ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ଋଣବୋଝ ୧,୩୪,୯୧୩ କୋଟି ଟଙ୍କାରୁ ଅଧିକ ହୋଇପାରେ । ବର୍ଷକୁ ବର୍ଷ ଓଡ଼ିଶାର ଋଣବୋଝ ବଢ଼ି ଚାଲୁଥିଲେ ମଧ୍ୟ ଋଣବୋଝ ଏଫ୍ଆରବିଏମ୍ ଆଇନ୍ ଆଧାରରେ ଜିଏସ୍ଡିପିର ୨୫ ପ୍ରତିଶତ ସୀମା ଭିତରେ ରହୁଛି ।
ସରକାରୀ ତଥ୍ୟ ମୁତାବକ ୧୯୯୫-୯୬ ବର୍ଷ ବେଳକୁ ଓଡ଼ିଶାର ଋଣ ଭାର ୯,୨୧୮.୫୦ କୋଟି ଥିବାବେଳେ ୨୦୦୦-୦୧ ବର୍ଷ ବେଳକୁ ଏହା ବଢ଼ିବଢ଼ି ୨୧,୦୦୧ କୋଟି ୮୮ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ୨୦୧୩-୧୪ ଆର୍ôଥକ ବର୍ଷ ଶେଷ ବେଳକୁ ଓଡ଼ିଶାର ଋଣବୋଝ ୩୮,୬୬୬ କୋଟି ୨୪ଲକ୍ଷ ଟଙ୍କା ଥିବାବେଳେ ୨୦୨୩-୨୪ ବେଳକୁ ରାଜ୍ୟର ଋଣବୋଝ ଥିଲା ୯୬,୩୧୦ କୋଟି ୪୦ଲକ୍ଷ ଟଙ୍କା । ତେବେ ପ୍ରଥମଥର ପାଇଁ ୨୦୨୫-୨୬ ବର୍ଷରେ ରାଜ୍ୟର ଋଣବୋଝ ଲକ୍ଷେ କୋଟି ଟଙ୍କା ସୀମା ଟପିବାକୁ ଯାଉଛି ।
ଅର୍ଥ ବିଭାଗରେ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ୨୦୨୫ ଅକ୍ଟୋବର ସୁଦ୍ଧା ଓଡ଼ିଶାର ଋଣବୋଝ ୧ଲକ୍ଷ ୨୬ ହଜାର କୋଟି ଟଙ୍କା ଥିଲା । ୨୦୨୫-୨୬ ବର୍ଷର ବଜେଟ୍ ଅଟକଳ ଅନୁଯାୟୀ ରାଜ୍ୟର ଋଣ ଭାର ୧,୩୪,୯୧୩ କୋଟି ୮୪ଲକ୍ଷ ଟଙ୍କା ହେବ ବୋଲି ଅଟକଳ କରାଯାଇଛି ।
ମୋଟାମୋଟି ଭାବେ ରାଜ୍ୟର ମୁଣ୍ଡପିଛା ଋଣ ବୋଝ ୨୦୨୩-୨୪ ବର୍ଷରେ ୨୦୭୩୬ ଟଙ୍କା ଥିବାବେଳେ ଏହା ୨୦୨୪-୨୫ ବର୍ଷରେ ୨୫୯୮୯ ଟଙ୍କା ୩୬ ପଇସାକୁ ବୃଦ୍ଧି ପାଇଛି । ୨୦୨୪-୨୫ ବର୍ଷରେ ସରକାର ୨୨୪୨୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ସୁଝୁଥିବାବେଳେ ଚଳିତ ଆର୍ôଥକ ବର୍ଷରେ ୨୩,୨୦୦ କୋଟି ଟଙ୍କା ଋଣ ସୁଝିବାର ଲକ୍ଷ୍ୟ ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏବେ ଓଡ଼ିଶାର ବଜେଟ୍ ୩ଲକ୍ଷ କୋଟି ଟଙ୍କା ଟପୁଛି ।
ତେବେ ଓଡ଼ିଶା ପାଇଁ ଆଶ୍ୱାସନାର ବିଷୟ ଯେ ପୂର୍ବରୁ ବହୁ ସମୟରେ ରାଜ୍ୟ ସରକାରଙ୍କୁ ଓଭରଡ୍ରାଫ୍ଟ କରି ବ୍ୟାଙ୍କମାନଙ୍କରୁ ଅଗ୍ରୀମ ଟଙ୍କା ଉଠାଇବାକୁ ପଡୁଥିବାବେଳେ ଏବେ ଅବଶ୍ୟ କିଛିବର୍ଷ ଧରି ସରକାରଙ୍କୁ ଓଭରଡ୍ରାଫ୍ଟ କରିବାକୁ ପଡୁନାହିଁ । ଓଡ଼ିଶାକୁ ଆର୍ôଥକ ସହାୟତା ଦେଇଆସୁଥିବା ବିଶ୍ୱବ୍ୟାଙ୍କ ଭଳି କେତେକ ସଂସ୍ଥାଙ୍କ ପରାମର୍ଶକ୍ରମେ ଗତ ଶତାବ୍ଦୀର ୯୦ ଦଶକରେ ରାଜ୍ୟ ସରକାର ମିତବ୍ୟୟିତା ନୀତି ଅବଲମ୍ବନ କରିଥିଲେ ଏବଂ ଏ ପ୍ରସଂଗରେ କେନ୍ଦ୍ର ସରକାରଙ୍କ ସହିତ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ତଦନୁଯାୟୀ ବହୁ ସରକାରୀ ପଦପଦବୀ ଉଚ୍ଛେଦ କରାଯିବା ସହିିତ ନୂଆ ନିଯୁକ୍ତି ଉପରେ କଟକଣା ଜାରି ହୋଇଥିଲା । ଏହାଛଡ଼ା ଆଉଅନେକ କ୍ଷେତ୍ରରେ ସରକାରୀ କଳ ମିତବ୍ୟୟିତା ଅବଲମ୍ବନ କରିବା ପାଇଁ ବି ବାରମ୍ବାର ମାର୍ଗଦର୍ଶିକା ଜାରି ହୋଇଥିଲା ।
ଏଠାରେ ଉଲ୍ଲେଖନୀୟ ଯେ ୨୦୨୩ ଶେଷ ବେଳକୁ ଓଡ଼ିଶାରେ ୨ଲକ୍ଷରୁ ଅଧିକ ସରକାରୀ ଚାକିରି ଖାଲି ପଡିଥିବା ବାର୍ଷିକ ଏଷ୍ଟାବ୍ଲିସମେଣ୍ଟ ରିଭ୍ୟୁ ତଥ୍ୟରୁ ଜଣାପଡିଥିଲା । ୨୦୨୪-୨୫ ବର୍ଷରେ ଯେତେ ସଂଖ୍ୟକ ନିଯୁକ୍ତି ଦିଆଯାଇଛି ତାହା ତୁଳନାରେ ଅବସର ଗ୍ରହଣ କରିଥିବା ଏବଂ ବୃତ୍ତି ଓ ଅନ୍ୟାନ୍ୟ କାରଣରୁ ଚାକିରି ଛାଡ଼ିଥିବା ବ୍ୟକ୍ତିଙ୍କ ସଂଖ୍ୟା କମ୍ ନୁହେଁ । ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ଖଣି, ଅବକାରୀ ରାଜସ୍ୱ, ବାଣିଜ୍ୟ କର, ଜିଏସ୍ଟି ଆଦିରୁ ରାଜ୍ୟ ପ୍ରମୁଖ ରାଜସ୍ୱ ପାଉଥିବାବେଳେ କେନ୍ଦ୍ରୀୟ ଅନୁଦାନ ଉପରେ ବହୁମାତ୍ରାରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛି । ଏ ପରିପ୍ରେକ୍ଷୀରେ ବେକାରୀ ଓ ବେରୋଜଗାରୀ ଓଡ଼ିଶା ପାଇଁ ପ୍ରମୁଖ ସମସ୍ୟା ହୋଇ ରହିଛି । (ତଥ୍ୟ)

