ଭୁବନେଶ୍ୱର : ନ୍ୟାୟ ପାଇବାରୁ ବଞ୍ଚିତ ଲୋକେ ପ୍ରଶାସନ ବିରୋଧରେ ମାମଲା ଲଢ଼ି ଉଚ୍ଚ ନ୍ୟାୟାଳୟ ଏମିତିକି ସର୍ବୋଚ୍ଚ ନ୍ୟାୟାଳୟରୁ ଜିତିବା ପରେ ମଧ୍ୟ ବର୍ଷବର୍ଷ ଧରି ଅଦାଲତି ରାୟ କାର୍ଯ୍ୟକାରୀ ହେଉନଥିବାରୁ କ୍ରମଶଃ ଅଦାଲତ ଅବମାନନା ମାମଲା ଚାପ ବଢ଼ିବଢ଼ି ଚାଲିଛି ।
ଏଥିଯୋଗୁ ବିଭାଗୀୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ନିର୍ଦ୍ଦେଶକ ଓ କ୍ଷେତ୍ର ଅଧିକାରୀମାନେ ବାରମ୍ବାର ବ୍ୟକ୍ତିଗତ ଭାବେ ଅଦାଲତରେ ହାଜିରା ଦେବାକୁ ବାଧ୍ୟ ହେଉଛନ୍ତି । ଶେଷରେ ଗିରଫ, ଜରିମାନା ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଭୟରେ ସରକାରୀ ଅଧିକାରୀମାନେ ଆଇନ୍ ଅଦାଲତରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଅଦାଲତଙ୍କ ରାୟ କାର୍ଯ୍ୟକାରୀ କରୁଛନ୍ତି । ତେବେ ସାଧାରଣ ଲୋକ ଓ ସରକାରୀ କର୍ମଚାରୀଙ୍କ ବିଭିନ୍ନ ଅଭିଯୋଗର ଫଇସଲା କରିବା ପରିବର୍ତ୍ତେ ଏଗୁଡ଼ିକ ବର୍ଷବର୍ଷ ଧରି ଏଡ଼ାଇଯିବା ଯୋଗୁ ରାଜ୍ୟରେ ମାମଲା ଚାପ ବି ବଢ଼ିବଢ଼ି ଚାଲିଛି ।
ଏବେ ଓଡ଼ିଶାରେ ପ୍ରାୟ ୨୨ଲକ୍ଷ ମାମଲା ବିଚାରାଧୀନ ରହିଛି । ଏଥି ମଧ୍ୟରୁ ୧୧ ହଜାରରୁ ଅଧିକ ହେଉଛି ଅଦାଲତ ଅବମାନନା ସଂକ୍ରାନ୍ତୀୟ ମାମଲା । ସଂଖ୍ୟାଧିକ ଅଦାଲଦ ଅବମାନନା ମାମଲାରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ପକ୍ଷଭୁକ୍ତ ରହୁଛନ୍ତି । ଅଦାଲତ ଅବମାନନା ମାମଲାରେ ନୋଟିସ୍ ପାଇବା କିମ୍ବା ଆଦେଶର କାର୍ଯ୍ୟକାରିତା ପାଇଁ ହାଇକୋର୍ଟ ନିଜ ଆଡୁ ଅଧିକ ସମୟ ଦେଲେ ବି ଅଧିକାରୀମାନେ ତାହା ଉପରେ ବହୁ ସମୟରେ ଗୁରୁତ୍ୱାରୋପ କରୁନଥିବାରୁ ପୁଣି ଆବେଦନକାରୀଙ୍କୁ ଅଦାଲତର ଅବମାନନା ମାମଲା ରୁଜୁ କରିବାକୁ ପଡୁଛି ଏବଂ ଏହାପରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ କିମ୍ବା ସଂପୃକ୍ତ ଅଧିକାରୀଙ୍କୁ କୋର୍ଟରେ ହାଜର କରିବା ଲାଗି ପୁଲିସକୁ ଅଦାଲତ କରିବା ପରେ ଯାଇ ମୂଳ ଆଦେଶ କାର୍ଯ୍ୟକାରୀ ହେବା ଏକ ପ୍ରଥାରେ ପଡ଼ିଯାଇଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।
ନିକଟରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ନଗର ଉନ୍ନୟନ ବିଭାଗର ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯିବା ପରେ ଯାଇ ବିଭାଗୀୟ କର୍ତ୍ତୃପକ୍ଷ ମୂଳ ରାୟ କାର୍ଯ୍ୟକାରୀ କରିବା ସଂଗେସଂଗେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତି ଅବମାନନା ଛାଟରୁ ମୁକ୍ତି ପାଇଛନ୍ତି । ପ୍ରାୟ ପ୍ରତି ସପ୍ତାହରେ ଆଇନ୍ ଅଦାଲତ ଏଭଳି ନିର୍ଦ୍ଦେଶ ଦେଉଛନ୍ତି ।
ନିକଟରେ ସୁପ୍ରିମକୋର୍ଟରେ ରୁଜୁ ଏକ ଅଦାଲତ ଅବମାନନା ମାମଲା ଭୟରେ ପ୍ରାୟ ୧୭ବର୍ଷ ତଳର ଓଡ଼ିଶା ସିଭିଲ ସର୍ଭିସ୍ ନିଯୁକ୍ତି ଅବ୍ୟବସ୍ଥା ଘେନି ଅସନ୍ତୋଷ ବ୍ୟକ୍ତ କରିବା ପରେ ପଦସ୍ଥ ଅଧିକାରୀମାନେ ଛାନିଆ ହୋଇ ଭିନ୍ନ କ୍ୟାଡର୍ର ୧୯ଜଣ ଅଧିକାରୀଙ୍କୁ ଓଏଏସ୍ରେ ନିଯୁକ୍ତି ସହ ପିଛିଲା ତାରିଖରୁ ବିଭିନ୍ନ ପାହ୍ୟାକୁ ପଦୋନ୍ନତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ୧୭ବର୍ଷ ଧରି ଏହି ୧୯ଜଣ ଅଧିକାରୀ କାହିଁକି କମ୍ ବେତନ ଥିବା ପଦବୀରେ କାମ କରୁଥିଲେ । ଏଥିଲାଗି କର୍ତ୍ତୃପକ୍ଷ କିନ୍ତୁ କାହାକୁ ଉତ୍ତରଦାୟୀ କରୁନାହାନ୍ତି ।
ଆଇନ୍ ଅଦାଲତରୁ ନ୍ୟାୟ ପାଇବା ପରେ ଅଭିଯୋଗକାରୀମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ିଲେ ବି ସେମାନଙ୍କ ସମସ୍ୟାକୁ ତଳ ସ୍ତରରୁ ଚପାଇ ଦିଆଯାଉଥିବା ଫଳରେ ଶେଷରେ ସେମାନେ ହତାଶ ହୋଇ ଅଦାଲତ ଅବମାନନା ମାମଲା ରୁଜୁ କରୁଛନ୍ତି । ଓଏଏସ୍ ଚାକିରିରୁ ଜଣେ ପ୍ରାର୍ଥୀ ୫ବର୍ଷ ଧରି ମାମଲା ଲଢ଼ିବା ପରେ ହାଇକୋର୍ଟଙ୍କ ରାୟ ଆଧାରେ ୨୦୨୪ରେ ତାଙ୍କୁ ନିଯୁକ୍ତି ଦିଆଗଲା । ତେବେ ଏହି ମାମଲାରେ ହାଇକୋର୍ଟ କ୍ଷତିଗ୍ରସ୍ତ ପ୍ରାର୍ଥୀଙ୍କୁ ଲକ୍ଷେ ଟଙ୍କା ଦେବା ଲାଗି ଆଦେଶ କରିଥିଲେ ମଧ୍ୟ ଏଯାବତ୍ ତାହା ତାଙ୍କୁ ମିଳିନାହିଁ । ସେହିଭଳି ଅବସରର ୧୨ବର୍ଷ ପରେ ବି ନିୟମିତ ପେନ୍ସନ୍ ପାଇନଥିବା ଜଣେ ୭୦ ବର୍ଷ ବୟସ୍କା ଭିନ୍ନକ୍ଷମ ବୃଦ୍ଧାଙ୍କ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାବତ୍ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକାରୀ କରିନାହାନ୍ତି । ଏଭଳି ଅଭିଯୋଗର ତାଲିକା ଢେର ଲମ୍ବା ଥିଲେ ମଧ୍ୟ ତଳ ସ୍ତରରେ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁ ବର୍ଷକୁ ବର୍ଷ ସମସ୍ୟା ଉତ୍କଟତର ହେବାରେ ଲାଗିଛି । (ତଥ୍ୟ)

