Home News in Odia ମହାନଦୀ ପ୍ରସଙ୍ଗରେ ଘେରିଲା ବିଜେଡି

ମହାନଦୀ ପ୍ରସଙ୍ଗରେ ଘେରିଲା ବିଜେଡି

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନଥିବା ବେଳେ ଗତ ୧୯ ମାସରେ ଛତିଶଗଡ଼ ଅନେକ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଗୋଟିଏ ପଟେ ଓଡ଼ିଶାର ଲୋକେ ତାଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମହାନଦୀରୁ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଛତିଶଗଡ଼ ଅବୈଧ ଭାବେ ପାଣିକୁ ରୋକି ଶିଳ୍ପ ଅନୁଷ୍ଠାନ ଗୁଡିକୁ ବିକ୍ରି କରି ଚାଲିଛି ବୋଲି ବିଜେଡି ଅଭିଯୋଗ କରିଛି । 

ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । 

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ । ସରକାର ଦ୍ୱନ୍ଦ୍ୱରେ ଅଛନ୍ତି । ପ୍ରଥମେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ ବୋଲି କୁହାଗଲା, କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଲା ନାହିଁ । ପୁଣି ଟ୍ରିବୁ୍ୟନାଲକୁ ଯିବାକଥା କୁହାଗଲା, କିନ୍ତୁ ଟ୍ରିବୁ୍ୟନାଲର ଅବଧିକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଧାରିତ ସମୟ ଭିତରେ ଚିଠି ଲେଖାଗଲା ନାହିଁ, ଯେଉଁଥି ପାଇଁ ଟ୍ରିବୁ୍ୟନାଲ ସରକାରଙ୍କୁ ଭର୍ତ୍ସନା କଲେ ।

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହାନଦୀ ଜଳ ବିବାଦକୁ ସମାଧାନର ସୂତ୍ର ବାହାର କରିବା ପରିବର୍ତ୍ତେ ପରିସ୍ଥିତିକୁ ଅଧିକ ଗୋଳିଆ କରୁଛନ୍ତି । ସରକାର କେବଳ ବୟାନବାଜିରେ ବ୍ୟସ୍ତ ଅଛନ୍ତି । ଗତ ୧୯ ମାସରେ ଛତିଶଗଡ଼ ଏକାଧିକ ଚେକ୍ ଡ୍ୟାମ ଓ ବାଲିବନ୍ଧ ନିର୍ମାଣ କରିଛି, ଯାହା ପରିସ୍ଥିତିକୁ ଅଧିକ ଜଟିଳ କରିଛି । ନବୀନ ସରକାରଙ୍କ ସମୟରେ ଏହି ବିବାଦ ଦେଖା ଦେବା ପରେ, ପ୍ରଥମେ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା ।

ଛତିଶଗଡ଼ ସରକାରଙ୍କ ଅସହଯୋଗ ଓ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା କାରଣରୁ ଏହି ବିବାଦର ସମାଧାନ ବାହାରି ପାରି ନଥିଲା । ଏହାପରେ ଓଡିଶା ସରକାର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ ଓ ସର୍ବୋଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ ଟ୍ରିବୁ୍ୟନାଲର ଗଠନ ହୋଇଥିଲା । ଭାରତର ଇତିହାସକୁ ଅବଲୋକନ କଲେ, ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଜଳ ବିବାଦ କେବେ ବି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହେବାର ନଜିର ନାହିଁ ।

ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି । ନା ଆପୋସ ଆଲୋଚନା ଦିଗରେ ନା ଟ୍ରିବୁ୍ୟନାଲ ମାଧ୍ୟମରେ, ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ସରକାର ଇଞ୍ଚେଟିଏ ମଧ୍ୟ ଅଗ୍ରସର ହୋଇ ନାହାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଗଠନ କରାଯାଇଥିବା ମନ୍ତ୍ରୀସ୍ତରୀୟ କମିଟି କେବଳ ନିଜ ସଦସ୍ୟ ମାନଙ୍କ ସହିତ ଦୁଇଟି ବୈଠକ କରିଛି । ଏହି ମନ୍ତ୍ରୀସ୍ତରୀୟ କମିଟି ସହିତ ସମସ୍ତ ରାଜନୈତିକ ଦଳ ଓ ସମସ୍ତ ଷ୍ଟେକହୋଲଡରଙ୍କ ବୈଠକ ହେବ ବୋଲି ଦିନ ସ୍ଥିର କରାଯାଇଥିଲା, ଯାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା ।  

ଶ୍ରୀ ଆଚାର୍ଯ୍ୟ କହିଥିଲେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ, ରାଜ୍ୟ ବିଜେପି ସରକାର ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ବସିଛି । ଛତିଶଗଡ଼ ଓଡିଶା ସରକାରଙ୍କ କଥାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ ଓ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ନାହିଁ । ଛତିଶଗଡ଼ ଏବେ ଅଧିକ ଜଳ ରୋକିବା ପାଇଁ ତଳ ଅଞ୍ଚଳରେ ଓ ଉପ ନଦୀରେ ମଧ୍ୟ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରୁଛି । ଗୋଟିଏ ପଟେ ଓଡ଼ିଶାର ଲୋକେ ପାଣି ମୁନ୍ଦିଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି, ଆର ପଟରେ ଛତିଶଗଡ଼ ଶିଳ୍ପକୁ ଜଳ ବିକ୍ରି କରୁଛି । ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପରିବର୍ତ୍ତେ, ରାଜ୍ୟ ବିଜେପି ସରକାର ନାଟକବାଜି କରୁଛନ୍ତି । ତୁରନ୍ତ ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।

ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମନ୍ତ୍ରୀ ସ୍ତରୀୟ କମିଟିରେ ସେ ସଦସ୍ୟ ରୂପେ ମନୋନୀତ ହୋଇଥିବାରୁ, ହୋଇଥିବା ଦୁଇଟି ବୈଠକରେ ସେ ଯୋଗ ଦେଇଥିଲେ । ଦ୍ୱିତୀୟ ବୈଠକରେ ସର୍ବଦଳୀୟ ଓ ଷ୍ଟେକହୋଲଡରଙ୍କ ସହ ଜାନୁଆରୀ ୨୩ ତାରିଖରେ ବୈଠକ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ କୌଣସି କାରଣ ପାଇଁ ଏହାକୁ ବାତିଲ କରି ଦିଆଯାଇଥିଲା । ଏହାଛଡା ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜାନୁଆରୀ ୩୧ ତାରିଖରେ ଛତିଶଗଡ଼ ଯାଇ ସେଠାରେ ସେମାନଙ୍କ ଏକ ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ସହିତ ବୈଠକ ହେବା ପାଇଁ ସ୍ଥିର ହୋଇଥିଲା, ଯାହାକୁ ମଧ୍ୟ ବାତିଲ କରି ଦିଆଯାଇଛି । ବର୍ତ୍ତମାନ ଓଡିଶା, ଛତିଶଗଡ଼ ଓ କେନ୍ଦ୍ରରେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ, ଏହାର ସମାଧାନ ସମ୍ଭବ ହୋଇପାରିବ ବୋଲି ଯେଉଁ ଆଶା ଦେଖା ଯାଉଥିଲା, କିନ୍ତୁ ସେ ଦିଗରେ ସେପରି କିଛି ଅଗ୍ରଗତି ହୋଇନାହିଁ ।