Home General କମି ଚାଲିଛି ଝିଅଙ୍କ ସଂଖ୍ୟା

କମି ଚାଲିଛି ଝିଅଙ୍କ ସଂଖ୍ୟା

ଭୁବନେଶ୍ୱର : ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍‍ ରହୁଥିବା ଯୋଗୁ ଭବିଷ୍ୟତରେ ବଡ଼ଧରଣର ସାମାଜିକ ସମସ୍ୟା ଉପୁଜିପାରେ । ଏଥିପ୍ରତି ଏବେଠାରୁ ସଜାଗ ରହିବା ପାଇଁ ସମାଜ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି ।

ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟର ବିବରଣୀ ମୁତାବକ ୨୦୨୩ରେ ଓଡ଼ିଶାରେ ଯେତେ ଶିଶୁ ଜନ୍ମ ହୋଇଛନ୍ତି ସେମାନଙ୍କ ଭିତରେ ପୁତ୍ର ସନ୍ତାନଙ୍କ ତୁଳନାରେ କନ୍ୟାରତ୍ନଙ୍କ ସଂଖ୍ୟା ଢେର କମ୍‍ । ପ୍ରତି ହଜାର ପୁଅରେ ଓଡ଼ିଶାରେ ଶିଶୁକନ୍ୟାଙ୍କ ସଂଖ୍ୟା ଏହି ବର୍ଷରେ ୯୨୩ ରହିଥିଲା ।

ତେବେ ଓଡ଼ିଶା ପାଇଁ ଆଶ୍ୱାସନାର କଥା ହେଉଛି ଯେ ଏ କ୍ଷେତ୍ରରେ ସାରା ଦେଶରେ ସ୍ଥିତି ଅଧିକ ଗମ୍ଭୀର । ୨୦୨୩ ବର୍ଷରେ ସାରା ଭାରତରେ ଯେତେ ଶିଶୁ ସନ୍ତାନ ଜନ୍ମ ହୋଇଛନ୍ତି ସେମାନଙ୍କ ଭିତରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ମାତ୍ର ୯୧୭ । ଓଡ଼ିଶାଠାରୁ ଆହୁରି ଅନେକ ରାଜ୍ୟର ସ୍ଥିତି ଖରାପ ରହିଛି । ପ୍ରତି ହଜାରେ ପୁଅରେ ଉତ୍ତର ପ୍ରଦେଶରେ ଝିଅଙ୍କ ସଂଖ୍ୟା ୯୧୬ ଥିବାବେଳେ ଏହା ରାଜସ୍ଥାନରେ ୯୧୯ ଓ ପଞ୍ଜାବରେ ୯୦୬ ରହିଛି । ମଧ୍ୟପ୍ରଦେଶରେ ଏହା ୯୧୭ ରେକର୍ଡ କରାଯାଇଥିବାବେଳେ ବିହାରରେ ୮୯୭, ଗୁଜରାଟରେ ୯୦୦, ହରିଆନାରେ ୮୮୪ ଓ ମହାରାଷ୍ଟ୍ରରେ ୮୯୪ ରହିଛି ।

ତେବେ କେରଳରେ କିନ୍ତୁ ୨୦୨୩ ବର୍ଷରେ ଜନ୍ମଲାଭ କରିଥିବା ଶିଶୁ ସନ୍ତାନଙ୍କ ଭିତରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୯୭୧ ରହିଛି । ଏବେ ହରିଆନା, ବିହାର, ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ପୁଅଙ୍କ ଅନୁପାତରେ ଝିଅମାନଙ୍କ ସଂଖ୍ୟା ଢେର କମ୍‍ ରହୁଥିବାରୁ ସେଠାରେ ବହୁ କ୍ଷେତ୍ରରେ ବାହା ହେବା ପାଇଁ ପୁଅମାନଙ୍କୁ ବୋହୂ ମିଳୁନାହାନ୍ତି । ଏବେଠୁ ସତର୍କ ନହେଲେ ଭବିଷ୍ୟତରେ ଓଡ଼ିଶାରେ ବି ଅନୁରୂପ ସମସ୍ୟା ମୁଣ୍ଡ ଟେକିପାରେ ।

ସାରା ଦେଶରେ ଶିଶୁ ଜନ୍ମ ହାର କମିବାରେ ଲାଗିଛି । ଓଡ଼ିଶାରେ ପ୍ରତି ଦମ୍ପତିଙ୍କର ଯଦି ଦୁଇଟି କରି ଜୀବିତ ସନ୍ତାନ ରୁହନ୍ତେ ତେବେ ଜନସଂଖ୍ୟାରେ ସମାନତା ରକ୍ଷା କରାଯାଇପାରନ୍ତା । ପୂର୍ବରୁ ବହୁ ସନ୍ତାନବର୍ତ୍ତୀ ପରିବାରମାନ ଥିବାରୁ ଜନସଂଖ୍ୟା ବଢ଼ୁଥିଲା । ଏବେ ସରକାରୀ ହିସାବରୁ ଜଣାପଡୁଛି ଯେ ରାଜ୍ୟରେ ପ୍ରତି ଦମ୍ପତିଙ୍କ ପିଛା ହାରାହାରି ୧.୬ଟି ସନ୍ତାନ ରହୁଛନ୍ତି । ବହୁ ଦମ୍ପତି ଏକ ସନ୍ତାନ ବିଶିଷ୍ଟ ପରିବାରରେ ସୀମିତ ରହୁଥିବାବେଳେ ଆଉ କେତେକ ଦମ୍ପତି ବାପା-ମା’ ହେବା ପାଇଁ ପୋଷ୍ୟ ସନ୍ତାନ ଓ ‘ଫର୍ଟିଲିଟି’ ବ୍ୟବସ୍ଥାକୁ ଆପଣାଉଛନ୍ତି । ଏହାଫଳରେ ଶିଶୁମାନଙ୍କ ସଂଖ୍ୟା ବିଗତ ଦଶନ୍ଧିମାନଙ୍କ ତୁଳନାରେ କମୁଛି ।

ମା’ପେଟରୁ କନ୍ୟା ଭ୍ରୂଣ ଚିହ୍ନଟ ଯୋଗୁ କେତେକ କ୍ଷେତ୍ରରେ ବେଆଇନ୍‍ ଗର୍ଭପାତ ଏବେ ବି ଚାଲିଛି । ଅବଶ୍ୟ ଲିଙ୍ଗ ନିରୂପଣକୁ ଆଇନତଃ ନିଷିଦ୍ଧ କରାଯାଇଛି । ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷ, ଡାକ୍ତର ଓ ଡାକ୍ତରଖାନା ବିରୋଧରେ କଡ଼ା ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ବନ୍ଦୋବସ୍ତ ରହିଛି । ଏହି ଆଇନ୍‍କୁ କାର୍ଯ୍ୟକାରୀ କରିବା ଲାଗି ଜାତୀୟ ଓ ରାଜ୍ୟ ସ୍ତରରେ ଉଚ୍ଚ କ୍ଷମତାସଂପନ୍ନ କମିଟିମାନ ରହିଛି ।

ଲିଙ୍ଗଗତ ସମାନତା ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସ୍ୱେଚ୍ଛାସେବୀ ସଂଗଠନମାନେ ବ୍ୟାପକ ପ୍ରଚାର କରୁଛନ୍ତି । ଏହାଛଡ଼ା ଶିଶୁ ମୃତ୍ୟୁହାର କମାଇବା ପାଇଁ ବି ମା’ ଓ ଶିଶୁମାନଙ୍କ ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଇବା ସଂଗେସଂଗେ ଔଷଧ ପତ୍ର ବି ମାଗଣାରେ ବାଣ୍ଟୁଛନ୍ତି । ତଥାପି ମଧ୍ୟ ସ୍ୱାଧୀନତା ପ୍ରାପ୍ତିର ୭୯ବର୍ଷରେ ଲିଙ୍ଗଗତ ସମାନତା ଯେଭଳି ରହିବା କଥା ତାହା ହୋଇପାରି ନାହିଁ । ଏ ପରିପ୍ରେକ୍ଷୀରେ ଦୁଇ ସନ୍ତାନବର୍ତ୍ତୀ ପରିବାର ଓ କନ୍ୟାରତ୍ନମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ସମାଜବିଜ୍ଞାନୀମାନେ ଗୁରୁତ୍ୱ ଦେଇ ଆସୁଛନ୍ତି । (ତଥ୍ୟ)