Home Health ଓଡ଼ିଶାରେ ଶିଶୁ ସ୍ୱାସ୍ଥ୍ୟ ଖରାପ

ଓଡ଼ିଶାରେ ଶିଶୁ ସ୍ୱାସ୍ଥ୍ୟ ଖରାପ

ଭୁବନେଶ୍ୱର : ଓଡ଼ିଶାରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ତୁଳନାତ୍ମକ ଭାବେ ବହୁ ରାଜ୍ୟଙ୍କଠାରୁ ଖରାପ ସ୍ଥିତିରେ ରହିଛି । କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବର୍ଷର ଆର୍ôଥକ ସର୍ଭେର ରିପୋର୍ଟରେ ଉପସ୍ଥାପିତ ପରିସଂଖ୍ୟାନରୁ ଏହି ତଥ୍ୟ ମିଳୁଛି ।

ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୦ରେ ରହିଛି ଯାହା ଆସାମ ସହିତ ସମାନ । ଓଡ଼ିଶା ଓ ଆସାମ ଅପେକ୍ଷା କେବଳ ଛତିଶଗଡ଼ ଓ ଉତ୍ତର ପ୍ରଦେଶରେ ଶିଶୁ ମୃତ୍ୟୁହାର ଅଧିକ ରହିଛି । ଛତିଶଗଡ଼ ଓ ଉତ୍ତର ପ୍ରଦେଶରେ ଏହି ହାର ୩୭ ଥିବା ଆର୍ôଥକ ସର୍ଭେ ରିପୋର୍ଟ ଦର୍ଶାଉଛି । ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁ, ପଞ୍ଜାବ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶରେ ଏହି ହାର ୨୦ ତଳକୁ ରହିଛି । ଶିଶୁ ମୃତ୍ୟୁ ହାର କ୍ଷେତ୍ରରେ ସବୁଠାରୁ ସନ୍ତୋଷଜନକ ସ୍ଥିତିରେ ରହିଛି କେରଳ । ଏଠାରେ ଶିଶୁ ମୃତ୍ୟୁ ହାର ବା ଆଇଏମ୍‍ଆର ମାତ୍ର ୫ ଥିବା କେନ୍ଦ୍ର ସରକାରଙ୍କ ଆର୍ôଥକ ସର୍ଭେ ରିପୋର୍ଟ ସୂଚାଉଛି ।

ଏହି ରିପୋର୍ଟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟକୁ ଆଧାର କରି କୁହାଯାଇଛି ଯେ ୫ବର୍ଷ ବୟସରୁ କମ୍‍ ଶିଶୁଙ୍କ କ୍ଷେତ୍ରରେ ଓଡ଼ିଶାରେ ମୃତ୍ୟୁହାର ୪୧.୧ ପ୍ରତିଶତ ଥିବାବେଳେ ଏହା ଉତ୍ତର ପ୍ରଦେଶରେ ୫୯.୮ ପ୍ରତିଶତ ଓ ଛତିଶଗଡ଼ରେ ୫୦.୪ ପ୍ରତିଶତ ରହିଛି । ଅଥଚ କେରଳ ଭଳି ରାଜ୍ୟରେ ଏହା ମାତ୍ର ୫.୨ ପ୍ରତିଶତ ଥିବାବେଳେ ଗୋଆରେ ୧୦.୬ ପ୍ରତିଶତ ରହିଛି ।

ଓଡ଼ିଶାରେ ୫ବର୍ଷରୁ କମ୍‍ ବୟସ୍କ ଶିଶୁମାନଙ୍କ ଭିତରୁ ୩୧ ପ୍ରତିଶତଙ୍କ ଓଜନ ବୟସ ତୁଳନାରେ ଢେର କମ୍‍ ରହୁଛି । ଏମାନଙ୍କୁ ‘ଷ୍ଟଣ୍ଟେଡ୍‍’ ଶିଶୁ ବୋଲି କୁହାଯାଏ । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର ବିଷୟ ହେଉଛି ଯେ ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଗୁଜରାଟ, ମେଘାଳୟ ଭଳି ରାଜ୍ୟରେ ଏହି ହାର ଯଥେଷ୍ଟ ଅଧିକ ରହିଛି । ଉଚ୍ଚତା ତୁଳନାରେ ଓଜନ ବି ଏହି ବୟସର ଶିଶୁମାନଙ୍କ ଭିତରୁ ୧୮.୧ ପ୍ରତିଶତଙ୍କର କମ୍‍ ରହୁଛି ।

ଏହାଛଡ଼ା ବୟସ ତୁଳନାରେ ଓଜନ ଓଡ଼ିଶାର ୨୯.୭ ପ୍ରତିଶତ ଶିଶୁଙ୍କର କମ୍‍ ରହିଥିବା ଆର୍ôଥକ ସର୍ଭେ ରିପୋର୍ଟ ଦର୍ଶାଉଛି । କେରଳରେ କିନ୍ତୁ ଏହି ହାର ୧୯.୭ ପ୍ରତିଶତ ଥିବାବେଳେ ଅରୁଣାଚଳରେ ୧୫.୪, ମଣିପୁରରେ ୧୩.୩, ମିଜୋରାମ୍‍ରେ ୧୨.୭, ପଞ୍ଜାବରେ ୧୬.୯ ପ୍ରତିଶତ ରହିଛି ।

ଏହି ପରିସଂଖ୍ୟାନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ବିଗତ ବର୍ଷମାନଙ୍କରେ ଓଡ଼ିଶାରେ ସ୍ଥିତିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଏବେ ବି ରାଜ୍ୟର ଏକ ଚତୁର୍ଥାଂଶରୁ ଏକ ତୃତୀୟାଂଶ ଶିଶୁଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିନାହିଁ । ବିଶେଷକରି ଅପପୁଷ୍ଟି ଓ ରକ୍ତହୀନତା ଏହାର ପ୍ରମୁଖ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘବର୍ଷ ଧରି ସରକାର ଅବିବାହିତା ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଅଭିଯାନ ସ୍କୁଲ ବେଳରୁ ଚଳାଉଥିବାବେଳେ ଗର୍ଭବତୀ ମହିଳାଙ୍କ ପୋଷଣ ଏବଂ ୩ବର୍ଷରୁ ଅଧିକ ବୟସର ଶିଶୁଙ୍କ ପାଇଁ ଅଙ୍ଗନବାଡ଼ିରେ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏହାଛଡ଼ା ମହିଳାମାନେ ଆର୍ôଥକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ଶିକ୍ଷା, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ବଢ଼ିଲେ ଏହି ସମସ୍ୟା ନିୟନ୍ତ୍ରିତ ହୋଇପାରିବ ବୋଲି କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୨-୯୩ ବେଳକୁ ଓଡ଼ିଶାରେ ଶିଶୁ ମୃତ୍ୟୁହାର ପ୍ରତି ୧୦୦୦ରେ ୧୧୨.୧ ଥିବାବେଳେ ୧୯୯୮-୯୯ରେ ଏହା ୮୧କୁ ହ୍ରାସ ପାଇଥିଲା । ୨୦୧୫-୧୬ ବେଳକୁ ଏହି ହାର ୩୯.୬ ଥିବାବେଳେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ୨୦୧୯-୨୧ ରିପୋର୍ଟ ମୁତାବକ ଏହା ୩୬.୩କୁ ହ୍ରାସ ପାଇଛି । (ତଥ୍ୟ)