ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ରାଜ୍ୟର ଉପାନ୍ତର ଅଞ୍ଚଳର ପ୍ରକୃତ କରୁଣ ଚିତ୍ର ଦେଖିଥିଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ। ଅବଶ୍ୟ ସେ ଦେଖିଥିବା ଗାଁର ବାସ୍ତବତା ରାଜ୍ୟର ସବୁ ଜିଲ୍ଲାରେ ଅଳ୍ପେ ବହୁତେ ରହିଛି। ହେଲେ ଏଥିପାଇଁ ଦାୟୀ କିଏ। ଅରୁଣ ସାହୁଙ୍କ ଭଳି ଅନୁଭବି, ଅଭିଜ୍ଞ ନେତା, ଯିଏ ଦିନେ ଶାସନ କଳର ଏକ ଅଙ୍ଗ ଥିଲେ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଏହି ପୃଷ୍ଠଭୂମୀରୁ ଆରମ୍ଭ ହୋଇଥିଲା ତାଙ୍କ କଲମ ଯାହା ଏକ କ୍ଷୁଦ୍ର ଉପନ୍ୟାସ ପୀଡା ଭାବେ ଆତ୍ମପ୍ରକାଶ କରିଛି।
ନୂଆପଡା ଉପନିର୍ବାଚନ ସମୟରେ ଅରୁଣଙ୍କ ଭେଟ ହୋଇଛି ନୋଚା ଲାଖି ନାମକ ଜଣେ ବ୍ୟକ୍ତି ସହ। ଯାହାଙ୍କ ଠାରେ ସେ ଅପପୃଷ୍ଟି ଓ ଦାରିଦ୍ର୍ୟତାର ନଗ୍ନ ଚିତ୍ର ଦେଖିଥିଲେ। ନୋଚା ଲାଖି ପରିବାର ଜରିଆରେ ତାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ବିକାଶ, ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି, ସାମାଜିକ ସ୍ଥିତିରେ ଉନ୍ନତି ଏବଂ ସର୍ବୋପରି ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ୭୭ ବର୍ଷର ସବୁ ପ୍ରଶାସନିକ ବିଧି ବ୍ୟବସ୍ଥାର ବିଶ୍ଲେଷଣ କରିବାକୁ ବାଧ୍ୟ କରିଛି। ସମୟ ଆସିଛି ଶିକ୍ଷା, ଭାଷା, ସଂସ୍କୃତି, ସାମାଜିକ ଚଳଣୀ, ଧର୍ମୀୟ ଭାବନା, ରୋଜଗାରର ମାଧ୍ୟମ, ବଞ୍ଚିବାର ମାନ, ସନ୍ତୁଳିତ ଖାଦ୍ୟ, ଆଇନକୁ ସମ୍ମାନ, ସାହାଯ୍ୟ ସହାୟତା ପାଇଁ ମାନସିକତାକୁ ନେଇ ନିଜ ଲେଖନୀ ମାଧ୍ୟମରେ ଆଲୋଚନା କରିବା ଆରମ୍ଭ କରିଛନ୍ତି।
ଏଥିପାଇଁ ଦାୟୀ କିଏ? ସମାଜର ଉପରସ୍ତରର ଲୋକେ ନା ତଳ ସ୍ତରରେ ରହୁଥିବା ଗରିବ ପରିବାର। ସମାଜର ଉପର ସ୍ତରର ଲୋକେ ସବୁ ସମୟରେ ସହଜରେ ସାଧାରଣ ଲୋକଙ୍କୁ ଦାୟୀ କରିଦେଉଛନ୍ତି। ଆଉ ସେମାନେ ସରକାର ଓ ପ୍ରଶାସନକୁ ମଧ୍ୟ ପ୍ରଭାବିତ କରିପାରୁଛନ୍ତି। ହେଲେ ପ୍ରତିବାଦର ସ୍ବର ଉଠାଇ ପାରୁନାହାଁନ୍ତ ତଳ ସ୍ତରରେ ରହୁଥିବା ଲୋକମାନେ। ଏହି ସ୍ଥିତି ପାଇଁ ନିର୍ବାଚନ ପକ୍ରିୟାକୁ ମଧ୍ୟ ଦାୟୀ କରାଯାଇପାରେ।
ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ଅଛି କି, ନିର୍ବାଚନରେ ଅଜସ୍ର ଅର୍ଥ ଖର୍ଚ୍ଚ ଉପରେ ରୋକ ଲାଗି ପାରୁଛି କି, ସର୍ବୋପରି ଭୋଟରଙ୍କୁ ରାଜନୈତିକ ଦଳମାନେ ଯେଉଁ ଭଳି ବ୍ୟବହାର କରୁଛନ୍ତି ତା ଉପରେ ନିୟନ୍ତ୍ରଣ ଅଛି କି। ଏପ୍ରଶ୍ନ ସେ ନିଜ ଦଳ, ପୂର୍ବର ବିଜେଡି ସରକାର ଓ ବର୍ତ୍ତମାନର ସରକାରକୁ ମଧ୍ୟ ପୀଡା ଜରିଆରେ ପଚାରିଛନ୍ତି। କାରଣ ତାଙ୍କ ଭାଷାରେ ୧୯୫୦ରୁ ୧୯୭୫ ପର୍ଯ୍ୟନ୍ତ ନୂଆ ଶାସନ ଧିରେ ଧିରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା। ୧୯୭୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି। ୨୦୦୦ରୁ ୨୦୨୫ ମଧ୍ୟରେ ଅର୍ଥାତ ବିଜେଡି ସରକାରର ୨୪ ବର୍ଷ ଓ ବର୍ଷକର ବିଜେପି ସରକାର ଅମଳରେ ଦୁର୍ନୀତି ଅସ୍ଥିମଜ୍ଜାଗତ ହୋଇଯାଇଥିଲା। ରାଜ୍ୟର ଜଣେ ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ, ସାହିତ୍ୟିକ ସ୍ବର୍ଗତ ମନୋରଂଜନ ସାହୁ ଓରଫ ମନୁ ମାଷ୍ଟ୍ରେ ଦ୍ବାରା ଏହି ଉପନ୍ୟାସର ଆଜି ଲୋକର୍ପଣ ହୋଇଛି।

