାଟିରେ ଘଟିଥିବା ପାଇକ ବିଦ୍ରୋହ ଦେଶର ପ୍ରଥମ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ଭାବେ ପରିଚିତ ହେବା ଦରକାର ।‘ଏ ମାଟି କଥା କହେ’ ପୁସ୍ତକରେ ଓଡ଼ିଆ ଅସ୍ମିତା, ଗଣତନ୍ତ୍ର ଓ ଶ୍ରୀଜଗନ୍ନାଥ ସଂପର୍କିତ ଗଭୀର ଚିନ୍ତନ ଉପସ୍ଥାପିତ ହୋଇଛି, ଯାହା ସମସ୍ତ ପିଢି ପାଇଁ ପ୍ରେରଣାଦାୟୀ। ଏହି ପୁସ୍ତକ ଦୁଇଟି ଯୁବପିଢିଙ୍କ ମନରେ ଦେଶପ୍ରେମ, ତ୍ୟାଗ ଓ ଗଣତନ୍ତ୍ରୀୟ ମୂଲ୍ୟବୋଧ ସଂଚାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ – ‘ବକ୍ସି ଜଗବନ୍ଧୁ – ଦି ଗ୍ରେଟ କମାଣ୍ଡର’ ର ଲେଖକ ଓଡ଼ିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ନିଜ ରଚିତ ପୁସ୍ତକ ଗୁଡିକ ବିଷୟରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ I

ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ  ସୁରେଶ ପୂଜାରୀ, ପୂର୍ବତନ ସାଂସଦ ତଥା ସମ୍ବାଦ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ‘ବକ୍ସି ଜଗବନ୍ଧୁ – ଦି ଗ୍ରେଟ କମାଣ୍ଡର’ ର ଅନୁବାଦକ ପ୍ରଫେସର ଭଗବାନ ଜୟସିଂହ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବ୍ୟକ୍ତିତ୍ୱ, ରାଜନୈତିକ ଜୀବନ ଯାତ୍ରା, ସାମ୍ବିଧାନିକ ପଦବୀରେ କର୍ତବ୍ୟ ନିର୍ବାହ, ସାରସ୍ୱତ ସୃଷ୍ଟି ଏବଂ ଉପରୋକ୍ତ ପୁସ୍ତକ ଉପରେ ଆଲୋକପାତ କରିଥିଲେ I ପ୍ରଫେସର ବିଜୟାନନ୍ଦ ସିଂ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ I