Home Health ତମାଖୁ ବିଜ୍ଞପ୍ତିକୁ ନେଇ ଚଢଉକାରୀ ଦ୍ୱନ୍ଦରେ

ତମାଖୁ ବିଜ୍ଞପ୍ତିକୁ ନେଇ ଚଢଉକାରୀ ଦ୍ୱନ୍ଦରେ

ଭୁବନେଶ୍ୱର : ଗୁଟ୍‍ଖା ନିଷିଦ୍ଧ ପାଇଁ ରାଜ୍ୟ ସରକାର ନିଜ ବିଜ୍ଞପ୍ତିକୁ ନିଜେ ସଂଶୋଧନ କରିବାପରେ ଚଢଉ ଆରମ୍ଭ କରିଥିବା ସଂସ୍ଥାଗୁଡିକ ଭିତରେ ଦ୍ୱନ୍ଦ ସୃଷ୍ଟି ହୋଇଛି । କାହାକୁ ସେମାନେ ଏବେ ଜବତ କରିବେ ଓ କାହାକୁ ଛାଡିବେ ସେଥିଘେନି ସମସ୍ୟାରେ ପଡିଛନ୍ତି । କେବଳ ସେତିକି ନୁହେଁ, ଯେଉଁ ବ୍ରାଣ୍ଡ୍‍ରେ ଗୁଟ୍‍ଖା ଓ ନିକୋଟିନ୍‍ଯୁକ୍ତ ପାନମସଲାମାନ ପ୍ରସ୍ତୁତ ହେଉଛି ସେହି ବ୍ରାଣ୍ଡ୍‍ରେ ସାଧା ମୁଖବାସ ପ୍ରସ୍ତୁତ କରି ଖୋଲାଖୋଲି ଭାବେ ଗଣମାଧ୍ୟମରେ ଓ ରାସ୍ତାଘାଟରେ ସରକାରଙ୍କ ଆଖିଆଗରେ ମାଳ ମାଳ ବିଜ୍ଞାପନ ଓ ହୋର୍ଡିଂ ମଧ୍ୟ ରହିଛି । ଏହାକୁ ହଟାଇବାପାଇଁ କାହାର ହାତ ଯାଉନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୦୬ ମସିହାରେ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ମାନ ଆଇନ୍‍ ପ୍ରଣୟନ କରିଥିଲେ । ଏହାପରେ ୨୦୧୧ ମସିହାରେ ଆପତ୍ତିଜନକ ଖାଦ୍ୟ ଓ ନିଶା ସାମଗ୍ରୀଗୁଡିକର ବ୍ୟବହାରକୁ ନିଷିଦ୍ଧ କରିବାଲାଗି ରେଗୁଲେସନ୍ସ ଜାରି କରାଯାଇଥିଲା । ଏହି କେନ୍ଦ୍ରୀୟ ଆଇନ୍‍ ଆଧାରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟପାଳଙ୍କ ଆଦେଶକ୍ରମେ ୨୦୧୩ ଜାନୁଆରୀ ୩ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେହି ଦିନଠାରୁ ଗୁଟ୍‍ଖା, ପାନମସଲା ଆଦିର ଉତ୍ପାଦନ, ମହଜୁଦ, ବିପ୍ପଣନ ଓ ବିକ୍ରି ଆଦି ଉପରେ କଡା କଟକଣା ଜାରି କରାଯାଇଥିଲା ବୋଲି କୁହାଗଲା । ଏ ସଂକ୍ରାନ୍ତରେ ମଧ୍ୟ ଆଇନ୍‍ ଅଦାଲତଙ୍କର ସବୁଜ ସଙ୍କେତ ଥିଲା ।

ଏଭଳି ନିଷିଦ୍ଧାଦେଶ ସତ୍ୱେ ଗତ ୧୩ବର୍ଷ ମଧ୍ୟରେ ଖୋଦ୍‍ ରାଜ୍ୟ ସରକାର ଏହି ଆପତ୍ତିଜନକ ସାମଗ୍ରୀରୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରି ପ୍ରକାରାନ୍ତରେ ଗୁଟ୍‍ଖା, ପାନମସଲା ଆଦିର ପ୍ରସାରଣକୁ ଏକ ପ୍ରକାର ନିରବ ସମର୍ଥନ ଦେଇଥିଲେ ବୋଲି ନିଶା ବିରୁଦ୍ଧରେ ଅଭିଯାନ ଚଳାଉଥିବା ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷ ଅଭିଯୋଗ କରୁଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାର ୨୦୨୬ ଜନୁଆରୀ ୨୧ ତାରିଖରେ ରାଜ୍ୟପାଳଙ୍କ ଆଦେଶକ୍ରମେ ଅନ୍ୟଏକ ବିଜ୍ଞପ୍ତି ପ୍ରକାଶ କରି ତମାଖୁ ଓ ନିକୋଟିନ୍‍ଯୁକ୍ତ ସମସ୍ତ ପଦାର୍ଥର ଉତ୍ପାଦନ, ବିପ୍ପଣନ, ପରିବହନ ଆଦି ଉପରେ ଆଉଥରେ କଟକଣା ଜାରି କରିଛନ୍ତି । ଏହି କଟକଣା ଜାରିହେବା ପରେ କେତେକ ସ୍ଥାନରେ ଚଢଉ ହୋଇଛି । ଏମିତିକି ଖୋଦ୍‍ ରାଜଧାନୀରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଆପତ୍ତିଜନକ ଗୁଟ୍‍ଖା ଓ ପାନମସଲା ଜବତ କରାଯାଇଛି ।

ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଥିବାବେଳେ ଏବେ ପୁଣି ଜାନୁଆରୀ ୨୯ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଅନ୍ୟଏକ ସ୍ପଷ୍ଟିକରଣ ଜାରି କରିଛି । ଏଥିରେ ଯେଉଁ ପାନମସଲାରେ ତମାଖୁ ଓ ନିକୋଟିନ୍‍ ଆଦି ନାହିଁ ସେଗୁଡିକୁ କଟକଣାରୁ ବାଦ୍‍ ଦିଆଯାଇଛି । ତେବେ ବିଧି ବିଶେଷଜ୍ଞମାନେ କହୁଛନ୍ତି ଯେ ପୂର୍ବ ବିଜ୍ଞପ୍ତିଟି ରାଜ୍ୟପାଳଙ୍କ ଆଦେଶ କ୍ରମେ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବାବେଳେ ସଦ୍ୟତମ ସ୍ପଷ୍ଟିକରଣଟି ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଦେଇଛନ୍ତି । ପ୍ରଥମ ଦୁଇଟି ବିଜ୍ଞପ୍ତି ରାଜ୍ୟ ଗେଜେଟରେ ପ୍ରକାଶ ପାଇଥିବାବେଳେ ସ୍ପଷ୍ଟିକରଣଟି କିନ୍ତୁ ଗେଜେଟରେ ପ୍ରକାଶ କରାଯାଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ତମାଖୁ, ଗୁଟ୍‍ଖା, ଜର୍ଦ୍ଦା, ଖଇନି ଆଦି ଯୋଗୁଁ ମୁଖଗହ୍ୱର କର୍କଟ ଠାରୁ ଆରମ୍ଭ କରି ପାକସ୍ଥଳୀ, ଯକୃତ, ଗଳା, ଲିଭର, ହାର୍ଟ, ସ୍ନାୟୁ ଆଦି କ୍ଷତିଗ୍ରସ୍ତ ହେଉଛି । ଦ୍ୱିତୀୟ ରାଉଣ୍ଡର ବିଶ୍ୱ ତମାଖୁ ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶାର ୪୨ ପ୍ରତିଶତ ବୟସ୍କ ବ୍ୟକ୍ତି ଧୂମବିହୀନ ତମାଖୁ ସେବନ କରୁଛନ୍ତି, ଯାହା ଜାତୀୟ ହାରର ପ୍ରାୟ ଦୁଇଗୁଣ । ୪୦ବର୍ଷ ତଳେ ଓଡିଶାରେ ଗୋଟିଏ ମାତ୍ର କ୍ୟାନସର ହସ୍ପିଟାଲ ଥିବାବେଳେ ଏବେ ରାଜ୍ୟରେ ୪୦ରୁ ଅଧିକ କ୍ୟାନସର ଚିକିତ୍ସାକେନ୍ଦ୍ର ଥାଇ ମଧ୍ୟ ରୋଗୀଙ୍କ ପାଇଁ ଶଯ୍ୟା ନିଅଣ୍ଟ ପଡୁଛି । ଏ ପରିପ୍ରେକ୍ଷୀରେ ୨୦୧୬ ମସିହାର ସୁପ୍ରିମକୋର୍ଟଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ମାର୍ଗନିର୍ଦ୍ଦେଶିକା ଓ ଆଇନ୍‍ ଆଧାରରେ ରାଜ୍ୟ ସରକାର ଯେଉଁ ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ କାହିଁକି କୋହଳ କରାଯାଉଛି ସେଥିଘେନି ଏବେ ସର୍ବସାଧାରଣରେ ବିତର୍କ ଆରମ୍ଭ ଚାଲିଛି । (ତଥ୍ୟ)