ଭୁବନେଶ୍ୱର : ନିକଟରେ ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ତାଙ୍କ ଟିମ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ ।
ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ବୈଠକ କେବଳ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଓ ପ୍ରଗତି ସମ୍ୱନ୍ଧରେ ଔପଚାରିକ ଆଲୋଚନା ନା ବିଶ୍ୱ ବ୍ୟାଙ୍କ ଠାରୁ ଓଡିଶା ଋଣ କରିବା । ରାଜ୍ୟର ଅର୍ଥମନ୍ତ୍ରୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ହାତରେ ଥିବାବେଳେ, ସେ ଏହାର ସ୍ପଷ୍ଟୀକରଣ ରାଜ୍ୟବାସୀଙ୍କ ଆଗରେ ରଖିବା ଉଚିତ ।
ରାଜ୍ୟର ବିତ୍ତୀୟ ନିଅଣ୍ଟ ୧.୭ରୁ ୩.୫ରେ ପହଞ୍ଚିଛି, ଯାହା ଏଫଆରବିଏମ ନିୟମକୁ ଉଲଂଘନ କରୁଛି । ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଦୁଇଟି ବଜେଟରେ ୯୧,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ଏଥିରୁ ପ୍ରାୟ ୩୮% ଖୋଲା ବଜାରରୁ ନିଆଯାଇଛି । ଖୋଲା ବଜାରରୁ ଋଣ ନିଆଯାଉଛି ବୋଲି ବିଶ୍ୱ ବ୍ୟାଙ୍କ ସମ୍ମୁଖରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି କି ନାହିଁ ସେନେଇ ସନେ୍ଦହ ରହିଛି ।
ଗତ ୧୮ ମାସରେ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବା ବେଳେ ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କ ଠାରୁ ଋଣ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ଦାବି କରୁଛି ଯେ, ରାଜ୍ୟ ସରକାର ବିଶେଷକରି ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟୀକରଣ ରଖିବେ ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡୁ ଥିବାବେଳେ, ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ନବେ ଦଶକର ଶେଷ ବେଳକୁ ଓଡ଼ିଶାର ଆର୍ଥିକ ସ୍ଥିତି ଯେପରି ଦୟନୀୟ ସ୍ଥିତିରେ ଥିଲା, ବିଜେପି ଶାସନରେ ତାହାର ପୁନରାବୃତ୍ତି ହେବ ନାହିଁ ତ?

