ଭୁବନେଶ୍ୱର : ଓଡ଼ିଶାରେ ନେଣ ଦେଣ କାରବାର କରୁଥିବା ବ୍ୟାଙ୍କଗୁଡ଼ିକ ଯେତେ ପରିମାଣର ଜମା ସଂଗ୍ରହ କରୁଛନ୍ତି ତାହାର ଅଧା ବି ଋଣ ଦେଉ ନାହାନ୍ତି । ବିଶେଷକରି କୃଷି ଓ ତତ୍ ସମ୍ବନ୍ଧୀୟ କ୍ଷେତ୍ରକୁ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କଗୁଡ଼ିକ ଋଣ ଦେବା ପାଇଁ କୁନ୍ଥୁକୁନ୍ଥୁ ହେଉଛନ୍ତି । ଅନ୍ୟପକ୍ଷରେ ସରକାରୀ ଅର୍ଥ କାରବାର ପାଇଁ କିନ୍ତୁ ବ୍ୟାଙ୍କଗୁଡ଼ିକ ଅତ୍ୟଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।
୨୦୨୪-୨୫ ବର୍ଷରେ ଓଡ଼ିଶାରେ ସେଡ୍ୟୁଲ୍ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ୫,୮୩,୯୨୫ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ଉକ୍ତ ବର୍ଷରେ ଋଣ ଦେଇଛନ୍ତି ୨,୮୧,୦୮୮ କୋଟି ଟଙ୍କା । ଯେତିକି ବି ଋଣ ଘରୋଇ ବ୍ୟାଙ୍କ ଓ ଜାତୀୟକରଣ ବ୍ୟାଙ୍କମାନେ ରାଜ୍ୟରେ ଉକ୍ତ ବର୍ଷରେ ଖଟାଇଛନତ୍ି ସେଥିମଧ୍ୟରୁ କୃଷି ଋଣର ପରିମାଣ ଅତି ନଗଣ୍ୟ । ତେବେ ଓଡ଼ିଶାରେ ସମବାୟ ସମିତି ଓ ସମବାୟ ବ୍ୟାଙ୍କଗୁଡ଼ିକ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ପରିମାଣର କୃଷି ଋଣ ଦେଉଛନ୍ତି । ବସ୍ତୁତଃ ସମବାୟ ସମିତି ଓ ସମବାୟ ବ୍ୟାଙ୍କ ନଥିଲେ ଓଡ଼ିଶାର କୃଷକମାନେ ଋଣ ପାଇବା କ୍ଷେତ୍ରରେ ଏକ ପ୍ରକାର ଉପେକ୍ଷିତ ହୋଇ ରୁହନ୍ତେ । ଅବଶ୍ୟ ପ୍ରତିବର୍ଷ ବିଭିନ୍ନ ବୈଠକରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀମାନେ ବାରମ୍ବାର କୃଷି ପାଇଁ ଅଧିକ ଋଣ ଦେବା ଲାଗି ଜାତୀୟକରଣ ଓ ଘରୋଇ ବ୍ୟାଙ୍କଗୁଡ଼ିକୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ତାହାର ବିଶେଷ ପ୍ରଭାବ ଅନୁଭୂତ ହେଉନାହିଁ ।
କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ôଥକ ସର୍ଭେ ରିପୋର୍ଟର ତଥ୍ୟ ମୁତାବକ ୨୦୧୯-୨୦ ବର୍ଷରେ ଓଡ଼ିଶାରୁ ବ୍ୟାଙ୍କଗୁଡ଼ିକ ୩,୪୧,୧୪୦ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ୧,୩୪,୮୬୨ କୋଟି ଟଙ୍କା ଋଣ ଦେଇଥିଲେ । ସେହିଭଳି ୨୦୨୦-୨୧ ଆର୍ôଥକ ବର୍ଷରେ ଏହି ବ୍ୟାଙ୍କଗୁଡ଼ିକ ରାଜ୍ୟରୁ ୩,୬୩,୫୬୭ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ଋଣ ଦେଇଥିଲେ ୧,୪୩,୬୭୬ କୋଟି ଟଙ୍କାର । ୨୦୨୧-୨୨ ବର୍ଷରେ ରାଜ୍ୟରେ ଜମା ସଂଗ୍ରହ ପରିମାଣ ୪,୨୧,୪୧୩ କୋଟି ଟଙ୍କାକୁ ବଢ଼ିଥିବାବେଳେ ଋଣ ଯୋଗାଣ କିନ୍ତୁ ହୋଇଥିଲା ମାତ୍ର ୧,୮୩,୪୦୫ କୋଟି ଟଙ୍କାର ।
ସରକାରୀ ତଥ୍ୟ ମୁତାବକ ୨୦୨୨-୨୩ ବର୍ଷରେ ବ୍ୟାଙ୍କଗୁଡ଼ିକ ଓଡ଼ିଶାରୁ ୪,୬୩,୩୧୮ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ୨,୦୩,୭୩୨ କୋଟି ଟଙ୍କାର ଋଣ ବଣ୍ଟନ କରିଥିଲେ । ଅବଶ୍ୟ ୨୦୨୩-୨୪ ବର୍ଷରେ ଜମା ସଂଗ୍ରହ ପରିମାଣ ୫,୨୨,୫୪୩ କୋଟି ଟଙ୍କାକୁ ବଢ଼ିଥିବାବେଳେ ଋଣ ଯୋଗାଣ ପରିମାଣ ୨,୫୧,୧୧୪ କୋଟି ଟଙ୍କାରେ ପହଞ୍ôଚଥିଲା ।
ଏହି ପରିସଂଖ୍ୟାନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଓଡ଼ିଶାରେ ବ୍ୟାଙ୍କଗୁଡ଼ିକର ଜମା ସଂଗ୍ରହ ଆଶାନୁରୂପ ଭାବେ ବଢ଼ି ଚାଲିଛି । ଆନୁପାତିକ ହାରରେ ଋଣ ପ୍ରଦାନ ପରିମାଣ ଅବଶ୍ୟ କିଛିମାତ୍ରାରେ ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ ଖଟାଯାଉଥିବା ଋଣର ପରିମାଣ ସଂଗୃହୀତ ଜମାଠାରୁ ଢେର କମ୍ ରହୁଛି । ବ୍ୟାଙ୍କଗୁଡ଼ିକ ଘର, ଗାଡ଼ି, ଜମି ଓ ଅନ୍ୟାନ୍ୟ ଆସବାବପତ୍ର କ୍ରୟ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଦେଉଛନ୍ତି । କାରଣ ଏମାନଙ୍କଠାରୁ ମାସିକ କିସ୍ତି ଆଦାୟ ଲାଗି ସେମାନଙ୍କ ଉପରିସ୍ଥତ ଅଧିକାରୀମାନେ ଦାୟୀ ରହୁଥିବାର ବହୁ କ୍ଷେତ୍ରରେ ତାହା ସେମାନଙ୍କ ମାସିକ ବେତନରୁ କଟାଯାଉଛି । ସେହିଭଳି ବଡ଼ବଡ଼ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଦିଆଯାଉଛି । ଅବଶ୍ୟ ସ୍ୱୟଂ ସହାୟିକ ଗୋଷ୍ଠୀ ଭଳି ସଂସ୍ଥାମାନଙ୍କୁ ସରକାରୀ ଗ୍ୟାରେଣ୍ଟିରେ ଋଣ ଯୋଗାଯାଉଛି । ତେବେ ଶ୍ରମଜୀବୀ ଏବଂ ଛୋଟ ଓ ମଧ୍ୟମ କିସମର ଚାଷୀମାନଙ୍କୁ କିନ୍ତୁ ଏହି ଜାତୀୟକରଣ ଓ ଘରୋଇ ବ୍ୟାଙ୍କମାନେ ଋଣ ପ୍ରଦାନ କ୍ଷେତ୍ରରେ ଏକ ପ୍ରକାର କାର୍ପଣ୍ୟ ପ୍ରଦର୍ଶନ କରୁଛନ୍ତି ।(ତଥ୍ୟ)

