ଭୁବନେଶ୍ୱର : ସହରାଞ୍ଚଳର ଗରିବ, ପ୍ରବାସୀ ଶ୍ରମିକ ଓ ଶ୍ରମଜୀବୀ ଜନସାଧାରଣଙ୍କ ପାଇଁ ସୁଲଭ ଆବାସ ସୁବିଧା ବଢ଼ାଇବା ଦିଗରେ ଓଡ଼ିଶା ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା—ସହରାଞ୍ଚଳ (PMAY-U 2.0) ଅଧୀନରେ ସହରାଞ୍ଚଳରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଲି ଏବଂ ଅବ୍ୟବହୃତ ଘରଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସୁଲଭ ଭଡ଼ା ଗୃହ ରେ ପରିଣତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ପଦକ୍ଷେପ ଅନୁସାରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପତ୍ର ଲେଖି ସେମାନଙ୍କ ଅଧୀନରେ ଥିବା ଏହିପରି ଖାଲି ଓ ଅବ୍ୟବହୃତ ସରକାରୀ ଗୃହ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି। ଚିହ୍ନଟ ହୋଇଥିବା ସମ୍ପତ୍ତି ସମ୍ପର୍କିତ ତଥ୍ୟଗୁଡ଼ିକୁ ଓଡ଼ିଶା ଅର୍ବାନ ହାଉସିଂ ମିଶନକୁ ପ୍ରଦାନ କରିବା ପାଇଁ ସମସ୍ତ ବିଭାଗକୁ କୁହାଯାଇଛି। ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟା ସମାପ୍ତ ପରେ ଚିହ୍ନଟ ଗୃହଗୁଡ଼ିକୁ ପୁନଃନିର୍ମାଣ/ମରାମତି କରି ବାସୋପଯୋଗୀ କରାଯିବ ଏବଂ ପର୍ଯ୍ୟାୟକ୍ରମେ ସେଗୁଡ଼ିକୁ ଭଡ଼ା ଆବାସ ଭାବରେ ଉପଲବ୍ଧ କରାଯିବ।
ସହରୀକରଣ ପ୍ରକ୍ରିୟାରେ ଗୃହ ଏକ ମୌଳିକ ଆବଶ୍ୟକତା ଓ ଜୀବନଧାରଣର ମୁଖ୍ୟ ଉପାଦାନ। ସୁରକ୍ଷିତ ଘର ପରିବାରର ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସ୍ଥିରତା ଉପରେ ସିଧାସଳଖ ପ୍ରଭାବ ପକାଏ। ଏହି ଯୋଜନାର ମୂଳ ଆଭିମୁଖ୍ୟ ହେଉଛି ଯେଉଁମାନେ ତୁରନ୍ତ ଘର କିଣିବା ଅବସ୍ଥାରେ ନାହାଁନ୍ତି, ସେମାନଙ୍କ ପାଇଁ ଭଡ଼ା ମାଧ୍ୟମରେ ସୁଲଭ ଗୃହ ସୁବିଧା ଯୋଗାଇଦେବା। ଏହା ଫଳରେ ସହରାଞ୍ଚଳରେ ଅସ୍ଥାୟୀ ଓ ଅସୁରକ୍ଷିତ ବାସସ୍ଥାନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଶ୍ରମଜୀବୀ ପରିବାରମାନଙ୍କ ଜୀବନ ଅଧିକ ସ୍ଥିର ହେବ।
ସୁଲଭ ଭଡ଼ା ଘର କାର୍ଯ୍ୟକ୍ରମ ଦୁଇଟି ମଡେଲ୍ ମାଧ୍ୟମରେ କାର୍ଯ୍ୟକାରୀ ହେବ। ପ୍ରଥମ ମଡେଲ୍ ଅନୁଯାୟୀ, ସରକାରୀ ଅନୁଦାନରେ ନିର୍ମିତ ଖାଲି ଗୃହଗୁଡ଼ିକୁ ପିପିପି ମୋଡ୍ କିମ୍ବା ସରକାରୀ ସଂସ୍ଥା ମାଧ୍ୟମରେ ଭଡ଼ା ଘରେ ପରିଣତ କରାଯିବ। ଦ୍ୱିତୀୟ ମଡେଲ୍ ଅନୁଯାୟୀ, ଘରୋଇ କିମ୍ବା ସରକାରୀ ସଂସ୍ଥାଗୁଡ଼ିକ ଆର୍ଥିକ ଅନଗ୍ରସର ଓ ନିମ୍ନ ଆୟକାରୀ ପରିବାରମାନଙ୍କ ପାଇଁ ଭଡ଼ା ଘର ନିର୍ମାଣ ଓ ପରିଚାଳନା କରିବେ । ଏହି ଦୁଇଟି ମଡେଲ୍ ମାଧ୍ୟମରେ ରାଜ୍ୟର ସହରଗୁଡ଼ିକରେ ଘର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ରହିଛି।
ଏହି ଯୋଜନା ଅଧୀନରେ ଭଡ଼ା ନିର୍ଦ୍ଧାରଣ ସ୍ଥାନୀୟ କର୍ତ୍ତୃପକ୍ଷ ଦ୍ୱାରା ପ୍ରାରମ୍ଭିକ ଭାବରେ କରାଯିବ। ପରବର୍ତ୍ତୀ ସମୟରେ ପ୍ରତି ଦୁଇ ବର୍ଷରେ ୮% ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି କରାଯାଇପାରିବ, ଯାହା ୫ ବର୍ଷ ମଧ୍ୟରେ ସର୍ବାଧିକ ୨୦% ରୁ ଅଧିକ ହେବ ନାହିଁ। ଏହି ବ୍ୟବସ୍ଥା ବଜାରରେ ଏକ ସ୍ୱଚ୍ଛ ନୀତି ନିର୍ଦ୍ଧାରଣ କରି ସୁଲଭତା ଓ ପାରଦର୍ଶିତା ବଜାୟ ରଖିବାରେ ସାହାଯ୍ୟ କରିବ। ଏହି ପଦକ୍ଷେପ ମାଧ୍ୟମରେ ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ଉପଯୋଗୀ କରି ସରକାର ଦୀର୍ଘକାଳୀନ ଭଡ଼ା ଆୟ ସୃଷ୍ଟି କରିପାରିବେ। ଏହା ସହ ସହରାଞ୍ଚଳରେ ବସ୍ତି ସମସ୍ୟା ହ୍ରାସ ପାଇବା ସହ ଶ୍ରମିକ ଓ ପ୍ରବାସୀଙ୍କ ଜୀବନଶୈଳୀରେ ସ୍ଥାୟିତ୍ୱ ଆସିବ। ଚିହ୍ନଟ ହୋଇଥିବା ଗୃହଗୁଡ଼ିକର ମରାମତି ଏବଂ ବାସୋପଯୋଗୀ କରିବା ପାଇଁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ଏହି ପଦକ୍ଷେପ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ, “ସହରର ଅର୍ଥନୀତିକୁ ଚାଲାଇଥିବା ପ୍ରବାସୀ ଶ୍ରମିକ, ଅଣସଂଗଠିତ କ୍ଷେତ୍ରର କାର୍ଯ୍ୟରତ ଲୋକ ଏବଂ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ସୁରକ୍ଷିତ ଓ ସୁଲଭ ଆବାସ ଯୋଗାଇବା ହେଉଛି ଓଡ଼ିଶା ସରକାରଙ୍କ ପ୍ରାଥମିକତା। ସରକାରୀ ଗୃହଗୁଡ଼ିକୁ ସୁଲଭ ଭଡ଼ା ଘରରେ ପରିଣତ କରିବା ମାଧ୍ୟମରେ ଆମେ ଏକାଧାରାରେ ସରକାରୀ ସମ୍ପତ୍ତିର ସଠିକ୍ ଉପଯୋଗ କରିବା ସହ ସହରାଞ୍ଚଳରେ ଆବାସ ସୁରକ୍ଷାକୁ ଶକ୍ତିଶାଳୀ କରିବା ଦିଗରେ ଏକ ନୂଆ ଉଦାହରଣ ସୃଷ୍ଟି କରୁଛୁ।”

