ଭୁବନେଶ୍ବର : ଆସନ୍ତା ଫେବୃଆରୀ ୧୭ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୭ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ। ଫେବୃଆରୀ ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଉପସ୍ଥାପିତ ହେବ।
ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନ ରାଜ୍ୟପାଳ ନିଜ ଅଭିଭାଷଣ ରଖିବେ। ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୧୭, ୧୮, ୧୯ ତିନି ଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ୨୦ ତାରିଖରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ।
ଫେବୃଆରୀ ୨୩ ଓ ୨୪ ଦୁଇ ଦିନ ଧରି ବଜେଟ ଉପରେ ସାଧାରଣ ଆଲୋଚନା ହୋଇ ଗୃହ ମୁଲତବି ହେବ। ମାର୍ଚ୍ଚ ୯ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ ହେବ। ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ବିଭାଗଓ୍ବାରୀ ଖର୍ଚ୍ଚ ଆଲୋଚନା ପରେ ଆର୍ଥିକ ବର୍ଷ ଶେଷ ଦିନ ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଂଜୁରୀ ବିଲ ଗୃହରେ ଆଗତ କରାଯିବ।
ବଜେଟ ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧନ ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଗତ ଅଧିବେଶନରେ ବିଧାନସଭାରେ ସର୍ବସମ୍ମତି କ୍ରମେ ବିଧାୟକଙ୍କ ଦରମା ବିଲ ଗୃହର ମଂଜୁରୀ ପାଇଥିଲା। କିନ୍ତୁ ସାଧାରଣରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ଜୋରଦାର ବିରୋଧ ହେବାରୁ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଘୋଷଣା କରିଥିଲେ।
ତଦନୁଯାୟୀ ଆସନ୍ତା ଅଧିବେଶନରେ ସଂଶୋଧନ ବିଲ ବିଧାନସଭାରେ ଆଗତ କରାଯିବ। ମିଳୁଥୁବା ସୂଚନା ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ କମିଟି ଯେଉଁ ସୁପାରିଶ କରିଥିଲେ ସେହି ଅନୁଯାୟୀ ବିଧାୟକଙ୍କ ଦରମା ଓ ଭତ୍ତାରେ ସଂଶୋଧନ କରାଯିବ। ସେପରି ହେଲେ ବିଧାୟକଙ୍କ ବର୍ଦ୍ଧିତ ଦରମା ପ୍ରାୟ ଏକ ଲକ୍ଷ ଟଙ୍କା ହ୍ରାସ ପାଇବ ବୋଲି ଦରମା ବୃଦ୍ଧି ସମ୍ପର୍କିତ କମିଟି ଅଧ୍ୟକ୍ଷ ଆକଳନ କରିଛନ୍ତି।

