Home Forest ନିଆଁର ଆଁରେ ୪ହଜାର ହେକ୍ଟର ଜଙ୍ଗଲ

ନିଆଁର ଆଁରେ ୪ହଜାର ହେକ୍ଟର ଜଙ୍ଗଲ

ଭୁବନେଶ୍ୱର : ନିଆଁ ଆଁରେ ବର୍ଷକୁ ୪ହଜାର ହେକ୍ଟରରୁ ଅଧିକ ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି । ଅନୁଗୁଳ, ବାରିପଦା, ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ୱର, କୋରାପୁଟ, ରାଉରକେଲା ଓ ସମ୍ବଲପୁର ଜଙ୍ଗଲ ସର୍କଲରେ ଅଗ୍ନି ବିତ୍ପାତରେ ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି ।

ରାଜ୍ୟରେ ପ୍ରାୟ ୫୨ ହଜାର ହେକ୍ଟର ବର୍ଗ କିଲୋମିଟରର ଜଙ୍ଗଲ ରହିଥିବାବେଳେ ଗତବର୍ଷ ଗ୍ରୀଷ୍ମଋତୁରେ ଏଥିରୁ ସାଢେ ୪ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି । ଏହି ବର୍ଷ କୋରାପୁଟର ସର୍କଲର ନବରଙ୍ଗପୁର ବନଖଣ୍ଡରେ ୬୪୪ ହେକ୍ଟରରୁ ଅଧିକ ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭବାନୀପାଟଣା ସର୍କଲର ଖରିଆର ଡିଭିଜନରେ ୪୬୦ ହେକ୍ଟରରୁ ଅଧିକ ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି । ଫୁଲବାଣି ବନଖଣ୍ଡରେ ପାଖପାଖି ୪ଶହ ହେକ୍ଟର ଜମି ନିଅଶରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ରାଉରକେଲା ସର୍କଲର ସୁନ୍ଦରଗଡ ବନଖଣ୍ଡରେ ଇଲାକରେ ୨୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜଳିଛି । ଜୟପୁର ଡିଭିଜନରେ ଏହା ୨ଶହ ହେକ୍ଟରରୁ ଅଧିକ ରହିଛି ।

ନିଆଁରେ କ୍ଷତିଗ୍ରସ୍ତ ହେଉଥିବା ଜଙ୍ଗଲ ପ୍ରତିବଦଳରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବନୀକରଣ କାର୍ଯ୍ୟକ୍ରମ ଜାରି ରହିଛି । ସାରା ରାଜ୍ୟରେ ୨୦୨୪-୨୫ ବର୍ଷରେ ପାଖାପାଖି ୩୧ହଜାର ହେକ୍ଟର ଜଙ୍ଗଲ ଜମିରେ ପ୍ରାୟ ୨କୋଟି ଚାରା ରୋପଣ କରାଯାଇଥିଲା । ୨୦୨୫-୨୬ବର୍ଷରେ ପାଖାପାଖି ୨୬ହଜାର ହେକ୍ଟର ଜଙ୍ଗଲ ଜମିରେ ୨କୋଟି ୫ଲକ୍ଷରୁ ଅଧିକ ଚାରା ରୋପଣ ହୋଇଥିଲା ।

ସରକାରୀ ସୂଚନା ଅନୁଯାୟୀ ୨୦୨୪-୨୫ ବର୍ଷରେ ରାଜ୍ୟରେ ୪୦୭୩ ହେକ୍ଟରରେ ସଘନ ବନୀକରଣ ହୋଇଥିବାବେଳେ ୨୬ହଜାର ହେକ୍ଟରରୁ ଅଧିକ ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯାଇଥିଲା । ୨୦୨୫-୨୬ ବର୍ଷରେ ସଘନ ବନୀକରଣ ହୋଇଥିବା ଜମିର ପରମାଣ ୨୮୮୩ ହେକ୍ଟର ହୋଇଥିବାବେଳେ ଏଠାରେ ୨୩ହଜାର ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯାଇ ପାରିଥିଲା ।

ରାଜ୍ୟର ବିଭିନ୍ନ ବନଖଣ୍ଡରେ ପ୍ରତିବର୍ଷ ଅଗ୍ନିବିତ୍ପାତ ପରିଲକ୍ଷିତ ହେଉଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଲୋକଙ୍କୁ ସଚେତନ କରାଯିବା ସହିତ ଅଗ୍ନି ନିର୍ବାପନ ଲାଗି ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଥି ସହିତ ଜଙ୍ଗଲରେ ପଡୁଥିବା ଶୁଖିଲାପତ୍ରକୁ ତୁରନ୍ତ ସଂଗ୍ରହ କରାଯାଉଥିବାବେଳେ ନିଆଁ ଲିଭାଇବାପାଇଁ ଜଙ୍ଗଲ କର୍ମଚାରୀଙ୍କୁ ଅତ୍ୟାଧୁନିକ ସାଜ ସରଞ୍ଜାମ ଯୋଗାଇ ଦିଆଯାଉଛି । ଅଗ୍ନିକାଣ୍ଡ ଘଟୁଥିବା ଅଞ୍ଚଳକୁ ଚିହ୍ନଟ କରାଯିବା ସହିତ ଏହାର ନିକଟବର୍ତ୍ତୀ ସ୍ଥାନରେ ପାଣି ମହଜୁଦ ପାଇଁ ପଦକ୍ଷେପ ନିଆଯାଉଛି । କେତେକ ସ୍ଥାନରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି । (ତଥ୍ୟ)