ଭୁବନେଶ୍ୱର : ଅନଧିକୃତ ଭାବେ ବିନା ପାସ୍ପୋର୍ଟ ଓ ଭିସାରେ ବିଦେଶୀମାନେ ଭାରତରେ ରହିବା ବେଆଇନ୍ କାର୍ଯ୍ୟ । ଏଥିପାଇଁ ଆଇନ୍ରେ କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ନିକଟରେ ଏଭଳି କେତେକ ବିଦେଶୀ ନାଗରିକଙ୍କୁ ଆଇନ୍ ଅଦାଲତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଏଭଳି ବେଆଇନ୍ ବିଦେଶୀ ନାଗରିକଙ୍କୁ ଦେଶରୁ ତଡ଼ିବା ପାଇଁ ଆଇନ୍ ବ୍ୟବସ୍ଥାରେ ବ୍ୟାପକ କ୍ଷେତ୍ର ଥିଲେ ମଧ୍ୟ ଏବେ କେତେକ ଅଞ୍ଚଳରେ ବିଦେଶୀ ନାଁ କହି କିଛି ଅସାଧୁ ବ୍ୟକ୍ତି ବ୍ୟାପକ ଚାନ୍ଦା ଆଦାୟ କରୁଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି ।
ନିର୍ବାଚନ କମିଶନ ଏସ୍ଆଇଆର ମାଧ୍ୟମରେ ବିଭିନ୍ନ ରାଜ୍ୟରେ ବିଦେଶୀ ନାଗରିକମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଆମ ଦେଶର ଭୋଟର ତାଲିକାରୁ ବାଦ୍ ଦେବାରେ ଲାଗିଛନ୍ତି । ଓଡ଼ିଶାରେ ବି ଚଳିତବର୍ଷ ଏସ୍ଆଇଆର୍ ସହିତ ଜନଗଣନା ଓ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲୁଛି । ଏ ପରିପ୍ରେକ୍ଷୀରେ ଯଦି କୌଣସି ସଚେତନ ନାଗରିକଙ୍କ ଦୃଷ୍ଟିକୁ ବେଆଇନ୍ ଭାବେ ବସବାସ କରୁଥିବା ବିଦେଶୀ ନାଗରିକଙ୍କ ସଂପର୍କରେ ତଥ୍ୟ ମିଳୁଛି ତେବେ ସେମାନେ ଆଇନ୍କୁ ହାତକୁ ନନେଇ ଏ ସଂକ୍ରାନ୍ତରେ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଅବହିତ କରିବା ଆବଶ୍ୟକ ବୋଲି ବିଧିବିଶେଷଜ୍ଞମାନେ କହୁଛନ୍ତି ।
ଖୋଦ୍ ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ ଆଦି ଜିଲ୍ଲାରେ ବହୁ ସଂଖ୍ୟକ ବିଦେଶୀ ବ୍ୟକ୍ତି ରହିଥିବା ଘେନି ଅଭିଯୋଗମାନ ମିଳୁଛି । କେବଳ ସେତିକି ନୁହେଁ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ବିଦେଶୀ ନାଗରିକ ବହୁ ସଂଖ୍ୟାରେ ଥିବା ଘେନି ଶୁଣିବାକୁ ମିଳୁଛି ।
ଏବେ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଏ ସଂକ୍ରାନ୍ତୀୟ ଭିଡିଓମାନ ପ୍ରସାରିତ ହେଉଛି । କେତେକ ବ୍ୟକ୍ତି ରାସ୍ତାଘାଟରେ ଏମିତିକି କିଛି ଅଣ ଓଡ଼ିଆ ଲୋକ ରହୁଥିବା ଘରକୁ ଯାଇ ସେମାନଙ୍କୁ ସହର ଛାଡ଼ି ପଳାଇବା ପାଇଁ ଚେତାବନୀ ଦେଉଥିବା ଏଥିରେ ଦେଖାଯାଉଛି । ଲକ୍ଷଲକ୍ଷ ଓଡ଼ିଆ ଅନ୍ୟ ରାଜ୍ୟରେ କର୍ତ୍ତବ୍ୟରତ ଅଛନ୍ତି । ଓଡ଼ିଶାରେ ଯଦି ଅଣଓଡ଼ିଆଙ୍କୁ ତଡ଼ିବା ପାଇଁ ଏଭଳି ଉଦ୍ୟମ ହୁଏ ତେବେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ପରିବାରଗୁଡ଼ିକ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଚିନ୍ତାଶୀଳ ବ୍ୟକ୍ତିମାନେ ମତବ୍ୟକ୍ତ କରୁଛନ୍ତି । ଏହାକୁ ଆଖି ଆଗରେ ରଖି ଯେଉଁମାନେ ପ୍ରାଦେଶିକତା ଭିତ୍ତିରେ ଖରାପ ବାତାବରଣ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।
ବିଶେଷକରି ଓଡ଼ିଶାର ୪୦୦ କିଲୋମିଟରରୁ ଅଧିକ ସମୁଦ୍ର ଉପକୂଳ ମୁକୁଳା ପଡ଼ିଥିବାବେଳେ ସାମୁଦ୍ରିକ ଥାନା ଓ ଉପକୂଳ ରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାଗୁଡ଼ିକ ଅନୁପ୍ରବେଶକାରୀ ବିଦେଶୀ ନାଗରିକମାନଙ୍କୁ ଧରିବା କ୍ଷେତ୍ରରେ ସେମାନଙ୍କ ଦାୟିତ୍ୱ ଠିକଣା ଭାବେ ନିର୍ବାହ କରିବା ଆବଶ୍ୟକ । ଏହାଛଡ଼ା ରେଳ ଓ ବସ୍ ଯୋଗେ ବି ବିଦେଶୀ ନାଗରିକମାନେ ଅନାୟସରେ ଓଡ଼ିଶା ଆସି ବେପାର ବଣିଜ କରିବା ସହିତ ସରକାରୀ ଜାଗା ଜବରଦଖଲ କରି ବସ୍ତି ବଢ଼ାଉଛନ୍ତି । ଏହାକୁ ପ୍ରାଥମିକ ସ୍ତରରେ ନିୟନ୍ତ୍ରଣ କରାଯାଇପାରିଲେ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା । ଆଇନ୍ଶୃଙ୍ଖଳା ବ୍ୟବସ୍ଥା ଓ ଜାତୀୟ ନିରାପତ୍ତା ଦୃଷ୍ଟିରୁ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରି ବିଦା କରିବାର ଦାୟିତ୍ୱ ସରକାରଙ୍କର ଥିବାବେଳେ ବ୍ୟକ୍ତି ବିଶେଷ ଏ କ୍ଷେତ୍ରରେ ସରକାରୀ କଳକୁ ସୂଚନା ଦେବା ପରିବର୍ତ୍ତେ ନିଜେ ଆଇନ୍ ବ୍ୟବସ୍ଥାକୁ ହାତକୁ ନେବା ବିପଜ୍ଜନକ ବୋଲି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ଆଇନ୍ ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି । ଏବେ ଓଡ଼ିଶାରେ କେତେକ ସଂଖ୍ୟକ ବିଦେଶୀ ନାଗରିକ ଅଛନ୍ତି ତାହାର ପ୍ରକୃତ ତଥ୍ୟ କିନ୍ତୁ ଜଣାପଡୁନାହିଁ । (ତଥ୍ୟ)

