Home General ରାଜ୍ୟରେ ୧୪,୩୬୧ ଟି ୫ଜି ବିଟିଏସ୍‍

ରାଜ୍ୟରେ ୧୪,୩୬୧ ଟି ୫ଜି ବିଟିଏସ୍‍

ଭୁବନେଶ୍ୱର : ଡିଜିଟାଲ ଭାରତ ନିଧି (ଡିବିଏନ୍‍) ଏବଂ ଭାରତ ନେଟ୍‍ ପ୍ରକଳ୍ପରେ ରାଜ୍ୟରେ ଉନ୍ନତମାନର ଟେଲି ସେବା ଯୋଗାଣ ହେଉଥିବାବେଳେ ଗତବର୍ଷ ଶେଷ ସୁଦ୍ଧା ୧୪,୩୬୧ଟି ୫-ଜି ବିଟିଏସ୍‍ ସ୍ଥାପନ ହୋଇଛି । ରାଜ୍ୟରେ ଟେଲିଫୋନ୍‍ ସେବା ସଂକ୍ରାନ୍ତରେ ବିଜେଡି ସାଂସଦ ମୁନା ଖାଁ ରାଜ୍ୟସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖର ।

କେନ୍ଦ୍ରମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧାର ରାଜ୍ୟର ୪୯,୯୨୨ଟି ଗ୍ରାମରେ ମୋବାଇଲ ସେବା ପହଞ୍ଚିପାରିଛି । ସେହିଭଳି ୪୯,୪୦୧ ଗାଁରେ ବ୍ରଡ୍‍ବ୍ୟାଣ୍ଡ୍‍ ଓ ଇଣ୍ଟରନେଟ୍‍ ସେବା ଉପଲବ୍ଧ ହୋଇଛି । ଗତବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୧,୦୪,୨୬୪ଟି ବିଟିଏସ୍‍ କାର୍ଯ୍ୟ କରୁଥିବା ଜଣାଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସଂଶୋଧିତ ଭାରତ ନେଟ୍‍ ପ୍ରକଳ୍ପ ଅଧିନରେ ରାଜ୍ୟରେ ୪୪ ପଞ୍ଚାୟତ ଚିହ୍ନଟ ହୋଇଥିବାବେଳେ ୪୪,୪୫୬ଟି ଗାଁକୁ ଚିହ୍ନଟ କର।।ଯାଇଛି । ସେହିଭଳି କେବିକେ ଏବଂ ଉପକୂଳ ଜିଲ୍ଲାଗୁଡିକରେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ଡିବିଏନ୍‍ ଜରିଆରେ ମୋବାଇଲ୍‍ ସ୍କିମ୍‍ କାର୍ଯ୍ୟକାରୀ ହେଉଛି । ଭାରତ ନେଟ୍‍ ଯୋଜାରେ ରାଜ୍ୟରେ ୪-ଜି ମୋବାଇଲ୍‍ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଯାଉଛି ।

କେନ୍ଦ୍ରମନ୍ତ୍ରୀ ଏଭଳି ସୂଚନା ଦେଇଥିବା ସତ୍ୱେ ଏବେ ବି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅନେକ ଅଞ୍ଚଳରେ ମୋବାଇଲ୍‍ ସେବା ଅପହଞ୍ଚ ହୋଇ ରହିଛି । ଲୋକେ ଫୋନ୍‍ରେ ଟିକେ କଥାହେବାକୁ କିମ୍ବା କୌଣସି ସୂଚନା ପାଇବାକୁ ପାହାଡ ଚଢୁଛନ୍ତି । ଏଥିଯୋଗୁଁ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ୍‍ ସେବା ସହିତ ବିଭିନ୍ନ ସରକାରୀ ଯୋଜନା ପ୍ରଭାବିତ ହେବାରେ ଲାଗିଛି ।

ସରକାରୀ ଟେଲିକମ୍‍ କମ୍ପାନୀ ବିଏସ୍‍ଏନଏଲ୍‍ର ସେବା ମଧ୍ୟ ରାଜ୍ୟର ସହରାଞ୍ଚଳ ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ସେତେଟା ଉତ୍ସାହଜନକ ନୁହେଁ । ରାଜଧାନୀର ବିଏସଏନଏଲ ଗ୍ରାହକମାନେ ବାରମ୍ବାର ଦୁର୍ବଳ ମୋବାଇଲ୍‍ ସଂଯୋଗର ସମ୍ମୁଖୀନ ହେଉଥିବାବେଳେ କର୍ତ୍ତୃପକ୍ଷ ତ୍ରୁଟିକୁ ସୁଧାରି ପାରୁନାହାନ୍ତି । ରାଷ୍ଟ୍ରାୟତ ସଂସ୍ଥାର ଦୁର୍ବଳ ସେବା ଯୋଗୁଁ ଗ୍ରାହକମାନେ ଘରୋଇ ମୋବାଇଲ୍‍ କମ୍ପାନୀ ମୁହାଁ ହେବା ସହିତ ଶୋଷଣର ମଧ୍ୟ ଶିକାର ହେଉଛି । ବିଏସଏନଏଲ୍‍ର ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ ଘରୋଇ କମ୍ପାନୀମାନେ କିଭଳି ଆଗରେ ରହି ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛନ୍ତି ତାହା ଅନେକଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)